ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ସେବା(ଓସିଏସ୍)ରେ ଆବେଦନ କରିବା ଲାଗି ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ଅତିରିକ୍ତ ୧ବର୍ଷର ଅନୁମତି ଦେଇଛନ୍ତି। ୨୦୧୧-୨୦୧୪ ମସିହା ଭିତରେ ପ୍ରତ୍ୟେକ ବର୍ଷ ଏହି ପରୀକ୍ଷାରେ ବିଳମ୍ବ ହେବା ଓ ୟୁପିଏସ୍ସି ଢଙ୍ଗରେ ଓସିଏସ୍ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ହେବା ପରେ ସର୍ବୋଚ୍ଚ ବୟସ ସୀମା ଅତିକ୍ରମ କରିଥିବା ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ ବର୍ଷେ ପାଇଁ ଆବେଦନ କରିବା ଲାଗି ରାଜ୍ୟ ସରକାର ଅନୁମତି ଦେଇ ଆସୁଛନ୍ତି। ଏହାସହ ଅନେକ ପରୀକ୍ଷାର୍ଥୀ ମଧ୍ୟ ସର୍ବୋଚ୍ଚ ବୟସ ସୀମାକୁ ବାଦ୍ ଦେଇ ଓସିଏସ୍ଇ-୨୦୨୧ରେ ଆବେଦନ କରିବା ଲାଗି ଦାବି ରଖିଥିଲେ।
ତେଣୁ ଏସବୁର ବିଚାର କରିବା ପରେ ରାଜ୍ୟ ସରକାର ଯେଉଁ ପରୀକ୍ଷାର୍ଥୀମାନେ ଓସିଏସ୍-୨୦୧୯/୨୦ରେ ଆବେଦନ କରିଥିଲେ, ମାତ୍ର ଓସିଏସ୍ଇ-୨୦୨୧ ବେଳକୁ ସେମାନଙ୍କ ସର୍ବୋଚ୍ଚ ବୟସ ସୀମା ପାର୍ କରି ସାରିଛନ୍ତି ସେମାନଙ୍କୁ ଅତିରିକ୍ତ ୧ବର୍ଷ ପାଇଁ ପରୀକ୍ଷା ଦେବା ଲାଗି ଅନୁମତି ଦେଇଛନ୍ତି। ହେଲେ ଆଗକୁ ଏଭଳି ଆଉ ଅନୁମତି ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି।