ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ ଏବିଡିଓଙ୍କୁ ବି ନିଜ ବ୍ଲକରେ ନିଯୁକ୍ତି ମିଳିବନି

ଏବିଡିଓ, ପିଇଓ ଓ ସହାୟକ ଯନ୍ତ୍ରୀଙ୍କ ବଦଳି ନିୟମ କଡ଼ାକଡ଼ି

ଭୁବନେଶ୍ବର : ଗ୍ରାମ ରୋଜଗାର ସେବକଙ୍କ ପରି ନିଜ ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଏବିଡିଓ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ମିଳିବନି। ପଞ୍ଚାୟତିରାଜ ବିଭାଗ ଅଧୀନରେ ଜିଲ୍ଲାସ୍ତରରେ କାର୍ଯ୍ୟକରୁଥିବା ଏବିଡିଓ, ପିଇଓ, ସହାୟକ ଯନ୍ତ୍ରୀଙ୍କମାନଙ୍କ ନୂତନ ବଦଳି ନେଇ ସରକାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଆଜି ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ୪ଟି ସର୍ତ୍ତ ଆଧାରରେ ବଦଳି ନିୟମକୁ ଚଳିତମାସ ଶେଷ ସୁଦ୍ଧା ଜିଲ୍ଲାପାଳମାନେ କଡ଼ାକଡ଼ି ଅନୁପାଳନ କରିବେ। ବଦଳି ନିୟମକୁ କଡ଼ାକଡ଼ି ଅନୁପାଳନ କରି ନଭେମ୍ବର ୫ ତାରିଖ ସୁଦ୍ଧା ପଞ୍ଚାୟତିରାଜ ବିଭାଗକୁ ରିପୋର୍ଟ କରିବାକୁ ସବୁ ଜିଲ୍ଲାପାଳଙ୍କୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅତିରିକ୍ତ ବିଡିଓ, ସହାୟକ ଯନ୍ତ୍ରୀ, ପିଏ, ଜିପିଇଓ, ଜିପିଟିଏ, କନିଷ୍ଠ ଯନ୍ତ୍ରୀ କୌଣସି ପ୍ରକାରେ ଗୋଟିଏ ବ୍ଲକରେ ୫ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ। ସେହିପରି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋଟିଏ ଗ୍ରାମ ପଞ୍ଚାୟତରେ ୫ ବର୍ଷରୁ ଅଧିକ ଦିନ କାମ କରିପାରିବେନି। ପ୍ରଶାସନିକ ସ୍ବଚ୍ଛତା ପାଇଁ ଅତିରିକ୍ତ ବିଡିଓ, ସହାୟକ ଯନ୍ତ୍ରୀ, ପିଏ, ଜିପିଇଓ, ଜିପିଟିଏ, କନିଷ୍ଠ ଯନ୍ତ୍ରୀଙ୍କୁ ନିଜ ବ୍ଲକରେ ନିଯୁକ୍ତି ମିଳିବ ନାହିଁ। ସେହିପରି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବି ନିଜ ଗ୍ରାମ ପଞ୍ଚାୟତରେ ନିଯୁକ୍ତି ପାଇବେନି ବୋଲି ବଦଳି ନିୟମରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର