ବାଲିପାଟଣା: ରାତି ପାହିଲେ ମାଟ୍ରିକ୍ ପରୀକ୍ଷାଫଳ ବାହାରିବ। ତେଣୁ ମା’ ଓ ପୁଅ ବେଶ୍ ଖୁସି ଥିଲେ। ପୁଅର ପରୀକ୍ଷାଫଳ ଭଲ ହେଉ ବୋଲି ମା’ ଠାକୁରଙ୍କୁ ଡାକୁଥିଲେ। କିନ୍ତୁ ନିଶାଡ଼ି ବାପାର ସେଥିପ୍ରତି ନିଘା ନଥିଲା। ସବୁଦିନ ଭଳି ଘରକୁ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀଙ୍କୁ ଗାଳି କରିବା ସହ ମାରଧର କଲା। ବାପାଙ୍କୁ ବୁଝାସୁଝା କଲା ପୁଅ। ମାତ୍ର ନିଶାରେ ଚୁର୍ ବାପା ପୁଅକୁ ବି ଛାଡ଼ିଲା ନାହିଁ। ସ୍ତ୍ରୀକୁ ଛାଡ଼ି ପୁଅକୁ ନିର୍ଘାତିଆ ମାଡ଼ ମାରିବାରେ ଲାଗିଲା। ହଠାତ୍ ପୁଅ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ଅଗଣାରେ ପଡ଼ିଥିବା ଏକ ରଡ୍ ଉଠାଇ ବାପା ମୁଣ୍ଡକୁ ପାହାରଟିଏ ପକାଇଲା। ଏତିକିରେ କଥା ଶେଷ। ଏମିତି ଏକ ଆକସ୍ମିକ ଘଟଣାକ୍ରମେ ପୁଅ ପାଲଟିଗଲା ପିତୃହନ୍ତା। ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି ବାଲିପାଟଣା ଥାନା ଆମଣାକୁଦ ତିହୁରି ଗାଁରେ। ମୃତକ ହେଲେ ଗଜରାଜ ଭୋଇ ଓରଫ ଗଜାନନ(୪୪)। ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଏବଂ ଏହି ମାମଲାକୁ ନେଇ ଅଧିକ ତଦନ୍ତ ଚଳାଇଛି।
ଗଜରାଜ ଟ୍ରାକ୍ଟର୍ ଡ୍ରାଇଭର୍ ଭାବେ କାମ କରୁଥିଲେ। କିନ୍ତୁ ନିଶାସକ୍ତ ହୋଇ ଘରେ ପିଲାଛୁଆଙ୍କୁ ମାରପିଟ କରୁଥିଲେ। ତେଣୁ ପତ୍ନୀ ରଚନା ପୁଅ ଓ ଝିଅକୁ ଧରି ବାଲିଅନ୍ତା ଅଣ୍ଡିଲୋ ଗାଁରେ ବାପଘରେ ରହୁଥିଲେ। ପିଲା ଦୁଇଟିଙ୍କୁ ପଢ଼ାଇ ମଣିଷ କରିବାକୁ ସେ ଲାଗିପଡ଼ିଥିଲେ।
ପିଲାଦିନରୁ ମାମୁଘରେ ରହି ପିଲାମାନେ ପଢ଼ୁଥିଲେ। ମଝିରେ ମଝିରେ ଗଜରାଜ ସ୍ତ୍ରୀ ରଚନାଙ୍କୁ ବୁଝାସୁଝା କରି ପାଖକୁ ନିଏ ଏବଂ ପୁଣି ମାଡ଼ମାରି ତଡ଼ିଦିଏ। ପୁଅ ଭିଙ୍ଗାରପୁର ବକ୍ରେଶ୍ୱର ହାଇସ୍କୁଲ୍ରେ ପଢ଼ୁଥିଲେ ଏବଂ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପଣା ସଂକ୍ରାନ୍ତିରେ ଝାମୁଯାତ୍ରା ଦେଖିବାକୁ ରଚନା ଦୁଇ ପିଲାଙ୍କୁ ଧରି ଗଜରାଜ ପାଖକୁ ଆସିଥିଲେ। ସେବେଠୁ ମା’ ଓ ପିଲାମାନେ ଗଜରାଜ ପାଖରେ ଥିଲେ। ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ସେମାନେ ପୁଣି ମାମୁଘରକୁ ଫେରିଯିବାର ଥିଲା। କିନ୍ତୁ ନିୟତିର ବିଚାର ଥିଲା କିଛି ଅଲଗା। ନିଶାଡ଼ି ଗଜରାଜର ସ୍ବଭାବ ସବୁ କିଛି ବିଗାଡ଼ିଦେଲା। ଘଟଣା ପରେ ରକ୍ତାକ୍ତ ଅବସ୍ଥାରେ ଗଜରାଜକୁ ଅଡ଼ଶପୁର ହସ୍ପିଟାଲ୍କୁ ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିପାଟଣା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲା। ଆଜି ଗାଁ ଶ୍ମଶାନରେ ଗଜରାଜଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୁଲିସ ସୂଚନାନୁସାରେ ପରିବାର ପକ୍ଷରୁ ଏ ନେଇ କୌଣସି ଅଭିଯୋଗ ହୋଇନଥିଲେ ହେଁ ତଦନ୍ତ କରାଯାଉଛି। ସେପଟେ ଆଜି ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଛି ଏବଂ ପୁଅ ପାସ୍ କରିଛି। କିନ୍ତୁ ଗତରାତିର ଆକସ୍ମିକ ଅଘଟଣ ପରିବାରର ଖୁସି ହଜାଇ ଦେଇଛି।