ବାଇ-ଲ’କୁ ନେଇ ବିସ୍ଫୋରକ ପରିସ୍ଥିତି

ବିକାଶ ଅଟକିବ, ମହାପ୍ରଭୁଙ୍କ ନୀତିକାନ୍ତି ବି ପ୍ରଭାବିତ ହୋଇପାରେ

ବାଇ-ଲ’ ପ୍ରତ୍ୟାହାର ଲାଗି କେନ୍ଦ୍ରକୁ କଡ଼ା ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ
‘କେହି ଭୁଲନ୍ତୁନି ମହାପ୍ରଭୁ ସ୍ବୟଂ ବିରାଜମାନ କରୁଛନ୍ତି’
ବ୍ରହ୍ମେଶ୍ବର ମନ୍ଦିର ପାଇଁ ଦେବୋତ୍ତର କମିସନର ବି ଯୁକ୍ତି ରଖିଲେ

ଭୁବନେଶ୍ବର/ପୁରୀ : ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନଏମଏ) ଶ୍ରୀମନ୍ଦିର ଉପରେ ପ୍ରସ୍ତୁତ କରିଥିବା ଐତିହ୍ୟ ବାଇ-ଲ’କୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଏ ଏହାକୁ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବିରୋଧରେ ଷଡ଼୍‌ଯନ୍ତ୍ର ବୋଲି ବର୍ଣ୍ଣନା କରିଥିବା ବେଳେ ଆଉ କିଏ କେନ୍ଦ୍ର ସରକାରଙ୍କୁ କଳାପାହାଡ଼ ବୋଲି ଚିତ୍ରଣ କରିବାକୁ ପଛାଇ ନାହାନ୍ତି। ପୁରୀରେ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗୋଟିଏ ଗୋଷ୍ଠୀ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯିବା ପାଇଁ ଧମକ ଦେଇଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଧମକ ଦେଇଛନ୍ତି ଯେ ନିଷ୍ପତ୍ତିର ପୁନର୍ବିଚାର ନ ହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ।

ସବୁଠାରୁ ବଡ଼ କଥା ହେଉଛି, ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ଦେବୋତ୍ତର କମିସନ ଏହା ବିରୋଧରେ ଏକାଠି ଚିହିଁକି ଉଠିଛନ୍ତି। ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ସଦସ୍ୟ ସଚିବଙ୍କୁ ଚିଠି ଲେଖି ତୁରନ୍ତ ପ୍ରସ୍ତାବିତ ଐତିହ୍ୟ ବାଇ-ଲକୁ ପ୍ରତ୍ୟାହାର କରିବା ଲାଗି ଜଣାଇଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ, ପୁରୀ ପୌରସଂସ୍ଥା ଓ ପିକେଡିଏ ଶନିବାର ବୈଠକ କରିଥିଲେ। ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏକ କଡ଼ା ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ପ୍ରସ୍ତାବିତ ଏହି ଐତିହ୍ୟ ବାଇ-ଲ’ ଦ୍ବାରା କେବଳ ଯେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅଟକିଯିବ ତା’ ନୁହେଁ, ଶ୍ରୀମନ୍ଦିର ଚାରିପାଖରେ ବସବାସ କରୁଥିବା ସେବାୟତ ପରିବାର ପ୍ରଭାବିତ ହେବେ। ସାଂଘାତିକ କଥା ହେଲା, ସେବାୟତ ପ୍ରଭାବିତ ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ବି ଅଟକିଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ଏହାର ଗୁରୁତ୍ବକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ବାଇ-ଲ’କୁ ପ୍ରତ୍ୟାହାର କରାଯାଉ ବୋଲି ସେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ଏଭଳି ବାଇ-ଲ ପ୍ରସ୍ତୁତ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତଙ୍କ ସହ ଆଲୋଚନାର ଆବଶ୍ୟକତା ରହିଥିଲା ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ପ୍ରତ୍ନତତ୍ତ୍ବ ବିଭାଗ ସହ ଯେଉଁ ଚୁକ୍ତିପତ୍ର ସ୍ବାକ୍ଷର ହୋଇଥିଲା ତାହାର ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ମନେ ପକାଇ ଦେଇଛି। ଶ୍ରୀ କୁମାର ଚିଠିରେ ଉଲ୍ଲେଖ କରିଛନ୍ତି କି କୋଟି କୋଟି ଓଡ଼ିଆ ତଥା ସାରା ବିଶ୍ବରେ ରହୁଥିବା ହିନ୍ଦୁଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ମୂଳପୀଠ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଦାରୁବ୍ରହ୍ମ ଭାବେ ପ୍ରତ୍ୟେକ୍ଷ ପୂଜା ପାଉଛନ୍ତି। ଏହା ଐତିହ୍ୟ କୀର୍ତ୍ତିରାଜି ନୁହେଁ। ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି କୋଟି ହିନ୍ଦୁଙ୍କ ଧର୍ମ, ବିଶ୍ବାସର ପ୍ରତୀକ। କୌଣସି ପଦକ୍ଷେପ ନେବା ପୂର୍ବରୁ ଏ ଦିଗ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

କେନ୍ଦ୍ର ସରକାର ଜାଣି ରଖିବା ଉଚିତ୍ ଯେ ଶ୍ରୀମନ୍ଦିର ସହ ଶ୍ରୀଜଗନ୍ନାଥଙ୍କ ନାଁରେ ରହିଥିବା ସମସ୍ତ ଜମିର ମାଲିକ ନିଜେ ଶ୍ରୀଜଗନ୍ନାଥ ମହାପ୍ରଭୁ ଅଟନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଆଇନ ବଳରେ ଶ୍ରୀମନ୍ଦିର ପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରାଯାଇଛି। ଶ୍ରୀମନ୍ଦିରର ଐତିହ୍ୟପୂର୍ଣ୍ଣ କାରୁକାର୍ଯ୍ୟର ସୁରକ୍ଷାକୁ ଆଖି ଆଗରେ ୧୯୭୯ ମସିହା ଅଗଷ୍ଟ ୨୨ରେ ଶ୍ରୀମନ୍ଦିର ପରିଚାଳନା କମିଟି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ସହ ଏକ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ଯେଉଁଥିରେ ପ୍ରତ୍ନତତ୍ତ୍ବ ବିଭାଗର ଦାୟିତ୍ବ କ’ଣ ସ୍ପଷ୍ଟ ଉଲ୍ଲେଖ ରହିଛି। ଏଥିରେ ଅନେକ କ୍ଷେତ୍ରରେ ପ୍ରତ୍ନତତ୍ତ୍ବ ବିଭାଗ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରଶାସନ କହିଛି ଯେ ଚାରିଧାମ ଭିତରେ ଶ୍ରୀମନ୍ଦିର ଅନ୍ୟତମ ହୋଇଥିବାରୁ ସେ ସମୟରେ ଏ ଦିଗକୁ ବିଚାରକୁ ନିଆଯାଇ ପ୍ରତ୍ନତତ୍ତ୍ବ ବିଭାଗକୁ ଦାୟିତ୍ବ ଅର୍ପଣ କରାଯାଇଥିଲା।

ଶ୍ରୀମନ୍ଦିର ଚାରିପାଖରେ ଶହ ଶହ ବର୍ଷ ଧରି ସେବାୟତ ପରିବାରଙ୍କୁ ନେଇ ଅନେକ ସାହି ଗଢ଼ି ଉଠିଛି। ଏମାନେ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ନିସ୍ବାର୍ଥପର ସେବା କରି ଆସୁଛନ୍ତି। ଯେଉଁ ନୂଆ ବାଇ-ଲ’ ପ୍ରସ୍ତୁତ ହୋଇଛି, ତାହା ଦ୍ବାରା ଏହି ସେବାୟତ ପରିବାର ମାତ୍ରାଧିକ ପ୍ରଭାବିତ ହେବେ। ଏଭଳି ବାଇ-ଲ’ ପ୍ରସ୍ତୁତ ପୂର୍ବରୁ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଥିଲା। ଯଦି ଏହି ଉପନିୟମ ଲାଗୁ ହୁଏ, ଶ୍ରୀମନ୍ଦିର ଉପରେ ଏହାର ପ୍ରଭାବ ପଡ଼ିବ, ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବ।

ଡ. କ୍ରିଷନ୍ କୁମାର ଚିଠିରେ ଦର୍ଶାଇଛନ୍ତି ଯେ ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଭକ୍ତମାନେ କିପରି ଶୃଙ୍ଖଳିତ ଦର୍ଶନ କରି ଫେରିବ, ତାହା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁ ଦାୟିତ୍ବ। ଏପରିକି ଛୁଟି ଦିନ ଅବା କୌଣସି ପର୍ବପର୍ବାଣିରେ ଭକ୍ତଙ୍କ ସଂଖ୍ୟା ଲକ୍ଷେ ଡେଇଁଯାଉଛି। ନିକଟରେ ରାଜ୍ୟ ସରକାର ଶ୍ରୀମନ୍ଦିରର ସୁରକ୍ଷା ତଥା ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ ଅନୁମୋଦନ କରିବା ସହ ଏଥିପାଇଁ ଜମି ଅଧିଗ୍ରହଣ କାମ ଶେଷ କରିଛନ୍ତି। ଏହି ପ୍ରକଳ୍ପରେ ଭକ୍ତଙ୍କ ସୁବିଧାକୁ ବି ଗୁରୁତ୍ବ ଦିଆଯାଇଛି। ପିଇବା ପାଣି, ଶୌଚାଳୟ, ଧାଡ଼ି ଦର୍ଶନ ଆଦିର ବ୍ୟବସ୍ଥା କରାଯାଉଛି। ମହାପ୍ରଭୁଙ୍କ ପାଇଁ ଅନେକ ବ୍ୟକ୍ତି ସ୍ବେଚ୍ଛାକୃତ ଜମି ଦାନ କରିଛନ୍ତି। ଏହି ପ୍ରକଳ୍ପ ମହାପ୍ରଭୁଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଭାବନା ସହ ଜଡ଼ିତ ଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ଭବ ହୋଇପାରିଛି। ପ୍ରକଳ୍ପର ନକ୍ସା ଅନୁମୋଦନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୧୫ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ପରେ ଏହି ପ୍ରକଳ୍ପ ନକ୍ସା ଅନୁମୋଦନ ଲାଭ କରିବ। ଏଭଳି ପରିସ୍ଥିତିରେ ସେବାୟତ ତଥା ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟି ରଖି ଏହି ବାଇ-ଲର ଚିଠା ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେବାକୁ ଶ୍ରୀ କୁମାର ନିବେଦନ କରିଛନ୍ତି।

ଦେବୋତ୍ତର କମିସନର ସି ଆର୍ ମହାପାତ୍ର ଦର୍ଶାଇଛନ୍ତି ଯେ ଭୁବନେଶ୍ବର ବ୍ରହ୍ମେଶ୍ବର ମନ୍ଦିରର ଧାର୍ମିକ ଗୁରୁତ୍ବ ରହିଛି। ଏହି ମନ୍ଦିର ଚାରିପଟେ ଅନେକ ସାହି ଗଢ଼ିଉଠିଛି, ଯେଉଁଥିରେ ସେବକ ଓ ସାଧାରଣ ବ୍ୟକ୍ତିବିଶେଷ ରହିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଏହି ବିଜ୍ଞପ୍ତି ସେମାନଙ୍କ ଉପରେ ଗଭୀର ଭାବେ ପ୍ରଭାବ ପକାଇବ। ଏଭଳି ଉଦ୍ୟମ କରିବା ପୂର୍ବରୁ କାହିଁକି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ଆଲୋଚନା କଲେ ନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ଦେବୋତ୍ତର କମିସନର ଆହୁରି କହିଛନ୍ତି, ରାଜ୍ୟ ସରକାର ଏକାମ୍ର ବିକାଶ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ବ୍ରହ୍ମେଶ୍ବର ମନ୍ଦିର ବି ସାମିଲ ହେବ। ଏଣୁ ଏଭଳି ଏକ ବାଇ-ଲ ଏସବୁକୁ ପ୍ରଭାବିତ କରିବ।

ସମ୍ବନ୍ଧିତ ଖବର