ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ କୋର୍ଟଚାଲାଣ ହୋଇଥିବା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ନାଁରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ମୋଟ୍ ୧୬ଟି ଦଫା ଯୋଡ଼ିଛି। ଆଇପିସି ଧାରା ୪୫୨, ୪୪୮, ୨୯୪, ୩୫୪, ୩୨୩, ୩୩୨, ୪୨୭, ୧୭୧(ସି), ୫୦୬(ଆଇ), ୩୫୩, ୩୪, ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲ୍ ଆକ୍ଟ ୧୯୫୦, ୧୯୫୧, ୧୯୮୯ର ଧାରା ୧୩୨, ୧୩୬, ୧୩୧, ୧୩୫ ଓ ପ୍ରିଭେନ୍ସନ୍ ଅଫ୍ ଡ୍ୟାମେଜ୍ ଟୁ ପବ୍ଲିକ୍ ପ୍ରପୋର୍ଟି ଆକ୍ଟ-୧୯୮୪ର ଧାରା ୩ରେ କେସ୍ ନମ୍ବର ୧୧୭ରେ ପୁଲିସ ମାମଲା ରୁଜୁ କରିଛି। ସେଥିରୁ ଏକାଧିକ ଜାମିନ ବିହୀନ ଦଫା ରହିଛି। ବୁଥ୍ର ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଏତଲା ଆଧାରରେ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଗିରଫ କରି ଖୋର୍ଦ୍ଧା ଜେଲ୍କୁ ପଠାଇଛି।
ପ୍ରିଜାଇଡିଂ ଅଫିସର ଶ୍ରୀ ତ୍ରିପାଠୀଙ୍କ ଏତଲା ଅନୁଯାୟୀ, ଗତକାଲି ଅପରାହ୍ଣ ପ୍ରାୟ ୩ଟା ୨୫ମିନିଟ୍ ସମୟରେ ବୋଲଗଡ଼ ବ୍ଲକ୍ କାଉଁରୀପାଟଣା ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର ୧୧୪ରେ ଭୋଟ୍ ଦେବାକୁ ନିଜର ୪/୫ଜଣ ସମର୍ଥକଙ୍କ ସହିତ ବିଧାୟକ ଶ୍ରୀ ଜଗଦ୍ଦେବ ବୁଥ୍ରେ ପଶିଥିଲେ। ବୁଥ୍ରେ ଥିବା ଭୋଟରଙ୍କ ଧାଡ଼ିକୁ ଡେଇଁ ସେ ପୋଲିଂ ଅଧିକାରୀ ଏବଂ ଜଣେ ମହିଳା ଭୋଟରଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ପୋଲିଂ ଅଧିକାରୀଙ୍କଠାରୁ ସ୍ଲିପ୍ ନେଇ ସେ ଲୋକସଭା ଭୋଟିଂ କମ୍ପାର୍ଟମେଣ୍ଟ୍କୁ ଯାଇଥିଲେ। ସେଠାରେ ନିଜର ଲୋକସଭା ଭୋଟ୍ ଦେବା ପରେ ବିଧାନସଭା ଭୋଟିଂ କମ୍ପାର୍ଟମେଣ୍ଟ୍ ଓ ଟେବୁଲ୍କୁ ଗୋଇଠା ମାରିଥିଲେ। ଯେଉଁଥିପାଇଁ ବିଧାନସଭା ପାଇଁ ଉଦ୍ଦିଷ୍ଟ ବାଲଟ୍ ୟୁନିଟ୍ ଓ ଭିଭିପାଟ୍ ତଳେ ପଡ଼ିଯାଇଥିଲା। ଇଭିଏମ୍ର କଣ୍ଟ୍ରୋଲ୍ ୟୁନିଟ୍ ତଳେ ପଡ଼ି ଖରାପ ହୋଇଯାଇଥିଲା। ସେ ନିର୍ବାଚନ ପ୍ରକ୍ରିୟାରେ ବାଧା ଦେବା ସହିତ ପ୍ରିଜାଇଡିଂ ଅଫିସର ଏବଂ ପୋଲିଂ ଷ୍ଟାଫ୍ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରି ଦେବାକୁ ଧମକାଇଥିବା
ପ୍ରିଜାଇଡିଂ ଅଫିସର ଶ୍ରୀ ତ୍ରିପାଠୀ ନିଜ ଏତଲାରେ ଦର୍ଶାଇଛନ୍ତି। ସେ ଗଲା ବେଳେ ପିଙ୍କ୍ ଭୋଟର ସ୍ଲିପ୍ ମଧ୍ୟ ଫେରାଇ ନାହାନ୍ତି ବୋଲି ପ୍ରିଜାଇଡିଂ ଅଫିସର ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ଏସ୍ପି ଅବିନାଶ କୁମାର କହିଛନ୍ତି, ପ୍ରିଜାଇଡିଂ ଅଫିସରଙ୍କ ଏତଲା କ୍ରମେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି। କିନ୍ତୁ, ବୁଥ୍ରେ ଖଞ୍ଜା ହୋଇଥିବା ସିସିଟିଭିକୁ ଆମେ ଏଯାବତ୍ ଯାଞ୍ଚ କରିନାହୁଁ। ସିସିଟିଭି ଫୁଟେଜ୍ ଦେବା ପାଇଁ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରାଯିବ। ଫୁଟେଜ୍ ମିଳିବା ପରେ ଏ ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି, ତାହା ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି।
ପ୍ରମାଣ ଅଛି ତ, ଫୁଟେଜ୍ ଦେଖାଅ
ଖୋର୍ଦ୍ଧା: ପ୍ରଶାନ୍ତ କୁମାର ଜଗଦେବଙ୍କ ଗିରଫଦାରୀ ଘଟଣାକୁ ନେଇ ପୁଲିସ ଓ ପ୍ରଶାସନ ଉପରେ ଆଜି ଗର୍ଜିଛି ବିଜେପି। ଏ କାରନାମା ଶାସକ ଦଳ କରନ୍ତି। ଶାସକ ଦଳର କର୍ମୀ ହିଁ ଇଭିଏମ୍କୁ ଗୋଇଠା ମାରି ପ୍ରଶାନ୍ତଙ୍କ ଉପରେ ଦୋଷ ଲଦିଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ପୁଲିସ ଓ ପ୍ରଶାସନର ଏହା ଏକ ବିଧିବଦ୍ଧ ଷଡ଼୍ଯନ୍ତ୍ର ବୋଲି ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି। ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ବିଜେପିର ଭୁବନେଶ୍ବର ଲୋକସଭା ପ୍ରଭାରୀ ଜୀବନ ସାହୁ ପ୍ରଶ୍ନ କରିଛନ୍ତି, କେଉଁ ଆଧାରରେ ପ୍ରଶାନ୍ତଙ୍କୁ ପୁଲିସ ଗିରଫ କଲା? ବୁଥ୍ରେ ସିସିଟିଭି ଖଞ୍ଜାଯାଇଥିଲା। ପ୍ରଶାନ୍ତ ବୁଥ୍ ଭିତରେ କ’ଣ କରୁଥିଲେ? କିଏ ଇଭିଏମ୍ ମେସିନ୍କୁ ଭାଙ୍ଗିଲା? ପୁଲିସ ସେ ସିସିଟିଭିକୁ ଯାଞ୍ଚ କରିଥିଲା କି? ଯଦି ସିସିଟିଭିରେ ପ୍ରଶାନ୍ତ ଏ ଦୋଷ କରିଛନ୍ତି, ତାକୁ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି।
ଏହା ନ କରି ତାକୁ କାହିଁକି ଲୁଚାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ପ୍ରଶାନ୍ତଙ୍କୁ ନିଃସର୍ତ୍ତ ଖଲାସ ନ କଲେ, ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ। ତା’ ପରେ ଜାତୀୟ ରାଜପଥ ଅବରୋଧ ଓ ଖୋର୍ଧାରେ ବନ୍ଦ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି, ଶାସକ ବିଜେଡି ହାତରୁ ଖୋର୍ଦ୍ଧା ଆସନ ଏଥର ଯିବା ଭୟରେ ଶାସକ ଦଳ ବାଉଳି ହେଉଛି। ଚଳିତ ସପ୍ତାହରେ ପ୍ରଶାନ୍ତ ଖୋର୍ଦ୍ଧା ଏସ୍ଡିପିଓ ଦିଲୀପ ଦାସଙ୍କ ବିରୋଧରେ ଖୋଲାଖୋଲି ଅଭିଯୋଗ କରିଥିଲେ। ସେ ଶାସକ ଦଳର ଏଜେଣ୍ଟ୍ ସାଜିଛନ୍ତି ବୋଲି କହିବା ସହିତ ଚେତାବନୀ ବି ଦେଇଥିଲେ। କେବଳ ସେଇଥିପାଇଁ ଏ ନାଟକବାଜି କରାଯାଇଛି।
ଏହି ସମ୍ମିଳନୀରେ ବିଜେପିର ନେତ୍ରୀ ବାସନ୍ତୀ ମହାପାତ୍ର କହିଛନ୍ତି, ପ୍ରଶାନ୍ତଙ୍କୁ ଗିରଫଦାରୀ ସମୟରେ ତାଙ୍କୁ ବି ୪୫ମିନିଟ୍ କାଳ ରାସ୍ତାରେ ଅଟକାଯାଇଥିଲା। ନିର୍ବାଚନ ପୂର୍ବରୁ ଟାଙ୍ଗୀ ବ୍ଲକ୍ର ବିଭିନ୍ନ ସ୍ଥାନରେ ଶାସକ ବିଜେଡି ଟଙ୍କା ବାଣ୍ଟିବାର ଅଭିଯୋଗ ପ୍ରଶାସନକୁ କରାଗଲା, କିନ୍ତୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଏଥିରୁ ନିର୍ବାଚନରେ ପ୍ରଶାସନର ଭୂମିକା କ’ଣ ତାହା ସ୍ପଷ୍ଟ ଜଣାପଡ଼ୁଛି। ଖୋର୍ଦ୍ଧାର ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର କହିଛନ୍ତି, ବୁଥ୍ରେ କିଛି ଅସାମାଜିକ ଯୁବକ ଇଭିଏମ୍କୁ ଭାଙ୍ଗିଲେ। ଯାହାର ରେକର୍ଡ ସିସିଟିଭିରେ ଅଛି। ଏ ରେକର୍ଡକୁ ସର୍ବସାଧାରଣକୁ ଅଣାଯାଉ, କିଏ ଦୋଷୀ ଓ କିଏ ନିର୍ଦ୍ଦୋଷ ତାହା ସ୍ପଷ୍ଟ ହେବ ବୋଲି ଶ୍ରୀ ମିତ୍ର ପ୍ରକାଶ କରିଛନ୍ତି। ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ନିକୁଞ୍ଜ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/dgdadggdaadgagd.jpg)
