ବଲାଙ୍ଗୀର/ଗାଈସିଲାଟ୍‌: ଗନ୍ଧମାର୍ଦ୍ଦନ ପାହାଡ଼ ପାଦ ତଳେ ଆଦାନୀ କମ୍ପାନି ୧୮ ଏକର ଜମି କିଣିବା ଘଟଣାକୁ ନେଇ ବାଦବିବାଦ ଲାଗିଛି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଚାଲିଥିବାବେଳେ ଏବେ ପୁଣି ଏକ ଜମିକିଣା ମାମଲା ସାମନାକୁ ଆସିଛି। ଆଦାନୀ କମ୍ପାନି ବଲାଙ୍ଗୀର ଓ ବରଗଡ଼ ସୀମା ଉପରେ ଆଖି ପକାଇଥିବା ଜଣାପଡ଼ୁଛି। ବଲାଙ୍ଗୀର ଜିଲ୍ଲା ସଂଲଗ୍ନ ଗାଈସିଲାଟ୍‌ ବ୍ଲକ୍‌ କଟାବାହାଲ ପଞ୍ଚାୟତ ଯୁବାଖୋଲ ଗାଁରେ କମ୍ପାନି ୨୩ ଏକର ଜମି କିଣିଛି। ହସ୍ତଗତ ଦସ୍ତାବିଜ୍‌ ଅନୁସାରେ, ଗତ ସେପ୍ଟେମ୍ବର ୨ ତାରିଖ ଦିନ କମ୍ପାନି ନାମରେ ଜମି ରେଜେଷ୍ଟ୍ରି ହୋଇଛି। ଉକ୍ତ ଅଞ୍ଚଳର ୩ ଜଣ ଚାଷୀଙ୍କଠାରୁ ଏସବୁ ଜମି କିଣାଯାଇଛି। ତେବେ, କଥା ହେଲା ଜମି କିଣାଯାଇଥିବା ସ୍ଥାନ ପାଖରେ ରହିଛି ଯୁବାଖୋଲ୍‌ ପାହାଡ଼। ଯାହାର କିଛି କି‌ଲୋମିଟର ପ‌ରେ ଗନ୍ଧମାର୍ଦ୍ଦନ ପାହାଡ଼ ଆରମ୍ଭ ହେଉଛି। ଯୁବାଖୋଲ ପାହାଡ଼ ସହ ଗନ୍ଧମାର୍ଦ୍ଦନ ଉପରେ ଆଦାନୀ ଆଖି ପକାଇଲାଣି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

Advertisment

୨ ମାସ ତଳେ କମ୍ପାନି କିଣିଛି ୨୩ ଏକର ଜମି 

ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ଖପ୍ରାଖୋଲ ବ୍ଲକ୍‌ରେ ଆଦାନୀର ଜମିକିଣା ଚର୍ଚ୍ଚା କ୍ରମଶଃ ବିବାଦୀୟ ରୂପ ନେଉଛି। ଏଭଳି ସ୍ଥିତିରେ, ବଲାଙ୍ଗୀର ଜିଲ୍ଲା ସଂଲଗ୍ନ ବରଗଡ଼ ଜିଲ୍ଲା ଗାଈସିଲାଟ୍‌ ବ୍ଲକ୍‌ରେ ଆଦାନୀ ଜମି କିଣିବା ଘଟଣା ସାମନାକୁ ଆସିଛି। ଗାଈସିଲାଟ୍‌ ବ୍ଲକ୍‌ ଫିରିଙ୍ଗିମାଲ ପଞ୍ଚାୟତ ଛିନ୍ଦ୍ରାପାଲି, କଠଉମାଲ ପଞ୍ଚାୟତର ସାଇ ଡୁଙ୍ଗୁରିପାଲି ଓ ଗୌରେନମୁଣ୍ଡା ପଞ୍ଚାୟତ ସାଲେପାଲି ଅଞ୍ଚଳରେ କିଛି ମାସ ହେଲା ଡ୍ରୋନ୍‌ ଯୋଗେ ଖଣି ଉପସ୍ଥିତିର ସର୍ଭେ ଚାଲିଥିବା ଜଣାପଡ଼ିଛି। ଉଭୟ ସ୍ଥଳ ଓ ଆକାଶମାର୍ଗରୁ ଏହି ପ୍ରକ୍ରିୟା ଚାଲିଥିବା ସ୍ଥାନୀୟ ଲୋକେ ବି କହୁଛନ୍ତି। ‘ସମ୍ବାଦ’ ହାତରେ ଲାଗିଥିବା ଏକ ଚିଠିରୁ ସର୍ଭେ ପ୍ରକ୍ରିୟା ଚାଲିଥିବା ସ୍ପଷ୍ଟ ହୋଇଛି। ଗତ ଫେବ୍ରୁଆରି ୨୬ ତାରିଖରେ ଏ ସମ୍ପର୍କିତ ଏକ ଚିଠି ବରଗଡ଼ ଜିଲ୍ଲାପାଳଙ୍କ ପାଖକୁ ଯାଇଛି। ଏଥିରେ ମିନେରାଲ୍‌ ଏକ୍ସପ୍ଲୋରେସନ୍‌ ଆଣ୍ଡ କନ୍‌ସଲ୍‌ଟାନ୍ସି ଲିମିଟେଡ୍‌ର ସହକାରୀ ପ୍ରବନ୍ଧକ ଏବଂ ଗାଈସିଲାଟ୍‌ ବ୍ଲକ୍‌ ଫିରିଙ୍ଗିମାଲ୍‌ ସରପଞ୍ଚଙ୍କ ଦସ୍ତଖତ ରହିଛି। ଚିଠିରେ ସାଲେପାଲି, ସାଇ ଡୁଙ୍ଗୁରିପାଲି, ଘୁଚାଡିହି ଗାଁ (ବଲାଙ୍ଗୀର-ବରଗଡ଼ ସୀମା)ରେ ସର୍ଭେ ଚାଲୁଥିବା ଦର୍ଶାଯାଇଛି। ୮୦ ବର୍ଗ କିଲୋମିଟର୍‌ ତାଲଯୁରୀ-ଘୁଞ୍ଚାଡିହି ଅଞ୍ଚଳରେ ସର୍ଭେ ଚାଲୁଥିବା ଏବଂ ଏଥିପାଇଁ କେନ୍ଦ୍ର ଖଣି ମନ୍ତ୍ରଣାଳୟର ଅନୁମତି ଥିବା ଚିଠିରେ ଉଲ୍ଲେଖ ରହିଛି। ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ଏବଂ ଉକ୍ତ ଚିଠି ସର୍ଭେ ପ୍ରକ୍ରିୟାର ଅଗ୍ରଗତି ସତ ବୋଲି ବୟାନ କରୁଛି। ‌ତେଣୁ ଆଦାନୀର ଜମିକିଣା ଏବଂ ସର୍ଭେ ପ୍ରକ୍ରିୟା ଭିତ‌ରେ କିଛି ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ଉଭୟ ବଲାଙ୍ଗୀର-ବରଗଡ଼ ସୀମାନ୍ତବର୍ତ୍ତୀ ଇଲାକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।