ଓଡ଼ିଆ ସିନେମାର ନାୟିକାଙ୍କ ବିରୋଧ‌ରେ ସଂଗୀନ ଅଭିଯୋଗ ଆଣିଲେ ବିଶାଖାପାଟଣାର ଯୁବକ

ଭୁବନେଶ୍ୱର: ଜନୈକା ଓଡ଼ିଆ ନାୟିକା ତଥା ପ୍ରଯୋଜିକାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଶାଖାପାଟଣାର ପଦ୍ମରାଜୁ ରବିକୁମାର। ନାୟିକା ତାଙ୍କ ସହ ଭଲପାଇବାର ନାଟକ କରି ଲକ୍ଷାଧିକ ଟଙ୍କା , ସୁନା ଗହଣା ଓ ଲାପଟପ୍ ଭଳି ଦାମୀ ଉପହାର ନେଇ ଠକି ଦେଇଛନ୍ତି ବୋଲି ପୁଲିସ ଡିଜିଙ୍କୁ ଇ-ମେଲ୍ କରି ଜଣାଇଛନ୍ତି ରବିକୁମାର। ମାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନାୟିକା । ଉଲ୍ଲେଖଯୋଗ୍ୟ କି ସେ ଦୁଇଟି ଓଡ଼ିଆ ଛବିରେ ନାୟିକା ହେବା ସହ ପ୍ରଯୋଜନା ମଧ୍ୟ କରିଛନ୍ତି।

ରବିକୁମାରଙ୍କ କହିବା ଅନୁସାରେ ମାଟ୍ରିମୋନି ସାଇଟରୁ ଅଭିନେତ୍ରୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ସଂପର୍କ ଗଢ଼ିଉଠିଥିଲା। ପରସ୍ପରକୁ ବିବାହ କରିବେ ବୋ‌ଲି କଥା ଛିଡ଼ିଥିଲା। ଏହି କାରଣରୁ ରବିକୁମାର ତାଙ୍କୁ ବିଭିନ୍ନ ସମୟରେ ଦାମୀ ଉପହାର ଓ ଟଙ୍କା ଦେଉଥିଲେ।

ଅଭିନେତ୍ରୀ ତାଙ୍କଠାରୁ ପର୍ଯ୍ୟାୟକ୍ରମେ ଲକ୍ଷାଧିକ ଟଙ୍କା, ସୁନାଚେନ୍ ଓ ଲାପଟପ୍ ନେଇଯାଇଥିବା ଅଭିଯୋଗ କରିଛନ୍ତି ପ୍ରେମିକ ରବିକୁମାର । ତେବେ ସବୁକିଛି ଠିକଠାକ ଚାଲିଥିଲା ବେଳେ ବିବାହ ପାଇଁ ରବିକୁମାର ଯେତେବେଳେ ପ୍ରସ୍ତାବ ଦେଲେ ତା’ପରେ ବିଭିନ୍ନ ବାହାନା ଦେଖାଇ ବିବାହ ପ୍ରସ୍ତାବକୁ ଏଡାଇ ଯାଇଥିଲେ ।

ଏହାପରେ ନାୟିକା-ପ୍ରଯୋଜିକାଙ୍କ ବାବଦରେ ଖୋଳତାଡ କରିଥିଲେ ରବିକୁମାରଙ୍କ ପରିବାର। ଏହାପରେ ଜାଣିବାକୁ ପାଇଥିଲେ ଯେ  ଅଭିନେତ୍ରୀ ବିବାହ ଲାଗି ଆଗ୍ରହୀ ନୁହନ୍ତି । ବିବାହ ପ୍ରସ୍ତାବକୁ ଖଣ୍ଡନ କରିବା ପରେ ଉପହାର ସ୍ୱରୁପ ତାଙ୍କୁ ଦେଇଥିବା ଟଙ୍କା, ସୁନା ଚେନ ଓ ଲାପଟପ୍ ଫେରସ୍ତ ମାଗିଛନ୍ତି ରବିକୁମାର । ହେଲେ ଏସବୁ ଫେରାଇବା ବଦଳରେ ଅଭିନେତ୍ରୀ ତାଙ୍କୁ ପ୍ରତାରଣା କରିଥିବା ଓଡ଼ିଶା ପୁଲିସକୁ ଜଣାଇଛନ୍ତି ବିଶାଖାପାଟଣାର ଯୁବକ ରବିକୁମାର । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ । ସେ କହିଛନ୍ତି, ବନ୍ଧୁତାକୁ ଏଭଳି ଭାବେ ଚିତ୍ରିତ କରି ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ରବିକୁମାର।

ସମ୍ବନ୍ଧିତ ଖବର