ଚାପ ପରେ ନିଷ୍ପତ୍ତି ବଦଳାଇଲା ଉଚ୍ଚଶିକ୍ଷା ବିଭାଗ : +୩ରେ ଏକକ ନୁହେଁ, ଆଦର୍ଶ ସିଲାବସ୍‌

ଭୁବ‌ନେଶ୍ବର : ଯୁକ୍ତ୩ ଓ ବିଶ୍ବବିଦ୍ୟାଳୟ ପିଜି ପାଠ୍ୟକ୍ରମରେ ଲାଗୁ ହେବନି ଏକକ ସିଲାବସ୍‌। ଏହା ବଦଳରେ ୨୦୧୯-୨୦ ଶିକ୍ଷାବର୍ଷରୁ ଯୁକ୍ତ୩ରେ ଆଦର୍ଶ ସିଲାବସ୍‌ ଲାଗୁ କରାଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯେଉଁ ଆଦର୍ଶ ସିଲାବସ୍‌ ପ୍ରସ୍ତୁତ ହୋଇଛି ‌ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଚାହିଁଲେ ସେଥିରେ ପରିବର୍ତନ କରିପାରିବେ। ଏକାଡେମିକ କାଉନସିଲ୍‌ ଓ ବୋର୍ଡ ଅଫ୍‌ ଷ୍ଟଡିଜ୍‌ ବୈଠକରେ ସର୍ବସମ୍ମତିକ୍ରମେ ସିଲାବସ୍‌ର ୧୦ ପ୍ରତିଶତ ସ୍ଥାନୀୟ ଅଞ୍ଚଳର ବିଷୟକୁ ସ୍ଥାନିତ କରିପାରିବେ। ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଆଜି ଡକାଯାଇଥିବା କୁଳପତି ସମ୍ମିଳନୀରେ ଏଭଳି ନିଷ୍ପତ୍ତି ହୋଇଛି। ତେବେ ଦେଢ଼ ବର୍ଷ ହେଲା ଏକକ ସିଲାବସ୍‌ ଲାଗୁ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ ଯେଉଁ କଥା କହୁଥିଲେ ତାହାକୁ ବାଏ ବାଏ ଉଡ଼ାଇ ଦେଇଛନ୍ତି ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ।

ପ୍ରଫେସର ଦାସ କହିଛନ୍ତି ଯେ ଏକକ ସିଲାବସ୍‌ ଲାଗୁ ହେବା କଥା ଆମେ କେବେ ବି କହିନୁ। ମଡେଲ୍‌ ସିଲାବସ୍‌ ଲାଗୁ କରିବାକୁ ସବୁବେଳେ ଆମେ କହି ଆସିଛୁ। ମଡେଲ୍‌ ସିଲାବସ୍‌ ୱେବସାଇଟ୍‌ରେ ଛଡ଼ାଯିବା ପରେ ୧୭ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲୁ। ‌ଯେଉଁମାନଙ୍କର କୌଣସି ଆପତ୍ତି ରହିଛି ସେମାନେ କହିପାରିବେ। ମତାମତ ଆସିବା ପରେ କେଉଁ ପରିବର୍ତନ ହେବ ସେନେଇ କୁଳପତିଙ୍କ ସହ ଆଲୋଚନା କରିଛୁ। ଏବେ ଯେଉଁ ସିଲାବସ୍‌ ୱେବସାଇଟ୍‌ରେ ଛଡ଼ାଯାଇଛି ତାହାର ସଂଶୋଧିତ ସିଲାବସ୍‌ ଖୁବ୍‌ଶୀଘ୍ର ପୁଣିଥରେ ପ୍ରକାଶ କରାଯିବ। ଆଦର୍ଶ ସିଲାବସ୍‌ ଦ୍ବାରା ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଯୁକ୍ତ୩ କଲେଜଗୁଡ଼ିକ ଏକ୍ସଲେନ୍ସ ଦିଗରେ ବଢ଼ିପାରିବେ। ଓଡ଼ିଶାର ଛାତ୍ରଛାତ୍ରୀ କିଭଳି ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ଏହାବ୍ୟତୀତ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପ୍ରଶ୍ନପତ୍ର ବ୍ୟଙ୍କ ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି।

ବଡ଼ ନିଷ୍ପତ୍ତି କ୍ରମରେ ବିଶ୍ବବିଦ୍ୟାଳୟଗୁଡ଼ିକର ପିଜି ପାଠ୍ୟକ୍ରମରେ ଏକକ କିମ୍ବା ଆଦର୍ଶ ସିଲାବସ୍‌ ଲାଗୁ ହେବ ନାହିଁ। ୨୦୧୯-୨୦ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା କରିବାକୁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ ବି ସ୍ଥଗିତ ରଖାଯାଇଛି। ପ୍ରଫେସର ଦାସ କହିଛନ୍ତି ‌ଯେ ପିଜିସ୍ତରରେ ଏକକ ସିଲାବସ୍‌ କରିବା ସମ୍ଭବପର ନୁହେଁ। ବିଶ୍ବବିଶ୍ବବିଦ୍ୟାଳୟସ୍ତରରେ ଅଧିକ ଗବେଷଣା ହେଉଥିବାରୁ ଏକକ ସିଲାବସ୍‌ ଲାଗୁ କରାଯିବା ଦ୍ବାରା ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ। ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ନିର୍ବାଚନ ପ୍ରକ୍ରିୟା ଚାଲୁଥିବାରୁ ଏବେ ଏକକ ପ୍ରବେଶିକା ପରୀକ୍ଷା ସମ୍ଭବପର ହୋଇ ନାହିଁ। ତେଣୁ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରୁ ଲାଗୁ ହେବ।

ସମ୍ବନ୍ଧିତ ଖବର