ବରଗଡ଼ ଧନୁଯାତ୍ରା କଂସ ଅଭିନେତାଙ୍କ ପରଲୋକ

ଅତାବିରା: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ  ଅଭିନୟ କରିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ହିର୍ଲିପାଲି ଗ୍ରାମର ବର୍ଷିଆନ କଳାକାର ଦେବେ‌ନ୍ଦ୍ର ବିଶ୍ବାଳ(୬୭) ଆଉ ନାହାନ୍ତି। ବୁଧବାର ଭୋରରେ ତାଙ୍କର ପରଲୋକ ହୋଇଛି। ଗତ ୪ ବର୍ଷ ହେଲା ସେ ସ୍ନାୟୁରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ଶରୀରର ଡାହାଣ ପାର୍ଶ୍ବ ପକ୍ଷାଘାତ ହୋଇଥିଲା। କିଛି ଦିନ ହେଲା ସେ କମ୍‌ ଆହାର ଗ୍ରହଣ କରୁଥିଲେ। ଗତକାଲି ଖାଇବା ପିଇବା ଏକ ପ୍ରକାର ବନ୍ଦ  କରି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପରେ ଶେଷଦର୍ଶନ ପାଇଁ ଗ୍ରାମବାସୀ ତଥା କଳାପ୍ରେମୀଙ୍କ ସୁଅ ଛୁଟିଥିଲା। କାଠଡ଼େରାସ୍ଥିତ ତାଙ୍କର ନାଟକ ପାର୍ଟିର ଆଖଡ଼ା ଶାଳ ପରିସରରେ ଅନ୍ତିମ ସଂସ୍କାର କରାଯାଇଥିଲା। ଶବଧାରରେ ବହୁ ଲୋକ ସାମିଲ ଥିଲେ। ତାଙ୍କ ବଡ଼ ଭାଇ ଚିତ୍ରସେନ ବିଶ୍ବାଳଙ୍କ ବଡ଼ପୁତ୍ର ରାଜନାରାୟଣ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ପରେ ତାଙ୍କ ପତ୍ନୀ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁରୁଚି, ଶଳା ସୁବ୍ରତଙ୍କୁ ସେ ଛାଡ଼ି ଚାଲି ଯାଇଛନ୍ତି। ଲେଖକ ରାଜେଶ ଅଗ୍ରୱାଲ, ସମାଜସେବୀ ରବିନାରାୟଣ ପଣ୍ଡାଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

ମନେ ରହିବେ ହିଲ୍ଲିପାଲିର ସେନାପତି

ସ୍ବର୍ଗତ ବିଶ୍ବାଳ ସାରା ପଶ୍ଚିମ ଓଡ଼ିଶାରେ ‘ହିର୍ଲ୍ଲିପାଲିର ସେନାପତି’ ଭାବେ ବେଶ୍ ପରିଚିତ ଥିଲେ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ହିର୍ଲ୍ଲିପାଲି ନାଟକ ପାର୍ଟିର ‘ସତୀ ମଉନାବତୀ’ ନାଟକରେ ସେନାପତି ଭୂମିକାରେ ସେ ବହୁବର୍ଷ ଧରି ଅଭିନୟ କରିଥିଲେ। ପରେ ସେ ନିଜେ ଉକ୍ତ ନାଟ ପାର୍ଟି ପରିଚାଳନା କରି ଆସୁଥିଲେ। ପ୍ରଖ୍ୟାତ ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ରେ ମଧ୍ୟ ସେ ଅଭିନୟ କରିଥିଲେ। ୧୯୮୦ ମସିହାରେ ସେ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିଣି ପାରିଥିଲେ। ସେ ଦୂରଦର୍ଶନର ଅନେକ ନାଟକରେ ମଧ୍ୟ ଅଭିନୟ କରି ଲୋକପ୍ରିୟ କଳାକାର ଭାବେ ଜଣାଶୁଣା ଥିଲେ। ତାଙ୍କ ବଡ଼ଭାଇ ମିତ୍ରଭାନୁ ବିଶ୍ବାଳ ମଧ୍ୟ ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ଜଣେ ପ୍ରତିଷ୍ଠିତ କଳାକାର।

ସବୁ କ୍ଷେତ୍ରରେ ଛାପ

ଦେବେନ୍ଦ୍ର ବିଶ୍ବାଳ ଓଡ଼ିଆ, ସମ୍ବଲପୁରୀ/କୋଶଲି ଭାଷାରେ ପୌରାଣିକ, କାଳ୍ପନିକ, ସାମାଜିକ, ଐତିହାସିକ ନାଟକ ଅଭିନୟ କରିବା ସହ ନିର୍ଦେଶନା ମଧ୍ୟ ଦେଇଛନ୍ତି। ‘ବାଣା ପରାଜୟ’ ନାଟକର ‘ବାଣା’ ଭୂମିକାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ‘ସତୀ ମଉନାବତୀ’ ନାଟକରେ ସେନାପତି ରକ୍ତବାହୁ ଭୂମିକାରେ ନିଖୁଣ ଓ ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ି ଯାଇଛନ୍ତି। ଏହା ବାଦ୍ ‘ନୃସିଂହନାଥ ମହାତ୍ମ୍ୟ’ ଟେଲି ଫିଲ୍ମରେ ଦୁନ୍ଦୁର୍ଭି ରାକ୍ଷସ ଭୂମିକାରେ ଅଭିନୟ କରିଛନ୍ତି। ଦୂରଦର୍ଶନରେ ‘ମହିଷାସୁର’, ‘ରାଜା’, ଓ ‘ମୂଷିକ ଦୈତ୍ୟ’ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ମୃତ୍ୟୁ ଖବରରେ ବିଭିନ୍ନ ବର୍ଗର ଲୋକମାନେ ଶୋକପ୍ରକାଶ କରିଛନ୍ତି।

ସମ୍ମାନ ଓ ସମ୍ବର୍ଦ୍ଧନା

ସେ ଅତାବିରା ବ୍ଲକ୍‌ ମନାପଡ଼ା ରାଜେନ୍ଦ୍ର ସାହୁ ସ୍ମୃତି କମିଟି ପକ୍ଷରୁ ରାଜେନ୍ଦ୍ରାୟନ–୨୦୧୬ ସମ୍ମାନ, ବଲାଂଗୀର ବୁଦୁଲା ନୀଳମାଧବ ସାହିତ୍ୟ ସଂଘ ପକ୍ଷରୁ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ କଳାକାର ମଂଚ ସମ୍ମାନ–୨୦୧୮, ୨୦୧୬ରେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ କୃଷି ମହୋତ୍ସବରେ ସମ୍ବର୍ଦ୍ଧନା, ବାବେବିରା ଜୟନ୍ତୀ ଯୁବକ ସଂଘ, ତିହାର ଲୋକ ମହୋତ୍ସବ–୨୦୧୩, ଅତାବିରା ବ୍ଲକ୍‌ କାଠଡ଼େରା ଶ୍ରୀଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହୋତ୍ସବ–୨୦୧୮, କୁମେଲସିଂହା ଶ୍ରୀ ଶ୍ରୀ ଦଧିବାମନ ପାଲା ସଂଘ, ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁସୋର ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନ ପାଇଥିଲେ।

ସମ୍ବନ୍ଧିତ ଖବର