ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ହେବ ଆଦର୍ଶ ଉତ୍କର୍ଷ ବିଦ୍ୟାଳୟ, ଖର୍ଚ୍ଚ ହେବ ଶହେ କୋଟି

୧୮ ମାସରେ ସରିବ କାମ, ପଢ଼ିବେ ହଜାରେ ପିଲା
ଇଞ୍ଜିନିୟରିଂ ଓ ମେଡିକାଲ କୋଚିଂ ସୁବିଧା ରହିବ

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ଅନ୍ଧାରୁଆଠାରେ ପ୍ରତିଷ୍ଠା ହେବ ଓଡ଼ିଶା ଆଦର୍ଶ ଉତ୍କର୍ଷ ବିଦ୍ୟାଳୟ। ଗୁରୁ ଦିବସରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବିଦ୍ୟାଳୟ ନିର୍ମାଣ ପାଇଁ ଶହେ କୋଟି ଟଙ୍କା ଖର୍ଚ୍ଚ ହେବ। ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବର୍ତ୍ତମାନ ରାଜ୍ୟରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ନୂତନ ମାଇଲ୍‌ଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସ୍କୁଲରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ୫୦୦ଜଣ ଲେଖାଏଁ, ଏହିଭଳି ମୋଟ ହଜାରେ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିପାରିବେ।

୫-ଟି କାର୍ଯ୍ୟକ୍ରମ ଅଧୀନରେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ବିଦ୍ୟାଳୟ ରୂପାନ୍ତରୀକରଣ ସମ୍ପର୍କରେ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ, ଏହା ସାରା ରାଜ୍ୟରେ ପର୍ଯ୍ୟାୟକ୍ରମେ କରାଯିବ। ଏହି ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍‌, ଗଣିତ ଓ ଭାଷା ପ୍ରୟୋଗଶାଳା, ଉଚ୍ଚପ୍ରଯୁକ୍ତି ବିଦ୍ୟା ସଂପନ୍ନ କମ୍ପ୍ୟୁଟର୍‌ ପ୍ରୟୋଗଶାଳା ପ୍ରତିଷ୍ଠା ହେବା ସହ ସମଗ୍ର ବିଶ୍ବର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜ୍ଞାନ ଆଦାନ ପ୍ରଦାନ କରି ହେବ। ଗୁଣାତ୍ମକ ଶିକ୍ଷା ସହ ଜଣେ ଟିମ୍‌ ଲିଡର୍‌ଙ୍କ ଅଧୀନରେ ମେଧାବୀ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ସଫଳତା ପାଇଁ ସହାୟତା କରିବେ। ଏହି ସ୍କୁଲର ଛାତ୍ରଛାତ୍ରୀ ସେମାନଙ୍କର ସମସ୍ତ ଅନ୍ତର୍ନିହିତ ଗୁଣର ବିକାଶ କରି ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ ୨୫ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଆଦର୍ଶ ବିଦ୍ୟାଳୟ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ସହ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଯଥା ଇଞ୍ଜିନିୟରିଂ ଓ ମେଡିକାଲ କୋଚିଂ ସୁବିଧା ଉପଲବ୍ଧ କରାଯିବ। ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟରୁ ଯୋଗ୍ୟତା ଅନୁଯାୟୀ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ନାମଲେଖା ପାଇଁ ମନୋନୀତ ହେବେ। ୧୩ ଏକର ଜମିରେ ଏକାଡେମିକ୍ ଓ ଆଡ୍‌ମିନିଷ୍ଟ୍ରେସନ୍ ବ୍ଲକ୍ ରହିବ। ଯେଉଁଥିରେ ୨୬ଟି ଶ୍ରେଣୀଗୃହ, ୮ଟି ବିଜ୍ଞାନାଗାର, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଗ୍ରନ୍ଥାଗାର ଆଦି ରହିବ। ଏହାବ୍ୟତୀତ ଏକ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ଲେଖାଏଁ ଛାତ୍ରନିବାସ ଓ ଛାତ୍ରୀନିବାସ, ଶିକ୍ଷକଙ୍କ ପାଇଁ ୨୨ଟି ବାସଗୃହ, ୮ଟି ଅତିଥି କକ୍ଷ ଓ ୩୦ ଜଣଙ୍କ ପାଇଁ ଏକ ବିଶ୍ରାମଗାର ରହିବ। ୧୨ ଏକର ଜମିରେ ମୁକ୍ତାକାଶ କ୍ରୀଡ଼ା ସୁବିଧା ଯଥା ଦୌଡ଼ ମାର୍ଗ, ଫୁଟବଲ୍‌ ପଡ଼ିଆ, ବ୍ୟାଡମିଣ୍ଟନ୍ ଓ ଭଲିବଲ୍ କୋର୍ଟ ଆଦି ରହିବ। ବିଶ୍ବସ୍ତରୀୟ ବିଜ୍ଞାନଗାର, ଇ-ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତମାନର କମ୍ପ୍ୟୁଟର୍‌ ଲାବରେଟୋରି, ଆବାସିକ ଶିକ୍ଷାଦାନ ଏହି ପ୍ରତିଷ୍ଠିତ ବିଦ୍ୟାଳୟର ମୁଖ୍ୟ ବୈଶିଷ୍ଟ୍ୟ ହେବ। ଆସନ୍ତା ୧୮ ମାସ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ କହିଲେ, ୩୧୪ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ୯୦%ରୁ ଅଧିକ ମାର୍କ ରଖୁଥିବା ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ। କୋଠା ଶେଷ ହେବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ ନାହିଁ। ତା’ ପୂର୍ବରୁ ବିକଳ୍ପ କ୍ୟାମ୍ପସ ଚିହ୍ନଟ କରାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରିବୁ।

ସମ୍ବନ୍ଧିତ ଖବର