ନାୟିକାର ନା ଅପରାଜିତା

ଭୁବନେଶ୍ୱର: ଅପରାଜିତା ମହାନ୍ତି, ଓଡ଼ିଆ ସିନେମା ଜଗତର ଜଣେ ସଫଳ ନାୟିକା । ତାଙ୍କର ଆକର୍ଷଣୀୟ ଚେହେରା, ବଳିଷ୍ଠ ଅଭିନୟ ଆଉ ବ୍ୟକ୍ତିତ୍ୱ ପାଇଁ ସେ ବିଗତ ଦିନରେ ଓଲିଉଡର ଜଣେ ନମ୍ବର ୱାନ ନାୟିକା ଭାବେ ଦର୍ଶକଙ୍କ ହୃଦୟରେ ରାଜ କରିଆସିଥିଲେ । ବିଗତ ଦିନର ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପତ୍ନୀ ଭାବେ ଅପରାଜିତାଙ୍କୁ ମଧ୍ୟ ଦର୍ଶକ ବେଶ ଭଲପାଇବା ଦେଇ ଆସିଛନ୍ତି । ପରବର୍ତ୍ତୀ ସମୟରେ ଚରିତ୍ର ଅଭିନେତ୍ରୀ ଭାବେ ନିଜର ଅଭିନୟର ଦକ୍ଷତା ପ୍ରତିପାଦିତ କରି ଆସୁଛନ୍ତି ସେ । ଏବେବି ତାଙ୍କର ଅଗଣିତ ଫ୍ୟାନ ରହିଛନ୍ତି ।

ତେବେ ଏହି ରିଲ ଲାଇଫର ନାୟିକା ରିୟଲ ଲାଇଫରେ ବି ନାୟିକା ସାଜିଛନ୍ତି । ଏବେ ପୁଅ ବାବୁସାନ, ବୋହୂ ତୃପି ଓ ନାୟିକା ପ୍ରକୃତିଙ୍କ ବିବାଦ ଘଟଣାରେ ନାୟିକା ସାଜିଛନ୍ତି ଅପରାଜିତା ମହାନ୍ତି । ଜୁଲାଇ ୨୩ ତାରିଖ ସତ୍ୟନଗର ଅଂଚଳରେ ଘଟଣା ପରେ ବୋହୂ ତୃପ୍ତି ଶତପଥୀଙ୍କ ବାପଘରକୁ ଯାଇ ବୋହୂଙ୍କୁ ସମର୍ଥନ କରିଥିଲେ ଶାଶୁ ଅପରାଜିତା । ଆଉ ବୋହୂ ତୃପ୍ତିଙ୍କ ସହ ନିଜେ ଖାରବେଳନଗର ଥାନାକୁ ଯାଇଥିଲେ । ସେଠାରେ ତୃପ୍ତି ସ୍ୱାମୀ ବାବୁସାନ ଓ ପ୍ରକୃତିଙ୍କ ବିରୁଧରେ ଥାନାରେ ଏତଲା ଦେଇଥିଲେ । ବୋହୂଙ୍କ ଅଭିଯୋଗ ସହ ଏକମତ ଥିବା ମିଡିଆକୁ ଦେଇଥିବା ସାକ୍ଷାତକାରରୁ ବେଶ ବୁଝାପଡ଼ିଥିଲା । ଫଳରେ ଅପରାଜିତାଙ୍କ ଏପରି ପଦକ୍ଷେପକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଭଲ ଶାଶୁ ଭାବେ ତାଙ୍କୁ ସମସ୍ତେ ପ୍ରଶଂସା କରିଥିଲେ ।

ସେହିପରି ବାବୁସାନ ଚେନ୍ନାଇରେ ଥିବାବେଳେ ପୁଅ ଭଲରେ ଫେରିଆସୁ ବୋଲି ସେ ସମସ୍ତଙ୍କୁ ଆକୁଳ ନିବେଦନ କରିଥିଲେ । ମା’ର ଆତୁର ଭାବ ତାଙ୍କ ମୁହଁରୁ ବେଶ୍ ବାରି ହେଉଥିଲା । ବାବୁସାନ ଫେରିଆସିବା ପରେ ପୁଅକୁ ଯେମିତି ପାଖରୁ ଛାଡୁ ନାହାନ୍ତି ମା’ । ପୁଅ ପାଖେ ପାଖେ ରହିଛନ୍ତି । ପୁଅବୋହୂଙ୍କ ସଂସାରକୁ ଯୋଡ଼ିବା ପାଇଁ ଉଦ୍ୟମ ଚଳାଇଛନ୍ତି । ପୁଅ ଜନ୍ମଦିନରେ ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ବାବୁସାନଙ୍କ ସହ ଖାରବେଳ ନଗର ଥାନାକୁ ଯାଇଥିଲେ ଅପରାଜିତା । ପୁଅବୋହୂଙ୍କ ସଂସାର ସଜାଡିବାରେ ନାୟିକା ଭୂମିକା ନିର୍ବାହ କରୁଛନ୍ତି ଅପରାଜିତା ମହାନ୍ତି ।

ସମ୍ବନ୍ଧିତ ଖବର