ଓଡ଼ିଶାର ଟିକା ଆବଶ୍ୟକତା ପୂରଣ କରିବ ସେରମ ଇନଷ୍ଟିଚ୍ୟୁଟ , ଟ୍ଵିଟ କରି ଜଣାଇଲେ ଅଦର ପୁନାଓ୍ଵାଲା

ଭୁବନେଶ୍ୱର : ଓଡ଼ିଶାର ସବୁପ୍ରକାରର ଟିକା ଆବଶ୍ୟକତା ପୂରଣ କରିବାକୁ ସେ ଆଗ୍ରହୀ ବୋଲି କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାଓ୍ଵାଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ସେ ଟ୍ଵିଟ କରି ଏହି ସୂଚନା ଦେଇଛନ୍ତି ।

କରୋନା ଟିକା ପ୍ରସ୍ତୁତିର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁନାୱାଲାଙ୍କ ସହ ଭିଡିଓ କଲ ଜରିଆରେ କଥା ହୋଇଥିଲେ । ଅକ୍ସଫୋର୍ଡ ବିଶ୍ୱବିଶ୍ୱବିଦ୍ୟାଳୟ ସହ ମିଳିତ ଉଦ୍ୟମରେ ସେରମ ଇନଷ୍ଟିଚ୍ୟୁଟ କୋଭିଡ ଟିକା ପ୍ରସ୍ତୁତି ଓ ପରୀକ୍ଷଣ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏ ନେଇ ଖୁସି ପ୍ରକାଶ କରିଛନ୍ତି । ଆବଶ୍ୟକ ଅନୁମତି ମିଳିବା ପରେ ଓଡିଶାରେ ଟିକାକରଣ କାମରେ ପୁନାୱାଲା ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀଭାବେ ଶ୍ରୀ ପଟ୍ଟନୀୟକ ଟୀକା ପାଇଁ ସେରମ ସହ ଯୋଗାଯୋଗ କରିଛନ୍ତି । ଏ ନେଇ ରାଜ୍ୟ ସରକାର ସେରମ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗରେ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଭିଡିଓ କଲ ସମୟରେ କରୋନା ମୁକାବିଲା ପାଇଁ ଓଡ଼ିଶା ନେଇଥିବା ପଦକ୍ଷେପକୁ ପୁନାୱାଲା ପ୍ରଶଂସା କରିଥିଲେ । ସେ କହିଥିଲେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଟିକାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ସକାରାତ୍ମକ ଫଳାଫଳ ଦେଉଛି । ଭାରତରେ ଅଗଷ୍ଟରେ ଏହାର ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ । ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଟିକା ପ୍ରସ୍ତୁତ ହେବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର