ପୁରୀ : ଭକ୍ତଙ୍କୁ ଦର୍ଶନ ଦେବା ପାଇଁ କପଟ କରି ବଡଦାଣ୍ଡରେ ଅଟକିଥିବା ବିଶ୍ୱନିୟନ୍ତା ଲୀଳାମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଜି ଶରଧାବାଲିରେ ପହଞ୍ଚିଛି। ଗତକାଲି ବଳଗଣ୍ଡି ସ୍କୁଲ ନିକଟରେ ଅଟକିଥିବା ନନ୍ଦିଘୋଷ ରଥକୁ ଆଜି ଭକ୍ତ ଆନନ୍ଦଉଲ୍ଲାସରେ ଟାଣି ନେଇ ପୂର୍ବାହ୍ନ ୧୦ଟା ପୂର୍ବରୁ ଶରଧାବାଲିରେ ପହଞ୍ଚାଇଥିଲେ। ଗତକାଲି ମହାପ୍ରଭୁ ବଳଭ୍ରଦଙ୍କ ତାଳଧ୍ୱଜ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଅପେକ୍ଷା କରି ରହିଥିଲେ। ଆଜି ସମସ୍ତ ତିନି ରଥ ଶରଧାବାଲିରେ ଲାଗିବା ପରେ ହଜାର ହଜାର ଭକ୍ତ ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦୁର୍ଲଭ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଦିନତମାମ ପ୍ରବଳ ବର୍ଷା ସତ୍ତେ୍ଵ ଭକ୍ତଙ୍କ ଭିଡ କମିନଥିଲା। ଉତ୍ସବମୁଖର ହୋଇ ପଡିଥିଲା ଶରଧାବାଲି। ଲକ୍ଷାଧିକ ଭକ୍ତ ତିନି ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଆସନ୍ତାକାଲି ସୋମବାର ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ସୋମବାର ସନ୍ଧ୍ୟାଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ହେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ। ତେବେ ଏହି ନୀତି ସନ୍ଧ୍ୟା ପୂର୍ବରୁ ସାରିବାକୁ ପ୍ରସ୍ତୁତି ହୋଇଛି। ଆସନ୍ତାକାଲିଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ରହିବେ। ସେଠାରେ ଭକ୍ତଙ୍କୁ ଦର୍ଶନ ଦେବେ। ଆସନ୍ତା ମଙ୍ଗଳବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ଅବଢା ବାହାରିବ। ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବଢା ପାଇପାରିବେ। ଆଜିଠାରୁ ଶରଧାବାଲି-ଶ୍ରୀଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇପଡିଛି। ତିନି ରଥରେ ରଥାରୂଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଛି। ରଥକୁ ଲାଗି ବ୍ୟାରିକେଡ୍ ଲଗାଯାଇଥିବାରୁ ଭକ୍ତମାନେ ବ୍ୟାରିକେଡରେ ହାତ ଗଳାଇ ରଥକୁ ଛୁଇଁପାରୁଛନ୍ତି। ଏପଟେ ଦାନ ଦକ୍ଷିଣା ନ ଦେବାକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର କରାଯାଉଛି। ତିନି ରଥର ବ୍ୟାରିକେଡ୍ରେ ୧୨ଟି ହୁଣ୍ଡି ଲଗାଯାଇଛି। ଭକ୍ତମାନଙ୍କୁ ଦାନ ଅର୍ଥ ହୁଣ୍ଡିରେ ପକାଇବାକୁ ସୂଚନା ଦିଆଯାଉଛି। ଟ୍ରାଫିକ କଟକଣାକୁ ମଧ୍ୟ କଡାକଡି କରାଯାଇଛି। ମେଡିକାଲ ଛକରୁ କୌଣସି ଗାଡି ଶରଧାବାଲିକୁ ଛଡାଯାଉନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ସିଂହଦ୍ଵାରରୁ ଚୁତୁର୍ଦ୍ଧା ମୂର୍ତ୍ତିଙ୍କୁ ଧରି ବାହାରିଥିବା ତିନି ରଥ ମଧ୍ୟରୁ ବଡ ଠାକୁରଙ୍କ ତାଳଧ୍ୱଜ, ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ଲାଗିଥିବା ବେଳେ ନନ୍ଦିଘୋଷ ରଥ ଅଟକି ରହିଥିଲେ। ଗତକାଲି ରାତିସାରା ତିନି ରଥରେ ଭକ୍ତଙ୍କ ଗହଳି ଲାଗି ରହିଥିଲା। ଆଜି ସକାଳେ ମଙ୍ଗଳଆଳତି ସରିବା ପରେ ପୂର୍ବାହ୍ନ ୯ଟା୫ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଓ ପୁଲିସ ନନ୍ଦିଘୋଷ ରଥକୁ ଟାଣି ନେଇଥିଲେ। ମାତ୍ର ୩୫ ମିନିଟ ଭିତରେ ରଥ ଶରଧାବାଲିରେ ଲାଗିଥିଲା। ଶରଧାବାଲିରେ ଆଜି ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି ସଂପନ୍ନ ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ବଡଦାଣ୍ଡରେ ପାଣି ଜମି ରହିଥିବାରୁ ନଳା-ବର୍ଷା ପାଣି ଏକାକାର ହୋଇ ଯାଇଥିଲା। ଆବର୍ଜନା ପାଣିରେ ପଶି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ଦେଖିବାକୁ ମିଳିଥିଲା।