ଅଭିନେତା ଜିତିଲେ, ଅଭିନେତ୍ରୀ ହାରିଲେ

ହାରିଗଲେ ଦାମ, ବୈଜୟନ୍ତ, ରାଜପରିବାରର ପ୍ରଦର୍ଶନ: ୪ ଜିତିଲେ, ୧୦ ହାରିଲେ

ରାଜନୀତିକୁ ଓଲିଉଡ୍‌ ଅଭିନେତା, ଅଭିନେତ୍ରୀଙ୍କ ଜୋର୍‌ଦାର୍ ପ୍ରବେଶ ହୋଇଥିଲେ ବି ଏଥର ଦଳୀୟ ଟିକେଟ୍‌ ପାଇଥିଲେ ମାତ୍ର ୩ ଜଣ କଳାକାର। ବିଜେଡିରୁ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଲୋକସଭା ଟିକେଟ୍‌ ପାଇଥିଲା ବେଳେ ବିଜେପିରୁ ଅପରାଜିତା ମହାନ୍ତି ଭୁବନେଶ୍ବର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଅନୁଭବ ବିଜୟୀ ହୋଇଥିଲା ବେଳେ ଦୁଇ ଜଣ ଯାକ ଅଭିନେତ୍ରୀ ପରାଜୟର ସାମ୍ନା କରିଛନ୍ତି।

ହାରିଗଲେ ଦାମ, ବୈଜୟନ୍ତ

ବିଜେଡିରୁ ବିଦା ହୋଇଥିବା ଦୁଇ ହେଭିୱେଟ୍‌ ନେତା ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ଉଭୟ ନେତା ବିଜେଡିର ଚରମ ଶତ୍ରୁ ପାଲଟିଥିଲେ। ଦଳରୁ ଗଲା ପରେ ବିଜେଡି ନୀତି ଓ ନେତୃତ୍ବ ଉପରେ ଭୀଷଣ ବର୍ଷୁଥିଲେ। ଗଣମାଧ୍ୟମରେ ଶିରୋନାମାରେ ରହୁଥିଲେ। ଉଭୟ ବିଜେପିରେ ଯୋଗ ଦେଇ ଦଳୀୟ ଟିକେଟ୍‌ ପାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ସମ୍ମୁଖ ଲଢ଼େଇରେ ସଫଳ ହୋଇପାରିନାହାନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରେ ବୈଜୟନ୍ତ ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଦାମ ବିଜେଡି ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଛନ୍ତି। ରାଜ୍ୟ ରାଜନୀତିରେ ଏହା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ରାଜପରିବାରର ପ୍ରଦର୍ଶନ: ୪ ଜିତିଲେ, ୧୦ ହାରିଲେ

ଓଡ଼ିଶା ରାଜନୀତିରେ ରାଜ ପରିବାରର ପ୍ରଭାବ ସବୁବେଳେ ରହି ଆସିଛି। ଏଥର ନିର୍ବାଚନରେ ତିନିଟି ଯାକ ପ୍ରମୁଖ ଦଳ ରାଜପରିବାରର ସଦସ୍ୟଙ୍କୁ ପ୍ରାର୍ଥୀ କରିଥିଲେ। ଆଳି ରାଜପରିବାରର ସଦସ୍ୟ ପ୍ରତାପ ଦେବ ଆଳି ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ପାରଳାଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ହୋଇଥିବା ପାରଳା ରାଜପରିବାର ସଦସ୍ୟା କଲ୍ୟାଣୀ ଗଜପତି ହାରିଛନ୍ତି। ପାଟଣା ରାଜପରିବାରରୁ ବିଜେଡି ଟିକେଟ୍‌ ପାଇଥିଲେ ଅନଙ୍ଗ ଉଦୟ ସିଂହଦେଓଙ୍କ ଦୁଇ ପୁଅ କଳିକେଶ ସିଂହଦେଓ ଓ ଅର୍କେଶ ସିଂହଦେଓ। ଉଭୟ ପରାଜୟର ସାମ୍ନା କରିଛନ୍ତି। ଏହି ରାଜପରିବାରରୁ କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ବିଜେପି ଟିକେଟ୍‌ରେ ନିର୍ବାଚନକୁ ଓହ୍ଲାଇଥିଲେ। ସଙ୍ଗୀତା ବଲାଙ୍ଗୀର ଲୋକସଭା ଆସନରେ ଜିତିଥିଲା ବେଳେ କନକ ବର୍ଦ୍ଧନ ପାଟଣାଗଡ଼ ବିଧାନସଭା ଆସନରେ ହାରିଯାଇଛନ୍ତି। ସେହିପରି କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ପୁଷ୍ପେନ୍ଦ୍ର ସିଂହଦେଓ ପରାଜୟର ସାମ୍ନା କରିଛନ୍ତି। କଳାହାଣ୍ଡି ମହାରାଜ ଉଦିତ ପ୍ରତାପ ଦେଓଙ୍କ ପୁଅ ଅନନ୍ତ ପ୍ରତାପ ଦେଓ ଚଳିତ ନିର୍ବାଚନରେ ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ଚିକିଟିରୁ ବିଜେଡି ପ୍ରାର୍ଥୀ ହୋଇଥିବା ଉଷା ଦେବୀ ବିଜୟଲାଭ କରିଛନ୍ତି। ସାନଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀ ପରାଜୟ ବରଣ କରିଛନ୍ତି। ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ନୀତେଶ ଗଙ୍ଗଦେବ ବିଜୟୀ ହୋଇଛନ୍ତି। ଖଣ୍ଡପଡ଼ାରେ ରାଜପରିବାର ସଦସ୍ୟ ତଥା ବିଜେପି ପ୍ରାର୍ଥୀ ସିଦ୍ଧ‌ାର୍ଥ ଶେଖର ସିଂହ ପରାଜୟ ବରଣ କରିଛନ୍ତି। କଂଗ୍ରେସରୁ ଢେଙ୍କାନାଳ ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ରାଜପୁର କର୍ଲାପାଟ ରାଜ ପରିବାରର ଅନିଲ ସିଂହଦେଓ ଏଥର ଜୁନାଗଡ଼ ନିର୍ବାଚନମଣ୍ଡଳୀରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର