ଭୁବନେଶ୍ବର: ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଓଡିଶାର ଗରିବ ଲୋକଙ୍କ ସାଥୀ । ସବ୍ୟ ହେଉଛନ୍ତି ସାହାଯ୍ୟର ଅନ୍ୟନାମ । ଗରିବ ଲୋକଙ୍କ ବିଭିନ୍ନ ଅସୁବିଧାରେ ଛିଡା ହେଉଛନ୍ତି ଏହି ଅଭିନେତା । ରିଲ ଦୁନିଆରୁ ବାହାରି ରିୟଲ ଲାଇଫରେ ଏବେ ସେ କରୁଛନ୍ତି ଏଭଳି ମହତ କାମ । ଶିକ୍ଷା ହେଉ ଅବା ସ୍ୱାସ୍ଥ୍ୟ ଅଭାବୀ ଲୋକଙ୍କ ପାଇଁ ଆଗେଇ ଆସୁଛନ୍ତି ସବ୍ୟସାଚୀ। ଏବେ ସେ ପୁଣି ଏଭଳି କାମ କରି ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ବୃଦ୍ଧାଙ୍କୁ ସବ୍ୟସାଚୀ ଦେବେ ହ୍ୱିଲ ଚେୟାର ।
ବୃଦ୍ଧା ଜଣକଙ୍କ ନାମ ଭମା ସାହୁ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ବୋଲି ଜଣାପଡ଼ିଛି। ଭମା ପକ୍ଷାଘାତ ରୋଗ ଯୋଗୁଁ ଚାଲି ପାରୁ ନାହାନ୍ତି । ଅର୍ଥଅଭାବରୁ ସ୍ୱାମୀ ଭ୍ରମର ସାହୁ ତାଙ୍କ ପାଇଁ ହ୍ୱିଲ ଚେୟାର ମଧ୍ୟ କିଣି ପାରୁନାହାନ୍ତି । ତେଣୁ ଅନେକ ଦିନ ହେବ ଏଭଳି କଷ୍ଟ ପାଉଛନ୍ତି ଭାମା ସାହୁ ।
ଏ ନେଇ ବିଶ୍ୱଜିତ ନାୟକ ନାମକ ଜଣେ ଟ୍ୱିଟର ୟୁଜର ସବ୍ୟସାଚୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶ୍ୱଜିତ ଟ୍ୱିଟ କରି ଲେଖିଥିଲେ, ଏ ହେଉଛନ୍ତି ଭମା ସାହୁ, ସ୍ୱାମୀ ଭ୍ରମର ସାହୁ, ଗ୍ରାମ ପରଜଙ୍ଗ ଜିଲ୍ଲା ଢେଙ୍କାନାଳ । ଭମା ସାହୁଙ୍କୁ ପକ୍ଷାଘାତ ରୋଗ ହୋଇଥିବାରୁ ସେ ଚାଲି ପାରୁନାହାନ୍ତି । ଅର୍ଥଅଭାବରୁ ହ୍ୱିଲ ଚେୟାର କିଣିବା ପାଇଁ ମଧ୍ୟ ତାଙ୍କ ସାମର୍ଥ୍ୟ ନାହିଁ । ସେ ଯିବା ଆସିବା କରିବାକୁ ବହୁତ ହଇରାଣ ହେଉଛନ୍ତି । ଆପଣ ଯଦି ହ୍ୱିଲ ଚେୟାର ଟିଏ ଦିଅନ୍ତେ ତାହାଲେ ସେ ବହୁତ ଉପକୃତ ହୋଇପାରନ୍ତେ।
ଏହାର ଉତ୍ତର ଦେଇ ସବ୍ୟସାଚୀ ଲେଖିଛନ୍ତି, ତାଙ୍କର ଏଭଳି ପରସ୍ଥିତି ଦେଖି ମୁଁ ବହୁତ ଦୁଃଖିତ । ଆପଣ ମତେ ମେସେଜ କରନ୍ତୁ, ମୁଁ ଯେମିତି ତାଙ୍କୁ ଯୋଗାଯୋଗ କରିପାରିବି । ଆଉ ସେ ଆବଶ୍ୟକ କରୁଥିବା ସବୁ ଜିନିଷ ମୁଁ ଯୋଗାଇ ଦେବି ।
ପୂର୍ବରୁ ମଧ୍ୟ ସବ୍ୟସାଚୀ ଅନେକ ଗରିବ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟରୁ ଯେମିତି ଗରିବ ଲୋକମାନେ ବଞ୍ଚିତ ନ ହୁଅନ୍ତି ଏଥିପାଇଁ ସେ ତାଙ୍କ ସାହାଯ୍ୟ କରିବାର ଅଭିଯାନ ଜାରି ରଖିଛନ୍ତି । ଲକଡାଉନ୍ ବେଳେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ମଧ୍ୟ ସେ ଘରକୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ । ତାଙ୍କର ଏଭଳି କାମ ପାଇଁ ଏବେ ତାଙ୍କୁ ଗରିବଙ୍କ ଭଗବାନ ବୋଲି କୁହାଯାଉଛି ।