ପୁରୀ: ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଗତକାଲିଠାରୁ ରଥରୂଢ଼ ହୋଇ ମହାପ୍ରଭୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବା ପରେ ସଂଧ୍ୟାରେ ଆଡ଼ପ ପହଣ୍ଡି ନୀତି ସଂପନ୍ନ ହୋଇଛି। ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଏଥିପାଇଁ ଜନ୍ମବେଦୀ ହୋଇ ଉଠିଛି ଉତ୍ସବମୁଖର । ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିରମୁହାଁ ହୋଇଛନ୍ତି ଶ୍ରଦ୍ଧାଳୁ। ଭକ୍ତଙ୍କ ଆବେଗକୁ ଆଖିରେ ରଖି ଆସନ୍ତାକାଲିଠାରୁ ସକାଳୁ ନୀତିକାନ୍ତି ଶେଷ କରି ଆଡ଼ପ ଦର୍ଶନ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୭ଟାରୁ ସାଢ଼େ ୮ଟା ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି।
ଆଜି ସଂଧ୍ୟାରେ ଦଇତାପତି ଓ ଅନ୍ୟ ସେବକମାନେ ଚତୁର୍ଦ୍ଧାମୂର୍ତିଙ୍କୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରାଇଥିଲେ। ପ୍ରଥମେ ମଦନମୋହନ ଓ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ବର୍ଷା, ମେଘୁଆ ପାଗର ଲୁଚକାଳି ଖେଳ ଭିତରେ ବି ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଭକ୍ତଙ୍କ ଜନସମୁଦ୍ର ଭିତରେ ଚତୁର୍ଦ୍ଧାମୂର୍ତି ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ଆଜି ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ରଥ ଉପରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ରଥ ଉପରେ ମହାପ୍ରଭୁଙ୍କୁ ଶୁଖୁଲି ଭୋଗ ଲାଗି
ହୋଇଥିଲା। ଅପରାହ୍ଣରେ ବିଜେ ପର୍ବ ଆରମ୍ଭ ହୋଇଥିଲା। ପୁଷ୍ପାଞ୍ଜଳି ନୀତି ଶେଷ ପରେ ସଂଧ୍ୟା ୬ଟାରେ ରାମକୃଷ୍ଣ ଓ ମଦନମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ୬ଟା ୨୫ରେ ସୁଦର୍ଶନ ଆଡ଼ପ ମଣ୍ଡପକୁ ବିଜେ କରିବା ପରେ ୬ଟା ୩୫ରେ ବଡ଼ଠାକୁର ବଳଭଦ୍ର, ୭ଟା ୩୫ରେ ମା’ ସୁଭଦ୍ରା ଓ ୮ଟା ୫ ମିନିଟ୍ରେ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ରାତି ୯ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଜେ ପର୍ବ ଶେଷ ହେବା ପରେ ଅନ୍ୟାନ୍ୟ ନୀତି ସଂପନ୍ନ ହୋଇଥିଲା। ବିଶ୍ୱାସ ରହିଛି, ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳେ। ଯେହେତୁ ମହାପ୍ରଭୁ ଖୁସିରେ ଏହି ଯାତ୍ରା ଆରମ୍ଭ କରିଥାନ୍ତି, ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ଯାହା ମାଗେ, ତାହା ମିଳେ। ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଆଡ଼ପ ଦର୍ଶନ ପାଇଁ କାହିଁ କେତେଦୂରରୁ ଦୌଡ଼ି ଆସନ୍ତି। ସେପଟେ ଆସନ୍ତାକାଲିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦବଜାରରେ ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତମାନେ ଚାତକ ଭଳି ଚାହିଁ ବସିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦବଜାରରେ ବର୍ଷକୁ ଥରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଏହି ଅବଢ଼ା ପ୍ରସ୍ତୁତ ହୋଇଥାଏ। ଏଣୁ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ଅବଢ଼ା ଭାଗ୍ୟରେ ଥିଲେ ମିଳେ ବୋଲି ବିଶ୍ୱାସ ରହିଛି। ସ୍ୱାଦ ଦୃଷ୍ଟିରୁ ବି ଆଡ଼ପ ଅବଢ଼ା ଶ୍ରୀମନ୍ଦିର ଅବଢ଼ାଠାରୁ ଭିନ୍ନ।
ଶନିବାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରିଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ସକାଳ ୫ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସାଢ଼େ ୫ଟାରେ ଭିତରଶୋଧ ଓ ୬ଟାରେ ମଙ୍ଗଳଆଳତି ନୀତି ସଂପନ୍ନ ହେବ। ସାଢ଼େ ୬ଟାରେ ମଇଲମ ଓ ତଡ଼ପଲାଗି, ୭ଟାରେ ଅବକାଶ ନୀତି ସଂପନ୍ନ ହେବ। ଏହା ପରେ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରିବେ। ସକାଳ ସାଢ଼େ ୭ରୁ ସାଢ଼େ ୮ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି। ବାକି ସମୟରେ ଭକ୍ତମାନେ ପରିମାଣିକ ଟିକେଟ୍ କାଟି ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସାଧାରଣ ଦର୍ଶନ କିନ୍ତୁ ବାହାରୁ ହେବ। ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳ ୯ଟାରେ ରୋଷହୋମ, ୯ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୯ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ସାଢ଼େ ୧୦ରୁ ୧୨ଟା ମଧ୍ୟରେ ସକାଳଧୂପ, ସାଢ଼େ ୧୨ଟାରୁ ସାଢ଼େ ୧ଟା ଭୋଗମଣ୍ଡପ, ୧ଟା ୪୫ରେ ମଇଲମ, ସାଢ଼େ ୨ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ୩ଟାରେ ଘଣ୍ଟଛତା ସର୍ବାଙ୍ଗ, ସାଢ଼େ ୩ଟାରେ ନୂଆଲୁଗା ଲାଗି ଓ ବେଶ, ସାଢ଼େ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସଂଧ୍ୟା ୫ରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ। ରାତି ୭ଟାରୁ ୮ଟା ମଇଲମ ଓ ବେଶ ସାଢ଼େ ୮ଟାରେ ସଂଧ୍ୟା ଆଳତି, ୯ଟାରୁ ସାଢ଼େ ୧୦ଟା ସଂଧ୍ୟାଧୂପ, ୧୧ଟାରୁ ସାଢ଼େ ୧୧ଟା ମଇଲମ ଓ ଚନ୍ଦନଲାଗି, ସାଢ଼େ ୧୨ଟାରେ ବଡ଼ସିଂହାର ବେଶ, ଗୋଟାଏରେ ବଡ଼ସିଂହାର ଭୋଗ ସଂପନ୍ନ ପରେ ରାତି ସାଢ଼େ ୧ଟାରେ ପହୁଡ଼ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Untitled-41.jpg)