ଭୁବନେଶ୍ବର: ଧାନ ମଣ୍ଡିରେ କୃଷକମାନଙ୍କୁ ଗୋଟିଏ ଛାତ ତଳେ ସମସ୍ତ ସୁବିଧା ପ୍ରଦାନ କରାଯିବ। ଚାଷୀ, ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସମସ୍ତ ଜରୁରୀ ବିପଣନ ସମ୍ବନ୍ଧିତ କାର୍ଯ୍ୟ ଉପଲବ୍ଧ ହେବ। ଫସଲ ପରବର୍ତ୍ତୀ କ୍ଷତିକୁ ସର୍ବନିମ୍ନ ସୁନିଶ୍ଚିତ କରିବା, କୃଷକର ଆୟରେ ଉନ୍ନତି ଆଣିବା, ଠିକ୍ ଓ ତ୍ବରିତ ବଜାର ସୂଚନା ପ୍ରଦାନ ଏବଂ ଅନ୍ୟାନ୍ୟ ସହଯୋଗୀ ବିଭାଗର କାର୍ଯ୍ୟକ୍ରମ, ଯୋଜନାଗୁଡ଼ିକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଯିବ। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲାରେ ଆଦର୍ଶ ମଣ୍ଡି ସ୍ଥାପନ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୮ଟି ଆଦର୍ଶ ମଣ୍ଡି‌ ସ୍ଥାପନ ହେବ। ଏଥି ପାଇଁ ୩୦୦ କୋଟି ଖର୍ଚ୍ଚ ହେବ। ସମବାୟ ବିଭାଗର ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି।
Advertisment
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପରୋକ୍ତ ପ୍ରସ୍ତାବ ସମେତ ୬ଟି ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ ଦେଇ କହିଛନ୍ତି, ଆଦର୍ଶ ମଣ୍ଡିରେ ଧାନକିଣା ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ କଂକ୍ରିଟ୍‌ ପିଣ୍ଡି, ଛାତ ଥିବା ପିଣ୍ଡି, ଦୀର୍ଘ ସମୟ ପାଇଁ ଉତ୍ପାଦ ସଂରକ୍ଷଣ କରିପାରୁଥିବା ବହୁମୁଖୀ ଗୋଦାମ ରହିବ। ଏହା ସହ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଓଜନ ମାପକ ସରଞ୍ଜାମ, କୃଷକ ସୁବିଧା କେନ୍ଦ୍ର, ବିଶ୍ରାମ ଓ ପରିମଳ ସୁବିଧା, ପରିବହନ ସୁବିଧା, ମହିଳା ଚାଷୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଯଥା ଶିଶୁ ଯତ୍ନ କେନ୍ଦ୍ର ଓ ବିଶ୍ରାମ ଗୃହ, ଚାଷୀଙ୍କ ଉତ୍ପାଦଗୁଡ଼ିକର ମାନ ନିର୍ଦ୍ଧାରଣ ପାଇଁ ଉଚ୍ଚମାନର ଯନ୍ତ୍ରପାତି, ଅନ୍ୟାନ୍ୟ କୃଷି ଉତ୍ପାଦଗୁଡ଼ିକର ସୁବିକ୍ରିବଟା ପାଇଁ ଡିଜିଟାଲ ପ୍ଲାଟଫର୍ମ, ବିକ୍ରି କରିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ, ଶୀତଳୀକରଣ ପ୍ରକୋଷ୍ଠ, ଆବର୍ଜନା ପରିଚାଳନା ପ୍ରଣାଳୀ ଆଦି ବ୍ୟବସ୍ଥା ରହିବ। 
ପ୍ରଥମ ପର୍ଯ୍ୟାୟରେ ୩୮ଟି ମଣ୍ଡି ପାଇଁ ଖର୍ଚ୍ଚ ହେବ ୩୦୦ କୋଟି
ଷ୍ଟ୍ରିଟ୍‌ଲାଇଟ୍ ଉନ୍ନତୀକରଣ ପାଇଁ ୨୦୦ କୋଟି
ଭୁବନେଶ୍ବରରେ ବିମାନ ମରାମତି ସୁବିଧା ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ
ଏହି ୩୮ଟି ପ୍ରସ୍ତାବିତ ମଣ୍ଡିରେ ୧୪ଟି ବୃହତ୍‌, ୧୭ଟି ମଧ୍ୟମ, ୭ଟି କ୍ଷୁଦ୍ର ମଣ୍ଡି ଅଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୬୨ଟି ମଣ୍ଡିକୁ ଏଥି ନିମନ୍ତେ ଚୟନ କରାଯିବ। ଏହି ୩୮ଟି ଯାକ ଆଦର୍ଶ ମଣ୍ଡି ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମୋଟ୍ ୩୦୦କୋଟି ଟଙ୍କାର ଖର୍ଚ୍ଚ ଅଟକଳ ରଖାଯାଇଥିବାବେଳେ ଏଥିରୁ ୧୫୦ କୋଟି ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ମାନଙ୍କର ନିଜସ୍ବ ଅର୍ଥରୁ ଭରଣା କରାଯିବ। ବାକି ୧୫୦କୋଟି ରାଜ୍ୟ ସରକାର ଦେବେ। ଏହି ଯୋଜନା ପାଇଁ ସମବାୟ ବିଭାଗର ଚଳିତ ବଜେଟ୍‌ରେ ୫୦କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସେହିପରି କ୍ୟାବିନେଟ୍ ବୈଠକରେ ୧୧୦ଟି ଯାକ ସହରାଞ୍ଚଳରେ ଯେଉଁଠି ପୂର୍ବରୁ ଷ୍ଟ୍ରିଟଲାଇଟ୍ ଅଛି ସେଗୁଡ଼ିକର ଉନ୍ନତୀକରଣ କରି  (ରିଟ୍ରୋଫିଟିଂ) ଏଲ୍‌ଇଡି ଲାଇଟ୍ ଲଗାଯିବ। ଏଥି ପାଇଁ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଓୟୁଆଇଡିଏଫ୍‌)ରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। ପୂର୍ବରୁ ରାଜ୍ୟର ୧୧୦ଟି ସହରାଞ୍ଚଳକୁ ୬ଟି କ୍ଲଷ୍ଟରରେ ଭାଗ କରାଯାଇଥିବା ବେଳେ ଏଥିପାଇଁ ୬ଟି ସଂସ୍ଥା‌ ନିୟୋଜିତ ହୋଇଛନ୍ତି। ଏହି ପ୍ରକଳ୍ପ ପାଇଁ ନଗର ଉନ୍ନୟନ ବିଭାଗ ଜୁନ୍ ୨୮, ୨୦୨୪ରେ ମୋଟ୍ ୩୫୦.୦୪ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଏବେ ଓୟୁଆଇଡିଏଫ୍ ପାଣ୍ଠିରୁ ୧୫୦କୋଟି ଟଙ୍କା ବିନିଯୋଗ ହେଉଛି। ଆଗକୁ ବାକି ୨୦୦କୋଟି ଟଙ୍କା ବିନିଯୋଗ କରିବାକୁ ଅନୁମତି ମିଳିଛି।
ଏହାସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଶ୍ବସ୍ତରୀୟ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ (ଏମ୍‌ଆର୍‌ଓ) ସୁବିଧା ପ୍ରତିଷ୍ଠାକୁ ସହଜ କରିବା ପାଇଁ ଶିଳ୍ପ ନୀତି,୨୦୨୨ ବ୍ୟତୀତ ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ପରିବହନ ବିଭାଗ ପକ୍ଷରୁ ‘ଏୟାର ୱାର୍କସ ଇଣ୍ଡିଆ (ଇଞ୍ଜିନିୟରିଂ) ପ୍ରାଇଭେଟ ଲିମିଟେଡ୍‌’କୁ ଭୁବନେଶ୍ବର ବିମାନବନ୍ଦରରେ ଏମ୍‌ଆର୍‌ଓ ସୁବିଧା ପ୍ରତିଷ୍ଠା, ପରିଚାଳନା ପାଇଁ ଆଙ୍କର ନିବେଶକ ଭାବେ ମନୋନୀତ କରାଯାଇଛି। ବିଭିନ୍ନ ଏୟାରଲାଇନ୍ସ ତାଙ୍କର ମୋଟ୍‌ ରାଜସ୍ବରୁ ୧୨ରୁ ୧୫% ରକ୍ଷଣାବେକ୍ଷଣ ଓ ମରାମତିରେ ଖର୍ଚ୍ଚ କରୁଥିବାରୁ ରାଜ୍ୟ ସରକାର ଏହା ଦ୍ବାରା ଅଧିକ ଉପକୃତ ହେବେ ବୋଲି ଆଶା ରଖିଛନ୍ତି।
ଓଡ଼ିଶା ନର୍ସିଂ ଶିକ୍ଷା ସେବା ନିୟମକୁ ମଞ୍ଜୁରି, ସଂଗ୍ରହାଳୟ ନିର୍ଦ୍ଦେଶାଳୟ ପରିଚାଳନା ପାଇଁ କ୍ୟାଡର୍‌ ନିୟମାବଳୀ
ଭୁବନେଶ୍ବର: ଓଡ଼ିଶା ନର୍ସିଂ ଶିକ୍ଷା ସେବା (ନିଯୁକ୍ତି ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ) ନିୟମ ୨୦୨୫ ପ୍ରସ୍ତୁତିକୁ ଆଜି କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ଏହାଦ୍ବାରା ଓଡ଼ିଶା ନର୍ସିଂ ଶିକ୍ଷା ସେବା କ୍ୟାଡର୍‌ ଅଧୀନରେ ଖାଲି ପଡ଼ିଥିବା ମୂଳ ଟ୍ୟୁଟର ପଦବିଗୁଡ଼ିକ ପୂରଣ କରାଯାଇପାରିବ। ଯୋଗ୍ୟ ଅଧ୍ୟାପକମାନଙ୍କୁ ପରବର୍ତ୍ତୀ ଉଚ୍ଚ ପଦବିକୁ ପଦୋନ୍ନତି ଦିଆଯାଇପାରିବ। ଏହାଦ୍ବାରା ଓଡ଼ିଶାରେ ନର୍ସିଂ ଶିକ୍ଷା ଦୃଢ଼ୀଭୂତ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଏବେ ୮ଟି ସରକାରୀ ନର୍ସିଂ କଲେଜ ଓ ୨୧ଟି ଏଏନ୍‌ଏମ୍‌ ପ୍ରଶିକ୍ଷଣ କେନ୍ଦ୍ର ଚାଲୁଛି। ଏହାବାଦ୍ ୭ଟି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କେନ୍ଦ୍ରୀୟ ଯୋଜନାରେ ୭ଟି ନୂଆ ନର୍ସିଂ କଲେଜ ଖୋଲିବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି। 
ଏହା ମୂଳ ସ୍ତରର ପଦବି ଅର୍ଥାତ୍ ଟ୍ୟୁଟର ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଓ ପରବର୍ତ୍ତୀ ଉଚ୍ଚ ପଦବିକୁ ପଦୋନ୍ନତି ପାଇଁ ନିୟମ ଧାର୍ଯ୍ୟ କରିବ। ସେହିପରି ରାଜ୍ୟର ସଂଗ୍ରହଳୟଗୁଡ଼ିକର ସୁପରିଚାଳନା ଓ ସମନ୍ବୟ ପାଇଁ ରାଜ୍ୟରେ ଏକ ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ ସ୍ଥାପନ ପାଇଁ ୨୦୨୩ ମସିହା ଅକ୍ଟୋବରରେ ହୋଇଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ନିର୍ଦ୍ଦେଶାଳୟର ପରିଚାଳନା ପାଇଁ କ୍ୟାଡର ନିୟମାବଳୀ ପ୍ରଚଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଦେଇଥିଲେ। ଏହି ନିୟମାବଳୀ ସାଧାରଣ ପ୍ରଶାସନ, ଅର୍ଥ ଓ ଆଇନ ବିଭାଗର ଅନୁମୋଦନ ଲାଭ କରିବା ପରେ ଓଡ଼ିଶା ଲୋକସେବା ଆୟୋଗଙ୍କ ସ୍ବୀକୃତି ପାଇଛି। ଏହାଦ୍ବାରା ରାଜ୍ୟରେ ଥିବା ରାଜ୍ୟ ସଂଗ୍ରହଳୟ ଓ ଅନ୍ୟ ସମସ୍ତ ସଂଗ୍ରହାଳୟ ଗୁଡ଼ିକରେ ସମନ୍ବୟ ଓ ସୁପାରିଚଳନା ହୋଇପାରିବ। 
ଓଡ଼ିଶା ଅମଲା ସେବା (ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ସଂଗଠନର ଚକଲା ଓ ଏହାର ଅଧସ୍ତନ କାର୍ଯ୍ୟାଳୟ), ନିୟମାବଳୀ ୨୦୨୫କୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ଅର୍ଥ ବିଭାଗ ଅଧୀନରେ ଥିବା ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ସଂଗଠନର ପ୍ରଶାସନିକ ସୁବିଧା ପାଇଁ ଶୀର୍ଷରେ କମିସନରେଟ୍, ମଧ୍ୟମ ସ୍ତରରେ ୧୨ଟି ଆଞ୍ଚଳିକ ପ୍ରାନ୍ତୀୟ ଚକଲା ଓ ନିମ୍ନସ୍ତରରେ ୫୦ଟି ମଣ୍ଡଳ ରହିଛି। ଏହି ୧୨ଟି ଚକଲା ଅଧୀନରେ ରାଜ୍ୟର ୩୦ଟି ଜିଲ୍ଲା ସାମିଲ୍ ରହିଛି। ପ୍ରତ୍ୟେକ ଚକଲାରେ ଗୋଟିଏ କିମ୍ବା ଅଧିକ ଜିଲ୍ଲା ରହିଛି। ୨୦୨୪ ମାର୍ଚ୍ଚ ୧୫ରେ ସାଧାରଣ ପ୍ରଶାସନ ବିଭାଗର ସଂକଳ୍ପ ସଂଖ୍ୟାରେ ବିଭିନ୍ନ ବିଭାଗ ଅଧୀନରେ ଥିବା ଜିଲ୍ଲାସ୍ତରୀୟ ଅମଲା କ୍ୟାଡରରେ ସାମିଲ ଥିବା କର୍ମଚାରୀଙ୍କ ଦରମାରେ ଥିବା ତାରତମ୍ୟ ଦୂର କରିବା ଲାଗି ଏକ ନୀତି ନିର୍ଦ୍ଧାରଣ କରିଛନ୍ତି।
ଜିଲ୍ଲା ସ୍ତରୀୟ ଅମଲା କ୍ୟାଡରରେ ନିଯୁକ୍ତ ବ୍ୟକ୍ତିମାନଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ ବିଭାଗ ପୃଥକ ନିଯୁକ୍ତି ନିୟମ ପ୍ରଣୟନ କରିବେ। ସେହି ଅନୁଯାୟୀ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର କମିସନରେଟର ପ୍ରାନ୍ତୀୟ ଚକଲା ଓ ମଣ୍ଡଳ ଅଧୀନରେ ନିଯୁକ୍ତ ଅମଲାମାନଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ଅମଲା ସେବା (ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ସଂଗଠନର ଚକଲା ଓ ଏହାର ଅଧସ୍ତନ କାର୍ଯ୍ୟାଳୟ) ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏହି କ୍ୟାଡରରେ କନିଷ୍ଠ ସହାୟକ, ବରିଷ୍ଠ ସହାୟକ, ସହକାରୀ ଉପବିଭାଗ ଅଧିକାରୀ, ଉପବିଭାଗ ଅଧିକାରୀ ଓ ପ୍ରତିଷ୍ଠାନ ଅଧିକାରୀ ରହିବେ। ଚକଲା ଓ ଏହାର ଅଧସ୍ତନ କାର୍ଯ୍ୟାଳୟସ୍ଥିତ କନିଷ୍ଠ ସହାୟକଙ୍କ ମୂଳ ପଦବି ସଂଖ୍ୟାରେ ୮୦% ସିଧାସଳଖ ନିଯୁକ୍ତି ଓ ୨୦% ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ।