ଦାମ୍ପତ୍ୟ ଜୀବନ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କୁ ଦର୍ଶନ କଲେ ସବ୍ୟର୍ଚ୍ଚିତା

ପୁରୀ: ବିବାହର ୨ ସପ୍ତାହ ପରେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ସଫଳ ଅଭିନେତା ସବ୍ୟସାଚୀ ଓ ତାଙ୍କର ପତ୍ନୀ  ଅଭିନେତ୍ରୀ ଅର୍ଚ୍ଚିତା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ଲାଗି ସବ୍ୟର୍ଚ୍ଚିତା ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଶ୍ରୀମନ୍ଦିରରେ ପହଂଚିଥିଲେ। ସେମାନେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ରହି ପୂଜାର୍ଚ୍ଚନା ଓ ଦୀପଦାନ କରିଥିଲେ । ସେମାନଙ୍କୁ ଦେଖିବା ପାଇଁ ଉଭୟ ମନ୍ଦିର ପରିସର ଏବଂ ବାହାରେ ସମର୍ଥକ ଓ ପ୍ରଶଂସକଙ୍କର ପ୍ରବଳ ଭିଡ଼ ଲାଗିଥିଲା।

ସୂଚନାଯୋଗ୍ୟ, ଗତ ୧ ତାରିଖରେ ଓଡ଼ିଆ ଚଳଚ୍ଚିତ୍ରର ସଫଳ ଅଭିନେତା-ଅଭିନେତ୍ରୀ ସବ୍ୟର୍ଚ୍ଚିତାଙ୍କର ରାଜସ୍ଥାନରେ ରାଜକୀୟ ଢଙ୍ଗରେ ହୋଇଥିଲା ବିବାହ। ରିଲ୍ ଲାଇଫ ଯୋଡ଼ିରୁ ରିୟଲ ଲାଇଫରେ ପତିପତ୍ନୀ ହୋଇଛନ୍ତି ସବ୍ୟ ଓ ଅର୍ଚ୍ଚିତା।

ଗତବର୍ଷ ମାର୍ଚ୍ଚ ମାସରେ ସବ୍ୟ ଓ ଅର୍ଚ୍ଚିତାଙ୍କ ବିବାହ ପାଇଁ ସ୍ଥିର ହୋଇଥିଲା। ମାତ୍ର କୋଭିଡ କଟକଣା ପାଇଁ ହୋଇପାରି ନଥିଲା। ଏବେ ଶୁଭେଚ୍ଛୁଙ୍କ ଗହଳି ଏଡ଼ାଇବା ତଥା ସୁରକ୍ଷା ପାଇଁ ଉଭୟ ପରିବାରର ସମ୍ମତିରେ ରାଜସ୍ଥାନରେ ବିବାହ ହୋଇଥିବା କହିଛନ୍ତି ସବ୍ୟସାଚୀ । ଏହା ସହ ସବ୍ୟସାଚୀ ନିଜ ଜୀବନର ସଫଳତାର ଶ୍ରେୟ ଅର୍ଚ୍ଚିତାଙ୍କୁ ଦେଇଛନ୍ତି। ରିଲ୍ ଲାଇଫ୍ ସହିତ ଆଗକୁ ସମାଜସେବା ଜାରି ରହିବ ବୋଲି ଉଭୟେ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର