ଭୁବନେଶ୍ବର: ଦୁର୍ଘଟଣାର ଶିକାର ହୋଇ ଅଳ୍ପକେ ବର୍ତ୍ତିଗଲେ ଅଭିନେତ୍ରୀ । ରାଜଧାନୀ ଭୁବନେଶ୍ୱରରେ ଅଳ୍ପକେ ବଞ୍ଚିଗଲେ ଅଭିନେତ୍ରୀ ଲୁମରୈନା ଶତପଥୀ । ଗାଈକୁ ବଞ୍ଚେଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ । ତେବେ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ମୁହଁରେ ଆଘାତ ଲାଗି ଖଣ୍ଡିଆ ହୋଇଯାଇଥିବା ବେଳେ ନାକରୁ ରକ୍ତ ବାହାରିଥିବା ସେ ଏକ ଭିଡିଓରେ କହିଛନ୍ତି ।
ତେବେ ଗତକାଲି ଭୁବନେଶ୍ୱର ପଟିଆ ଛକରେ ଏହି ଦୁର୍ଘଟଣା ଘଟି ତାଙ୍କର କାରଟି ଭାଙ୍ଗି ଯାଇଛି। ରାସ୍ତାରେ ବୁଲା ଗାଈ ଗୋରୁ ଥିବାରୁ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ଗାଡି ଅନ୍ୟ ଦିଗରେ ଚଲାଇ ନେବାକୁ ଦୁର୍ଘଟଣାଟି ଘଟିଛି । ତାଙ୍କ କାରଟି ଡିଭାଇଡର ଡେଇଁ ଏକ ଗଛରେ ପିଟିହେବା କାରଣରୁ ଏହି ଦୁର୍ଘଟଣା ହୋଇଛି ।
ସେପଟେ ଅଭିନେତ୍ରୀ ଆହତ ହୋଇଥିବା ବେଳେ ଗାଈଗୋରୁ କିନ୍ତୁ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦୁର୍ଘଟଣା ପରେ ଏକ ଭିଡିଓ ଜାରି କରି ରାସ୍ତାରୁ ବୁଲା ଗାଈ ଗୋରୁଙ୍କୁ ହଟାଇ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଅଭିନେତ୍ରୀ ।ପୂର୍ବରୁ ରାସ୍ତାରେ ବୁଲା ଗାଈ ଗୋରୁଙ୍କ ପାଇଁ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାକୁ ରୋକିବା ନେଇ ପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ସେ ଏହାର ତୁରନ୍ତ ସମାଧାନ କରିବାକୁ ଅପିଲ କରିଛନ୍ତି ।