୧୬୮୦୦ କୋଟିର ଅତିରିକ୍ତ ବଜେଟ୍‌, ଅର୍ଚ୍ଚନା ହଟ୍ଟଗୋଳ ମଧ୍ୟରେ ଉପସ୍ଥାପିତ

ଅର୍ଥ ବିଭାଗ ଆଶ୍ବସ୍ତ, ରାଜସ୍ବ ଅଭିବୃଦ୍ଧି ୧୩%, କେନ୍ଦ୍ରୀୟ ଅନୁଦାନ କମିଛି

ଭୁବନେଶ୍ବର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ଶାସକ ଦଳ ଓ ପୁଲିସର ଭୂମିକା ନେଇ ବିରୋଧୀ ଗୃହରେ କମ୍ପୁଥିଲେ। ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳରେ ଗୃହ ପଡ଼ୁଥିଲା, ଉଠୁଥିଲା। ଏହାରି ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୧୬ ହଜାର ୮୦୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ଚିଠା ବଜେଟ୍ ଗୃହରେ ଆଗତ କରିଛନ୍ତି। ଶ୍ରୀ ଅମାତ ଯେଉଁ ଅତିରିକ୍ତ ବଜେଟ୍ ଆଜି ଗୃହ ସାମ୍ନାରେ ରଖିଛନ୍ତି, ତାହା ଚଳିତ ବର୍ଷ ମୂଳ ବଜେଟ୍‌ର ୮.୪%। ୨୦୨୨-୨୩ ବର୍ଷରେ ରାଜ୍ୟ ସରକାର ୨ଲକ୍ଷ କୋଟିର ବଜେଟ୍ ଉପସ୍ଥାପନ କରିଥିଲେ।

ତେବେ ପ୍ରଥମ ଅତିରିକ୍ତ ବଜେଟ୍‌ର କାହିଁକି ଆବଶ୍ୟକତା ପଡ଼ିଲା ସେ ସଂପର୍କରେ ଯୁକ୍ତି ରଖି ଅର୍ଥ ବିଭାଗ କହିଛି; ଜାରି ରହିଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ଅତିରିକ୍ତ ପାଣ୍ଠି ଅପରିହାର୍ଯ୍ୟ ଥିଲା। କେବଳ ଏଇ ଗୋଟିଏ ନୁହେଁ, ବଜେଟ୍ ପରବର୍ତ୍ତୀ ସମୟରେ ମରୁଡ଼ି ଯୋଗୁଁ ଖରିଫ୍ ଫସଲ ହାନି ପାଇଁ କୃଷକମାନଙ୍କୁ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି। ସେ ବାବଦରେ ବି ୨୦୦ କୋଟି ଟଙ୍କା ଦେବାକୁ ପଡ଼ିବ। ଏହାବ୍ୟତୀତ ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ ଭାରତ ସରକାରଙ୍କ ଦ୍ବାରା ଘୋଷିତ ନୂତନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ ଆବଶ୍ୟକ ପଡ଼ୁଥିଲା। ଏହି ବଜେଟ୍ ପାରିତ ହେଲେ ସରକାର ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଆଣିଥିବା ଅଗ୍ରୀମ ଅର୍ଥ ମଧ୍ୟ ସରକାର ଭରଣା କରିବେ।

ତେବେ ଅତିରିକ୍ତ ବଜେଟ୍‌ର ପୂର୍ବାପେକ୍ଷା (୨୦୨୧-୨୨ରେ ୧୯ ହଜାର ୭୦୦ କୋଟି ବ୍ୟୟବରାଦ ହୋଇଥିଲା) ସଂକ୍ଷିପ୍ତ ସ୍ବରୂପକୁ ନେଇ ଅର୍ଥନୀତିଜ୍ଞମାନେ ବିସ୍ମୟ ପ୍ରକାଶ କରିଛନ୍ତି। ଆର୍ଥିକ ଦୁଃସ୍ଥିତିର ଆଶଙ୍କା କରି ହୁଏତ ସରକାର ଅତିରିକ୍ତ ବଜେଟ୍ ଆକାର ଛୋଟ କରିଥାଇପାରନ୍ତି ବୋଲି ଗୋଟିଏ ମହଲ ବିଶ୍ବାସ କରୁଛନ୍ତି। ହେଲେ ଅର୍ଥ ବିଭାଗ କିନ୍ତୁ ଏଥିରେ ସହମତି ପ୍ରକାଶ କରିନାହିଁ। ବିଭାଗର ଯୁକ୍ତି ହେଉଛି, ମୂଳ ବଜେଟର ୧୦% ମଧ୍ୟରେ ଅତିରିକ୍ତ ବଜେଟକୁ ଅଟକାଇ ଦିଆଯାଇପାରିଲେ, ତାହା ଏକ ଉତ୍ତମ ବ୍ୟବସ୍ଥା ବୋଲି କୁହାଯାଇଥାଏ। ଅର୍ଥ ବିଭାଗ ଆହୁରି ଗୋଟିଏ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖି କହିଛି ଯେ ମୂଳ ବଜେଟ୍‌ରେ ଆକଳନ କରାଯାଇଥିବା ରାଜସ୍ବ ପରିମାଣ ବର୍ଷ ଶେଷକୁ ଟପିଯିବ। ଏବେ ଏ କ୍ଷେତ୍ରରେ ୧୩ ପ୍ରତିଶତ ଅଭିବୃଦ୍ଧି ରହିଛି। କେନ୍ଦ୍ର ସରକାର ଖଣି ଉପରେ ଏକ୍ସପୋର୍ଟ ଡ୍ୟୁଟି ସଂକ୍ରାନ୍ତରେ ନେଇଥିବା ନିଷ୍ପତ୍ତି ରାଜସ୍ବକୁ ପ୍ରଭାବିତ କରିବାକୁ ଯାଉଥିଲା। ହେଲେ ଏବେ କେନ୍ଦ୍ର ଏହି ନିଷ୍ପତ୍ତିରୁ ଓହରିଆସିବାରୁ ରାଜସ୍ବ ପ୍ରଭାବିତ ହେବାର ଆଶଙ୍କା ଆଉ ନାହିଁ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ୨୭ ପ୍ରତିଶତ କମ୍ ଅନୁଦାନ ପ୍ରଦାନ କରିଥିଲେ ହେଁ, ରାଜ୍ୟ ଅଂଶ ବାବଦରେ ଓଡ଼ିଶାକୁ ଅଧିକ ଅର୍ଥ ମିଳିଛି। ସାମଗ୍ରିକ ଭାବେ ବିଚାର କଲେ ରାଜ୍ୟର ଆର୍ଥିକ ସ୍ଥିତି ବେଶ୍ ଭଲ ରହିଛି।

ବଜେଟ୍‌ ସ୍ଥିରୀକରଣ ପାଣ୍ଠିକୁ ଆଉ ୩୭୦୦ କୋଟି ଦିଆଗଲା
ବିପର୍ଯ୍ୟୟ ପରେ ଶିକ୍ଷା, କ୍ରୀ଼ଡ଼ା ଓ ଦକ୍ଷତା ବିକାଶକୁ ସର୍ବାଧିକ ଅର୍ଥ ବରାଦ
ଜନସ୍ବାସ୍ଥ୍ୟ ସେବା ପାଇଁ ୮୬୭ କୋଟି
ଖରିଫ ଫସଲହାନି ପାଇଁ କୃଷକଙ୍କୁ ସହାୟତା
ଅଙ୍ଗନବାଡିରେ ଗ୍ୟାସ, କର୍ମୀ ଓ ସହାୟକଙ୍କ
ଭତ୍ତା ପାଇଁ ୬୦ କୋଟି

ଏଣୁ ଅତିରିକ୍ତ ବଜେଟ୍‌ରେ ପ୍ରଶାସନିକ ବ୍ୟୟ ବାବଦରେ ୪୯୩୪ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ୯୨୦୦କୋଟି ଟଙ୍କା, ବିପର୍ଯ୍ୟୟ ଓ ପ୍ରଶମନ ପାଣ୍ଠି ପାଇଁ ୨୬୧୦ କୋଟି ଏବ˚ ରାଜ୍ୟ ବଜେଟ୍‌ରୁ ସ୍ଥାନାନ୍ତର ସ୍ବରୂପ ୫୫ କୋଟି ୫୪ଲକ୍ଷ ଟଙ୍କା ଏମିତି ୪ଟି କ୍ଷେତ୍ରକୁ ମିଶାଇ ମୋଟ ୧୬୮୦୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍‌ ପ୍ରସ୍ତୁତ କରାଯାଇଛି। ଏହାର ଉଲ୍ଲେଖନୀୟ ଦିଗଟି ହେଲା, କାର୍ଯ୍ୟକ୍ରମ ବ୍ୟୟବରାଦ ମୋଟ ଅତିରିକ୍ତ ବଜେଟ୍‌ର ୫୪.୭୬%।
ଏଦିଗରେ ଆଉ ପାଦେ ଆଗକୁ ଯାଇ ଅର୍ଥ ବିଭାଗ କହିଛି ଯେ ପ୍ରଶାସନିକ ବ୍ୟୟ ଓ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ବୟ ଓ ଅର୍ଥ ସମର୍ପଣ ବା ସରେଣ୍ଡର ଜରିଆରେ ଅତିରିକ୍ତ ବଜେଟ୍‌ ବ୍ୟବସ୍ଥା କରାଯାଇଛି। ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ରାଜ୍ୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠିରେ ଉପଲବ୍ଧ ବର୍ଷ ଶେଷ ବଳକା ଅର୍ଥକୁ ବି ନିଆଯିବ। ସେହିଭଳି କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ଅତିରିକ୍ତ ବଜେଟ୍‌ରେ ଯେଉଁ ୯୨୦୦ କୋଟି ବ୍ୟୟ ବରାଦ ହୋଇଛି, ସେ ମଧ୍ୟରୁ ୨୦୬୬ କୋଟି ଟଙ୍କା ସହବନ୍ଧିତ ବା ଟାଏଡ୍‌ ଅପ୍ ସମ୍ବଳ ସୂତ୍ରରୁ ଏବଂ ୭୧୩୪ କୋଟି ଟଙ୍କା ଅତିରିକ୍ତ ରାଜସ୍ବ ତଥା ଅର୍ଥ ସମର୍ପଣ ଦ୍ବାରା ଭରଣା କରାଯିବ। ତେବେ କେଉଁ ବିଭାଗ କେତେ ଟଙ୍କା ସରେଣ୍ଡର କଲେ, କିଏ ଅଧିକ କଲେ, ନିର୍ଦିଷ୍ଟ କେଉଁ ଯୋଜନା ଖର୍ଚ୍ଚ ହୋଇପାରିବ ନାହିଁ ବୋଲି ବିଭାଗମାନେ ଜାଣି ସାରିଲେଣି, ସେ ତଥ୍ୟ ଅର୍ଥ ବିଭାଗ ଦେଇନାହାନ୍ତି। ଏଥିସହିତ ବଜେଟ୍ ଆକାର ରେକର୍ଡ ଛୁଇଁଛି। କାରଣ ମୂଳ ବଜେଟ୍ ଓ ଅତିରିକ୍ତ ବଜେଟ୍ ପରିମାଣକୁ ମିଶାଇଲେ ପୂର୍ବରୁ ଏତେ ପରିମାଣର ଅର୍ଥ କେବେ ବି ବରାଦ ହୋଇନଥିଲା।

ଏହି ଅବସରରେ ଅର୍ଥ ବିଭାଗ ଆହୁରି ଯୁକ୍ତି ରଖିଛି ଯେ ଆର୍ଥିକ ସ୍ଥିତି ଆୟତ୍ତ ବାହାରକୁ ଯାଇନି। ମୂଳ ବଜେଟ୍ ପ୍ରସ୍ତୁତି ସମୟରେ ବିତ୍ତୀୟ ନିଅଣ୍ଟକୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସଡିପିର ୩ପ୍ରତିଶତ ମଧ୍ୟରେ ରଖିବା ଲାଗି ସ୍ଥିର କରାଯାଇଛି। ସେହି ସୀମା ଭିତରେ ହିଁ ସରକାର ରହିବେ। ସେହିଭଳି ବର୍ଷ ଶେଷ ବେଳକୁ ରାଜସ୍ବ ବଳକା ରହିବ। ମୂଳ ବଜେଟ୍‌ରେ ସରକାର ଋଣ ବରାଦ ରଖିଥିଲେ। ଏଯାଏ କିନ୍ତୁ ଖୋଲାବଜାରରୁ ଟଙ୍କାଟିଏ ବି ଋଣ କରାଯାଇନାହିଁ। ବରଂ ମୋଟ ଋଣ ପରିମାଣ ୯୭ହଜାର ୨୦୫ କୋଟିରୁ ଖସି ୯୦ ହଜାର ୪୫୧ କୋଟିରେ ପହଞ୍ଚିଛି। ୨୦୨୨ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ଋଣ ଭାର ଓ ରାଜ୍ୟର ସକଳ ଘରୋଇ ଉତ୍ପାଦର ଅନୁପାତ (ଜିଏସ୍‌ଡିପି)ର ୧୨.୬% ରହିଛି। ସେହିଭଳି ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ ୨.୮%ରେ ସୀମିତ ରହିଛି। ଏଣୁ ଓଡ଼ିଶାର ଆର୍ଥିକ ପରିଚାଳନା ଏବେ ପ୍ରଶଂସାଯୋଗ୍ୟ। ଆହୁରି ଗୋଟିଏ ଉଲ୍ଲେଖନୀୟ ଦିଗ ହେଲା, ଅତିରିକ୍ତ ବଜେଟ୍‌କୁ ମିଶାଇ ୨୦୨୨-୨୩ ଆର୍ଥିକ ବର୍ଷରେ ପୁଞ୍ଜିନିବେଶ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୫.୫ ପ୍ରତିଶତରୁ ଅଧିକ ହେବ। ଏହା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବା ସହିତ ରାଜ୍ୟର ବିବିଧ ଜନମଙ୍ଗଳ ତଥା ବିକାଶମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେବ ବୋଲି ଅର୍ଥ ବିଭାଗ ଦାବି କରିଛି।

ଅତିରିକ୍ତ ବଜେଟ୍‌ ରୂପରେଖ ବର୍ଣ୍ଣନା କରି ବିଭାଗ କହିଛି ଯେ ବଜେଟ୍ ସ୍ଥିରୀକରଣ ପାଣ୍ଠି ପାଇଁ ଏଥର ଅର୍ଥ ବିଭାଗ ପୁଣି ୩୭୦୦ କୋଟି ଟଙ୍କା ବ୍ୟୟବରାଦ କରିଛି। ମୂଳ ବଜେଟ୍‌ରେ ୧୦ ହଜାର କୋଟି ଟଙ୍କା ଏ ବାବଦରେ ରଖାଯାଇଥିଲା। ଏ ରାଶି ବଢ଼ି ଏବେ ୧୩ ହଜାର ୭୦୦ କୋଟିକୁ ଛୁଇଁଛି। ଯଦି କେବେ ଅର୍ଥନୀତି ପ୍ରତି ବିପଦ ଆସେ, ତେବେ ଏହି ଅର୍ଥରୁ ସରକାର ଖର୍ଚ୍ଚ ଭରଣା କରିବେ। ସେହିଭଳି ପଞ୍ଚାୟତିରାଜ ସଂସ୍ଥା ଦ୍ବାରା ବିଦ୍ୟାଳୟ ଓ ପ୍ରାଥମିକ ସ୍ବାସ୍ଥ୍ୟସେବା କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ୧୭୩ କୋଟି ବରାଦ ହୋଇଛି। ଫସଲ କ୍ଷୟକ୍ଷତିରେ ପ୍ରଭାବିତ କୃଷକମାନଙ୍କୁ ସହାୟତା ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଟଙ୍କିକିଆ ଚାଉଳ ପାଇଁ ୧୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। କୃଷକ କଲ୍ୟାଣ ଏବଂ ଖାଦ୍ୟ ନିରାପତ୍ତା ପାଇଁ ମୋଟ ୩୦୬ କୋଟି ୬୫ଲକ୍ଷ ଟଙ୍କା ବରାଦ ହୋଇଛି।

ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ୮୬୭ କୋଟି ଟଙ୍କା ଦିଆଯାଇଛି। ଏଥିରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ସର୍ବାଧିକ ୬୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ସୁପର ସ୍ପେସିଆଲିଟି ସ୍ବାସ୍ଥ୍ୟ ସେବା ପାଇଁ ୩୩ କୋଟି ବ୍ୟୟବରାଦ ହୋଇଛି। ସ୍ବାସ୍ଥ୍ୟ ଅନୁଷ୍ଠାନ ଭିତ୍ତିଭୂମି ବିକାଶ ପାଇଁ ୬୮ କୋଟି ଟଙ୍କା ରଖିଛନ୍ତି ଅର୍ଥ ବିଭାଗ। ମହିଳା ଓ ଶିଶୁ ବିକାଶ ପାଇଁ ଯେଉଁ ୧୭୨ କୋଟି ବରାଦ ହୋଇଛି, ସେଥିରୁ ମମତା ଯୋଜନା ପାଇଁ ୨୮ କୋଟି, ସକ୍ଷମ ଅଙ୍ଗନବାଡି ଓ ପୋଷଣ-୨.୦ ଲାଗି ୨୭ େକାଟି ଦିଆଯାଇଛି। ଅଙ୍ଗନବାଡି କର୍ମୀ ତଥା ସହାୟକଙ୍କ ଭତ୍ତା ଓ ଅଙ୍ଗନବାଡି କେନ୍ଦ୍ରକୁ ନୂତନ ଗ୍ୟାସ ସଂଯୋଗ ଲାଗି ୬୦ କୋଟି ଦେଇଛନ୍ତି ଅର୍ଥ ବିଭାଗ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗକୁ ୪୩୮ କୋଟି ଦିଆଯାଇଛି। ଶିକ୍ଷା, କ୍ରୀଡ଼ା, ଦକ୍ଷତା ବିକାଶ କ୍ଷେତ୍ରରେ ସର୍ବାଧିକ ୨୦୮୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୧ କୋଟି, ଅଣ ସରକାରୀ କଲେଜ ଅନୁଦାନ ପାଇଁ ୧୩୫ କୋଟି, ଓଡ଼ିଶା ରାଜ୍ୟ ସ୍ବୟଂ ନିଯୁକ୍ତି ମିସନ ପାଇଁ ୨୫ କୋଟି ରଖିଛନ୍ତି ସରକାର। ଏହାବ୍ୟତୀତ ମୋ ସ୍କୁଲ ଅଭିଯାନ ପାଇଁ ୩୦୬ କୋଟି ବ୍ୟୟବରାଦ ହୋଇଛି। ଗ୍ରାମ୍ୟ ଉନ୍ନୟନ ପାଇଁ ୫୫୨ କୋଟି, ସହରାଞ୍ଚଳ ଉନ୍ନୟନ ପାଇଁ ୭୮୨ କୋଟି ଓ ଶକ୍ତି, ସୂଚନା ପ୍ରଯୁକ୍ତି, ବାଣିଜ୍ୟ ଓ ପରିବହନ ଆଦି ଲାଗି ୩୮୮ କୋଟି ଟଙ୍କା ବରାଦ ହୋଇଛି। ସଂସ୍କୃତି ଓ ପର୍ଯ୍ୟଟନ ବିକାଶ ଲାଗି ଅତିରିକ୍ତ ବଜେଟ୍‌ରେ ୧୨୮ କୋଟି ରଖିଛନ୍ତି ଅର୍ଥ ବିଭାଗ। ଏହାବ୍ୟତୀତ ଆର୍ଥିକ ବର୍ଷ ଶେଷରେ ରାଜ୍ୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠିରେ ଥିବା ବଳକା ଅର୍ଥ ବାବଦକୁ ୨୬୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

 

ସମ୍ବନ୍ଧିତ ଖବର