ଆର୍ଦ୍ରଭୂମି ସୁରକ୍ଷା ମାମଲା, ଜଙ୍ଗଲ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ

କଟକ: ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗକୁ ନେଇ ବିଚାରାଧୀନ ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିବା ନେଇ ହାଇକୋର୍ଟରେ ସରକାରଙ୍କ ତରଫରୁ ତଥ୍ୟ ଉପସ୍ଥାପନ କରାଯାଇଛି। ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଏହି କମିଟି ଅନୁଧ୍ୟାନ କରିବ। ଏହି କମିଟିରେ ପିସିସିଏଫ୍(ୱାଇଲ୍ଡ ଲାଇଫ), ଓଡ଼ିଶା ୱେଟଲ୍ୟାଣ୍ଡ ଡେଭେଲପମେଣ୍ଟ ଅଥରିଟି ମୁଖ୍ୟ ନିର୍ବାହୀ ଅଧିକାରୀ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଓ କେନ୍ଦ୍ରାପଡା ଜିଲ୍ଲାପାଳ ସଭ୍ୟ ରହିଥିବ ବେଳେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ ନିର୍ବାହୀଙ୍କୁ ଆବାହକ ଭାବେ ଭାବେ ଗ୍ରହଣ କରାଯାଇଛି। ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପ୍ରସଂଗରେ ଏହି କମିଟି ରିପୋର୍ଟ ଦାଖଲ କରିବ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ଏହି କମିଟି ପ୍ରସଂଗରେ ମତାମତ ରଖିବା ପାଇଁ ଆମିକସ୍ କ୍ୟୁରିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ଜାନୁଆରି ୨୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଗଞ୍ଜାମ ଜିଲ୍ଲାପାଳଙ୍କ ସହିତ ରାଜସ୍ବ ଓ ମତ୍ସ ବିଭାଗ ସହିତ କେନ୍ଦ୍ର ସରକାର ପକ୍ଷଭୁକ୍ତ ହୋଇଛନ୍ତି। ବେଆଇନ ଚିଙ୍ଗୁଡି ଘେରି, ଅନୁପ୍ରବେଶକାରୀଙ୍କ ଦୌରାତ୍ମ୍ୟ ସହିତ ଚିଲିକା ଓ ଭିତରକନିକାରେ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ପ୍ରତିକାର ସଂପର୍କରେ ଆମିକସ୍ କ୍ୟୁରି ମୋହିତ ଅଗ୍ରୱାଲ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର