ଶେଷନିଦ୍ରାରେ ମଲାଜହ୍ନର ‘ସତୀ’

ପ୍ରଖ୍ୟାତ ଅଭିନେତ୍ରୀ ଝରଣା ଦାସ ଆଉ ନାହାନ୍ତି

କଟକ : ସେ ଥିଲେ କୋକିଳକଣ୍ଠୀ। ନୃତ୍ୟରେ ନିପୁଣ ଆଉ ଅଭିନୟରେ ଅଦ୍ବିତୀୟ। ଶିକ୍ଷାଦୀକ୍ଷାରେ ଧୁରନ୍ଧର ଆଉ ସାମାଜିକ ସଂପର୍କ ସ୍ଥାପନରେ ବିଚକ୍ଷଣ। ଓଡ଼ିଆ ଚଳଚ୍ଚିତ୍ର‌ ଜଗତରେ ଅମଡ଼ା ବାଟର ପଥିକ ହୋଇ ଅନ୍ୟମାନଙ୍କୁ ବାଟ କଢାଇ ଥିବା ବିଶିଷ୍ଟ ଅଭ‌ିନେତ୍ରୀ ଝରଣା ଦାସ ଆଉ ନାହାନ୍ତି।

ଗୁରୁବାର ରାତି ୨ଟା ୩୦ ମିନିଟ୍‌ରେ ମା କଟକ ଚଣ୍ଡୀମନ୍ଦିର ପାଖ ଖ୍ରୀଷ୍ଟିଆନସାହି ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା।

ଗୁରୁବାର ରାତିରେ ସେ ସ୍ବାଭାବିକ ଭାବେ ଖାଇପିଇ ଶୋଇଥିଲେ। ରାତି ୨ଟାରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ପକ୍ଷରୁ ତାଙ୍କୁ ଡାକ୍ତରଖାନାକୁ ନେବାକୁ ପ୍ରସ୍ତୁ୍ତି ଚାଲିଥିବା ବେଳେ ତାଙ୍କର ମୁତ୍ୟୁ ଘଟିଥିଲା। ଅନ୍ତିମ ଶଯ୍ୟା ନିକଟରେ ଝିଅ ପ୍ରଜ୍ଞା ଦାସ, ପୁଅ ସଞ୍ଜିବ ଦାସଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ପରଲୋକ ଖବର ପ୍ରସାରିତ ହେବାପରେ ବହୁ ଶୁଭେଚ୍ଛୁ, ବନ୍ଧୁବାନ୍ଧବଙ୍କ ତାଙ୍କ ଖ୍ରୀଷ୍ଟିଆନସାହି ଘରକୁ ସୁଅ ଛୁଟିଥିଲା। ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ଅଲିମ୍ପିକ୍ ସଂଘ ସଂପାଦକ ଆଶୀର୍ବାଦ ବେହେରା, କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣୀ ଦେବୀ, ଅଭିନେତ୍ରୀ ଈଶା ବେବର୍ତ୍ତା, କଣ୍ଠଶିଳ୍ପୀ ଗୀତା ଦାସ, ଅଭିନେତା ଶ୍ରୀତମ ଦାସ, ଅଭିନେତ୍ରୀ ପିଙ୍କି ପ୍ରଧାନ, କର୍ପୋରେଟର ମୋନାଲିସା ଦାସ, କ୍ୟୁରେଶା ନୁର୍ ପ୍ରମୁଖ ବହୁ ବିଶି‌ଷ୍ଟ ବ୍ୟକ୍ତି ତାଙ୍କ ‌ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଫିଲିପାଇନ୍‌ସରେ ରହୁଥିବା ତାଙ୍କ ବଡ଼ପୁଅ ଚିରଞ୍ଜିତ୍‌ ଦାସ ପହଞ୍ଚିବା ପରେ ଆଜି ଅପରାହ୍ନରେ ଗୋରାକବରଠାରେ (ଚର୍ଚ୍ଚ ଅଫ୍ ଗଡ୍‌)ରେ ରାଷ୍ଟ୍ରୀୟମର୍ଯ୍ୟାଦା ସହିତ ତାଙ୍କୁ କବର ଦିଆଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଝରଣାଙ୍କ ସ୍ବାମୀ ଦୀପକ ଦାସଙ୍କର ୨୦୧୭ରେ ପରଲୋକ ହୋଇଥିଲା।

୧୯୪୦, ନଭେମ୍ବର ୨୧ରେ କଟକର ଚଣ୍ଡୀମନ୍ଦିର ପାଖ ଖ୍ରୀଷ୍ଟିୟାନ ସାହିରେ ଝରଣା ଦାସ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଏଡ୍‌ବିନ୍ ସୁକୁମାର ଦାସ ଥିଲେ ସ୍କୁଲ ଶିକ୍ଷକ ଓ ମା’ ଚାରୁପ୍ରଭା ଦାସ ଥିଲେ ବିଡିଓ। ବାପାମାଙ୍କ ୩ ପୁଅ ଓ ୨ଝିଅଙ୍କ ମଧ୍ୟରୁ ଝରଣା ଥିଲେ ଦ୍ବିତୀୟ ସନ୍ତାନ। ବକ୍‌ଲୀ ବାଳିକା ହାଇସ୍କୁଲରୁ ସ୍କୁଲ ଶିକ୍ଷା ପରେ ଝରଣା ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପରେ ଘରୋଇ ଭା‌ବେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ମଧୁର କଣ୍ଠସ୍ବର, ସୁନ୍ଦର ଚେ‌ହେରା ଓ ଓଡ଼ିଶୀ ନୃତ୍ୟରେ ନିପୁଣତା ପାଇଁ ଝରଣା ପିଲାଦିନରୁ ଅଭିନୟ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ଶିଶୁକଳାକାର ଭାବେ ଅଲ୍‌ ଇଣ୍ଡିଆ ରେଡିଓରେ ବୃ୍ତ୍ତିଗତ ଜୀବନ ଆରମ୍ଭ କରିଥିଲେ। ରେଡିଓରେ ପରିବେଷିତ ନାଟକ ‘ଦୃଷ୍ଟି’ ତାଙ୍କୁ ବେଶ୍ ଲୋକପ୍ରିୟତା ଦେଇଥିଲା। ରେଡିଓ ପରେ ମଞ୍ଚ ଓ ଦୂରଦର୍ଶନରେ ଅଭିନୟ କରିଥିଲେ। ପରେ ଦୂରଦର୍ଶନରେ ଚାକିରି ଜୀବନ ଆରମ୍ଭ କରି କୋଲକାତା ଦୂରଦର୍ଶନ କେନ୍ଦ୍ରର କେନ୍ଦ୍ର ନିର୍ଦ୍ଦେଶକ ଭାବେ ସେ ବୃତ୍ତିଗତ ଜୀବନରୁ ଅବସର ନେଇଥିଲେ। ଦୂରଦର୍ଶନରେ କାର୍ଯ୍ୟ କରିବା ସହିତ ଓଡ଼ିଆ ସିନେମାରେ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। ଏହି ସମୟରେ ବିଶିଷ୍ଟ କ୍ୟାମେରା ମ୍ୟାନ୍ ଦୀପକ ଦାସଙ୍କ ସହିତ ଝରଣାଙ୍କ ବିବାହ ହୋଇଥିଲା। ‘ମଲାଜହ୍ନ’ରେ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଝରଣା ଦାସ ଅମଡାବଟ, ଅଭିନେତ୍ରୀ ଶ୍ରୀଜଗନ୍ନାଥ, ଅଦିନ ମେଘ, ନାରୀ, ହୀରାଲିଳା ଭଳି ୨୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଶାର ଘରେ ଘରେ ଲୋକପ୍ରିୟତା ଅର୍ଜନ କରିଥିଲେ। କିନ୍ତୁ ମଲାଜହ୍ନରେ ‘ସତୀ’ ଚରିତ୍ରରେ ତାଙ୍କର ଅଭିନୟ ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା।

ଜୀବନବ୍ୟାପୀ ଅଭି‌ନୟ ପାଇଁ ୨୦୦୧‌‌ରେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଓଡ଼ିଶା ସୋସାଇଟି ଅଫ ଆମେରିକା ପକ୍ଷରୁ ସମ୍ମାନ, ଭଞ୍ଜ କଲ୍‌ଚାରଲ୍‌ ଟ୍ରଷ୍ଟ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ୨୦୦୫ରେ ବୈଷ୍ଣବ ପାଣି କଳା ସମ୍ମାନ, କଳା ସଂସ୍କୃତି ପାଇଁ ୨୦୦୬ରେ ଗୀତାଞ୍ଜଳି ସମ୍ମାନ, ୨୦୧୬ରେ ମନ୍ଥନ ସମ୍ମାନ, ଶୈଳବାଳା ମହିଳା ମହାବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ସମ୍ମାନ, କନକ ମଞ୍ଜରୀ ଅନୁଷ୍ଠାନ ପକ୍ଷରୁ ୨୦୧୫ରେ ଭୂମିକନ୍ୟା ସମ୍ମାନ, ରାଜ୍ୟ ଚଳଚ୍ଚିତ୍ର ସମ୍ମାନ, ୨୦୧୩ରେ ଆକାଶବାଣୀ କଟକ କେନ୍ଦ୍ରରୁ ଅନ୍‌ମୋଲ୍‌ ଜୀବନବ୍ୟାପୀ ସାଧନା ସମ୍ମାନ ଭଳି ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ଝରଣା ଦାସଙ୍କ ବିୟୋଗରେ ରା‌ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ‌କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର