ତାରିଣୀରୁ ମଧୁବାସନ୍ତୀ: ଅଭିନୟର ଯାଦୁରେ ଯାତ୍ରା ଦର୍ଶକଙ୍କ ମନ ଜିଣିଥିଲେ ରାଇମୋହନ

ଭୁବନେଶ୍ବର (ନାରାୟଣ ରାଉତରାୟ) : ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ରାଇମୋହନ ପରିଡ଼ା ଯେମିତି ନିଖୁଣ ଅଭିନୟ କରୁଥିଲେ, ଯାତ୍ରା ମଞ୍ଚରେ ମଧ୍ୟ ସେ ଦର୍ଶକଙ୍କୁ ଅନୁରୂପ ଭାବେ ମତୁଆଲା କରୁଥିଲେ। ରାଇମୋହନ ପରିଡ଼ା ଯେତେବେଳେ ମଞ୍ଚ ଉପରକୁ ଆସୁଥିଲେ, ପ୍ରଶଂସକଙ୍କ ଉତ୍ସାହ କହିଲେ ନ ସରେ । ଆଉ ତାଙ୍କ ସଂଳାପ ଶୁଣିବାକୁ ତ ଦର୍ଶକେ ଆଗ୍ରହ ସହକାରେ ଅପେକ୍ଷା କରି ବସୁଥିଲେ।  ଯାତ୍ରାପ୍ରେମୀଙ୍କ ହୃଦୟରେ ସେ ଆବୋରି ବସିଥିଲେ ଏକ ନିଆରା ସ୍ଥାନ। କେବଳ ଅଭିନୟ ନୁହେଁ, ରାଇମୋହନ ଯାତ୍ରା ନିର୍ଦ୍ଦେଶନାରେ ମଧ୍ୟ ବେଶ ପ୍ରସିଦ୍ଧି ଅର୍ଜନ କରିଥିଲେ। ଓଡ଼ିଆ ଦର୍ଶକଙ୍କୁ ସେ ବହୁ ସଫଳ ନାଟକ ଉପହାର ଦେଇଥିଲେ।

ରାଇମୋହନ ପରିଡ଼ା ଓ ଅଶ୍ରୁମୋଚନ ଯାତ୍ରାରେ ନିର୍ଦ୍ଦେଶନା କ୍ୟାରିୟର ତାରିଣୀ ଗଣନାଟ୍ୟରୁ ଆରମ୍ଭ କରିଥିଲେ। ଏଠାରେ ସେମାନେ ଏକତ୍ର  ‘ଭଙ୍ଗାଆଇନା ନାଟକ’ ନିର୍ଦ୍ଦେଶନା ଦେଇଥିଲେ। ଏହି ନାଟକକୁ ନାଟ୍ୟକାର ଅଧ୍ୟାପକ ଚିନ୍ମୟ ଦାଶ ରଚନା କରିଥିଲେ। ତାରିଣୀ ଗଣନାଟ୍ୟ ଛାଡ଼ିବା ପରେ ସେ ବାଣେଶ୍ବରୀ ଗଣନାଟ୍ୟକୁ ଯାଇଥିଲେ। ସେଠାରେ ସେ ଏକ ବର୍ଷ ପର୍ଯ୍ୟନ୍ତ ରହି ଏକାଧିକ ନାଟକରେ ଅଭିନୟ କରିଥିଲେ। ବାଣେଶ୍ବରୀରେ ସେ ସୁପରହିଟ ନାଟକ ‘ଟୋକିଟା ବଡ଼ ବୋକିଟା’ରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ଠାରୁ ଢ଼େର ପ୍ରଶଂସା ସାଉଁଟିଥିଲେ। ତାଙ୍କର ଅଭିନୟରେ ଦର୍ଶକ ଆତ୍ମବିଭୋର ହୋଇଯାଉଥିଲେ।

ରା‌ଇମୋହନ ପରିଡ଼ା ଇଷ୍ଟର୍ଣ୍ଣ ଗ୍ରୁପର ବିଭିନ୍ନ ଯାତ୍ରା ଦଳରେ ଅନେକଗୁଡ଼ିଏ ନାଟକରେ ଅଭିନୟ କରିଥିଲେ। ‘ଇଷ୍ଟର୍ଣ୍ଣ ବ୍ଲୁ’ରେ ଥିବା ସମୟରେ ସେ ନାଟ୍ୟକାର ଅନନ୍ତ ଓଝାଙ୍କ ନାଟକ ‘ମୋ ଭାଇ ମୁଣ୍ଡରେ ସୁନା ମୁକୁଟ’ରେ ଖଳନାୟକ ଚରିତ୍ରରେ ଏଭଳି ଅଭିନୟ କରିଥିଲେ ଯେ, ଦର୍ଶକମାନେ ଚମତ୍କୃତ ହୋଇଯାଇଥିଲେ। ଇଷ୍ଟର୍ଣ୍ଣରେ ଗୋଟିଏ ବର୍ଷ ଅଭିନୟ କଲା ପରେ ସେ ପାର୍ବତୀ ଗଣନାଟ୍ୟକୁ ଯାଇଥିଲେ। ଏହା ପରେ ଯାତ୍ରା ବିଶ୍ବଦରବାର, ଓମଶ୍ରୀ ଗଣନାଟ୍ୟ, ଇଷ୍ଟର୍ଣ୍ଣ ଭାଓଲେଟ୍‌ ଭଳି ଯାତ୍ରା ଅନୁଷ୍ଠାନରେ ଯୋଗଦେଇଥିଲେ।

ଯାତ୍ରା ଜଗତରେ ରାଇମୋହନ ପରିଡ଼ାଙ୍କ ପାଇଁ ଶେଷ ଅନୁଷ୍ଠାନ ଥିଲା ‘ମଧୁବାସନ୍ତୀ ଗଣନାଟ୍ୟ’। ଏହି ଯାତ୍ରାଦଳରେ ସେ ‘ନନ୍ଦନକାନନର ବାଘ’ରେ ଚମତ୍କାର ଅଭିନୟ କରିଥିଲେ। ସେହିପରି ‘ଉଷସୀ ମିଶ୍ରଙ୍କ ଟାର୍ଗେଟରେ ରାଇମୋହନ’ ନାଟକରେ  ରାଇମୋହନଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା। କୋଣାର୍କ ଗଣନାଟ୍ୟରେ ରାଇମୋହନ ‘ଅହଂକାର’ର ନିର୍ଦ୍ଦେଶନା ଦେଇଥିଲେ। ୩୦ରୁ ଅଧିକ ନାଟକରେ ଅଭିନୟ କରି ଯାତ୍ରାପ୍ରେମୀଙ୍କ ମନମୁଗ୍ଧ କରିଥିଲେ।

ସମ୍ବନ୍ଧିତ ଖବର