ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା : ଫେରାର ଶାଶୂ, ଶ୍ବଶୁରଙ୍କ ନାଁରେ ଜାରି ହେଲା ଲଟ୍‌କା

କଟକ : ଅଭିନେତ୍ରୀ ନିକିତା (ଲକ୍ଷ୍ମୀପ୍ରିୟା ବେହେରା)ଙ୍କ ଶାଶୂ ଘରେ ଲଟ୍‌କା ଝୁଲାଇଛି କମିସନରେଟ ପୁଲିସ୍‌। ବାରମ୍ବାର ନୋଟିସ୍ ସତ୍ତ୍ବେ ନିକିତାଙ୍କ ଶାଶୂ ଓ ଶ୍ବଶୁର ଥାନାରେ ହାଜର ହେଉ ନଥିବାରୁ ପୁଲିସ ଏଭଳି ପଦକ୍ଷେପ ନେଇଛିି। ନିକିତାଙ୍କ ମୃତ୍ୟୁ ପରଠାରୁ ତାଙ୍କର ଶାଶୂ କୁନ୍ତଳା ସାହୁ ଏବ˚ ଶ୍ବଶୁର ଲିଙ୍ଗରାଜ ସାହୁଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ନୋଟିସ୍‌ କରାଯାଇଥିଲା। କିନ୍ତୁ କେହି ହାଜର ନହେବାରୁ ଚାଉଳିଆଗଞ୍ଜ ପୁଲିସ୍‌ ଆଜି ସଦର ଥାନା ଅନ୍ତର୍ଗତ ଗୋପାଳପୁର ସ୍ଥିତ ତାଙ୍କ ଘରେ ଲଟକା ଲଗାଇଛି। ୧୯ ତାରିଖ ଦିନ ୧୧ଟା ସୁଦ୍ଧା ଥାନାରେ ହାଜର ହେବାକୁ ଲଟ୍‌କାରେ ଜଣାଇ ଦିଆଯାଇଛି। ଗତ ୪ ତାରିଖ ରାତିରେ ନିକିତା ଓ ତାଙ୍କ ସ୍ବାମୀ ଲିପନ ସାହୁଙ୍କ ମଧ୍ୟରେ ପାଟିତୁଣ୍ତ ହେବା ସମୟରେ ଠେଲାପେଲା ହୋଇଥିଲା। ଏଥିରେ ନିକିତା ମହାନଦୀବିହାର ସ୍ଥିତ ତାଙ୍କ ବାପଘର ଛାତରୁ ଖସିପଡି ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ମୃତ ନିକିତାଙ୍କ ବାପା ସନାତନ ବେହେରା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ‌େନଇ ଥାନାରେ ଅଭିଯୋଗ କରିଥିଲେ। ତେବେ ନିକିତା ମୃତ୍ୟୁ ଘଟଣାରେ ଲିପନଙ୍କ ବାପା, ମା’ଙ୍କ ବିରୋଧରେ ଘରୋଇ ହି˚ସା ନେଇ ଅନ୍ୟ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତରେ ସହଯୋଗ କରିବା ପାଇଁ ଥାନାରେ ହାଜର ହେବାକୁ ଚାଉଳିଆଗଞ୍ଜ ଥାନା ପକ୍ଷରୁ କୁନ୍ତଳା ଓ ଲିଙ୍କରାଜଙ୍କୁ ନୋଟିସ କରାଯାଇଥିଲା। ବାରମ୍ବାର ନୋଟିସ ସତ୍ତ୍ବେ ସେମାନେ ଥାନାରେ ହାଜର ହୋଇନଥିଲେ। ପରେ ଗୋପାଳପୁର ସ୍ଥିତ ଲିପନଙ୍କ ଘରେ ପୁଲିସ ଚଢଉ କରିବା ପରେ ଲିଙ୍ଗରାଜ ଓ କୁନ୍ତଳା ଘଟଣା ପରଠୁ ଫେରାର ଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର