ଅଭିନେତ୍ରୀ କୁଞ୍ଜଲତା ଶଯ୍ୟାଶାୟୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବାଲେଶ୍ୱର : ୩୦ ବର୍ଷରୁ ଅଧିକ ସମୟ ଧରି ନାଟକ, ଯାତ୍ରା, ସିନେମା ଜଗତରେ ନିଜ ଅଭିନୟ ଯାଦୁରେ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ହେଲେ, ପରିଣତ ବୟସରେ ଏହି ବର୍ଷୀୟାନ କଳାକାର ଆଜି ଜୀବନ ସହ ସଂଘର୍ଷ କରୁଛନ୍ତି। ସେ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍‌ କାଣ୍ଡଗରଡ଼ି ଗ୍ରାମର କୁଞ୍ଜଲତା ଦାସ (୭୯)।

ଜିଲ୍ଲାର ପ୍ରଥମ ମହିଳା ଅଭିନେତ୍ରୀ ଭାବେ କୁଞ୍ଜଲତା ଅନ୍ନପୂର୍ଣ୍ଣା ଥିଏଟରରୁ ନିଜର କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ। ୭୦ରୁ ୮୦ ଦଶକ ମଧ୍ୟରେ ଯେଉଁ କେତୋଟି ମନଛୁଆଁ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ସେଥିରେ ଅଭିନୟ କରି ଢେର ପ୍ରଶଂସା ସାଉଁଟିଥିଲେ। ତଅପୋଇ, ଘରସଂସାର, ହୀରାମୋତି ମାଣିକ, ଫୁଲଚନ୍ଦନ, ଗୃହଲକ୍ଷ୍ମୀ, ମାନିନୀ, କଣ୍ଢେଇ ଆଦି ୧୫ରୁ ଅଧିକ ସିନେମାରେ ସେ ଉଚ୍ଚକୋଟୀର ଅଭିନୟ କରିଥିଲେ। ସେହିପରି ବାଡ଼ୁଅ ଝିଅ, ଲକ୍ଷେ ହୀରା, ପଦ୍ମବୀଣା, କଂସାକବାଟ, ଚଣ୍ଡାଲୁଣୀ, ସାଗର ତୀରେ ଆଦି ୫୦ରୁ ଅଧିକ ନାଟକରେ ସେ ଅଭିନୟ କରିଥିଲେ। ଯାତ୍ରା ଜଗତରେ ବି ତାଙ୍କର ବେଶ ଆଧିପତ୍ୟ ରହିଥିଲା। ଗୋଟିଏ ସମୟରେ କୋଣାର୍କ, ସାତଶଙ୍ଖ ଅପେରାରେ ସେ ଥିଲେ ମୁଖ୍ୟ ଚରିତ୍ର ଅଭିନେତ୍ରୀ। ତାଙ୍କର ଲୋକପ୍ରିୟ ଯାତ୍ରା ଭିତରେ ‘ମୁଁ କେନ୍ଦ୍ରାପଡ଼ାର ଝିଅ, ‘ମେଘ ପାଲିଙ୍କି’ ଅନ୍ୟତମ।

ଅସୁସ୍ଥତା କାରଣରୁ ୧୯୯୨ ମସିହାରୁ ସେ ଅଭିନୟରୁ ସନ୍ୟାସ ନେଇଛନ୍ତି। କୁଞ୍ଜଲତା ପରିବାର କହିଲେ ସ୍ବାମୀ ଓ ଦୁଇପୁଅ। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ପରିବାର ଏବେ ଘୋର ଦୁର୍ଦ୍ଦିନରେ ଗତି କରୁଛନ୍ତି। ସରକାରୀ ସହାୟତା କହିଲେ ମାତ୍ର ୧୨ ଶହ ଟଙ୍କା କଳାକାର ଭତ୍ତା। ଯାହା ସମୁଦ୍ରକୁ ଶଙ୍ଖେ। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୮ ଶହ ଟଙ୍କା କଳାକାର ଭତ୍ତା ମିଳୁଥିଲା। ବର୍ଷେ ହେଲା ତାହା ବି ବନ୍ଦ ହୋଇଯାଇଛି। ବାରମ୍ବାର ଗୁହାରି ପରେ ବି ନିରାଶ ହୋଇଛନ୍ତି ସେ। ଦିନକୁ ଦିନ ପରିବାର ବୋଝ ସମ୍ଭାଳିବା କଷ୍ଟକର ହୋଇ ପଡ଼ିଲାଣି ବୋଲି କୁଞ୍ଜଲତା ଓ ତାଙ୍କ ସ୍ବାମୀ ଶ୍ରୀମନ୍ତ କୋହଭରା କଣ୍ଠରେ କହିଛନ୍ତି।

ସମ୍ବନ୍ଧିତ ଖବର