ଭକ୍ତ ପାଇଲେ ଆଡ଼ପ ଅବଢ଼ା

ଟୋକନ୍‌ କ‌ାଟିଥିବା ଭକ୍ତଙ୍କୁ ମିଳିବ ବସ୍‌ଷ୍ଟାଣ୍ଡରେ, ଆଜି ହେବ ବନକଲାଗି

ପୁରୀ : ଗତକାଲି ଚତୁର୍ଦ୍ଧାମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିବା ପରେ ଆଜିଠାରୁ ଆଡ଼ପମଣ୍ଡପରେ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଏଥର କରୋନା କଟକଣା ପାଇଁ ଭକ୍ତମାନଙ୍କ ପାଇଁ ଆଡ଼ପ ଦର୍ଶନ ବନ୍ଦ ରହିଛି। ତେବେ ଆଜିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ମିଳିଛି। ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ଭକ୍ତମାନେ ପାଇଛନ୍ତି। ତେବେ ଏଥିପାଇଁ ଯେଉଁ ଭକ୍ତମ‌‌ାନେ ଆଗୁଆ ବରାଦ ଦେଇଥିଲେ ସେମାନଙ୍କୁ ଅବଢ଼ା ମିଳିଛି। ଭକ୍ତଙ୍କୁ ଅବଢ଼ା ଦେବା ପାଇଁ ସୁଆର-ମହାସୁଆର ନିଯୋଗ ଓ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ଯେଉଁ ଭକ୍ତମାନେ ଆଗୁଆ ଟୋକନ୍‌ କାଟିବେ ସେମାନଙ୍କୁ ବସ୍‌ଷ୍ଟାଣ୍ଡରେ ଅବଢ଼ା ଦିଆଯିବ। ବସ୍‌ଷ୍ଟାଣ୍ଡରୁ ଭକ୍ତମାନେ ଏହାକୁ ସଂଗ୍ରହ କରିବେ।

ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ସକାଳ ୫ଟା ୫୭ରେ ଦ୍ବାରପିଟା, ୭ଟା ୬ରେ ମଙ୍ଗଳ ଆଳତି, ୮ଟା ୫ରେ ଅବକାଶ ନୀତି ‌ଅନୁଷ୍ଠିତ ହୋଇଥିଲା। ପରେ ୮ଟା ୫୦ରେ ରୋଷହୋମ, ସୂର୍ଯ୍ୟପୂଜା ୯ଟା ୧୦, ପୂର୍ବାହ୍ଣ ୯ଟା ୩୦ ସୁଦ୍ଧା ବେଶ ଶେଷ ହୋଇ ଗୋପାଳବଲ୍ଲଭ ନୀତି ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ଣ ୧୦ଟା ୨୦ରେ ସକାଳଧୂପ, ୧୨ଟା ୧୦ରେ ଭୋଗମଣ୍ଡପ ଉଠିଥିଲା। ଅପରାହ୍ନ ୧ଟା ୫ରେ ଯାତ୍ରାଙ୍ଗୀ ମହାସ୍ନାନ, ଅପରାହ୍ଣ ୧.୩୦ରେ ଘଣ୍ଟଛତା ସର୍ବାଙ୍ଗ, ଅପରାହ୍ଣ ୧ଟା ୫୦ରେ ନୂଆଲୁଗା ଲାଗି ଓ ବେଶ, ଅପରାହ୍ଣ ୨ଟା ୧୦ରେ ମଧ୍ୟାହ୍ନଧୂପ, ୩ଟା ୩୨ ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହୋଇଥିଲା।

ସନ୍ଧ୍ୟା ୬.୩୦ରେ ସନ୍ଧ୍ୟାଧୂପ ଅନୁଷ୍ଠିତ ହୋଇଥିଲା। ପରେ ମଇଲମ ଓ ଚନ୍ଦନଲାଗି ହୋଇ ରାତି ୧୨ଟା ସୁଦ୍ଧା ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ଏହା ପରେ ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ଅନୁଷ୍ଠିତ ହେବ। ସେହିପରି ଆସନ୍ତା ୨୭ ତାରିଖ‌ରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ।

ପ୍ରତିବର୍ଷ ଆଡ଼ପମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ପରଦିନ ଆଡ଼ପ ଦର୍ଶନ ଆରମ୍ଭ ହୋଇଥାଏ। ବିଶ୍ୱାସ ରହିଛି, ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ। ଯେହେତୁ ମହାପ୍ରଭୁ ଖୁସିରେ ଏହି ଯାତ୍ରା ଆରମ୍ଭ କରିଥାନ୍ତି, ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ଯାହା ମାଗନ୍ତି, ତାହା ମିଳେ। ମାତ୍ର ଚଳିତ ବର୍ଷର କରୋନା କଟକଣା ପାଇଁ ଭକ୍ତମାନଙ୍କ ପାଇଁ ଆଡ଼ପ ଦର୍ଶନ ବନ୍ଦ ରହିଛି।

ସମ୍ବନ୍ଧିତ ଖବର