ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବିଧାନସଭାରେ ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷ (୨୦୨୪-୨୫) ଲାଗି ରାଜ୍ୟ ସରକାର ମୂଳ ବଜେଟ୍ରେ୨.୬୫ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ତେବେ ଅସମ୍ପୂର୍ଣ୍ଣ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା, ନୂଆ ଯୋଜନା ଲାଗି ପାଣ୍ଠି ବ୍ୟବସ୍ଥା ଭଳି ବିଷୟ ବିଚାରକୁ ନେଇ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯାଇଛି। ଏଥିରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିଭଳି ଭରତପୁର ଥାନା ଅଘଟଣ ପରେ କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ଲଗାଇବା ପାଇଁ ୫୧ କୋଟି ଟଙ୍କା ବରାଦ କରାଯାଇଛି। ନିର୍ବାଚନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁଭଦ୍ରା ଯୋଜନା ଲାଗି ଅତିରିକ୍ତ ବଜେଟ୍ରେ ୧୧୯୬ କୋଟି ଟଙ୍କା ରଖାଯାଇଛି।
ବଜେଟ୍ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣ ଶିକ୍ଷା, ଗୃହନିର୍ମାଣ ଓ ନଗର ଉନ୍ନୟନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଅର୍ଥ ବିଭାଗ ଲାଗି ୧୭୫୦ କୋଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୫୩୦ କୋଟି, ମହିଳା ଓ ଶିଶୁ ବିକାଶକୁ ୧୨୩୦ କୋଟି, ବିଦ୍ୟାଳୟ ଓ ଗଣ ଶିକ୍ଷାକୁ ୧୧୧୪ କୋଟି, ଗୃହନିର୍ମାଣ ଓ ନଗର ଉନ୍ନୟନ ପାଇଁ ୧୦୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ବ୍ୟବସ୍ଥା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୨୦୩ କୋଟି ଟଙ୍କା ଦିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ଲାଗି ଅତିରିକ୍ତ ବଜେଟ୍ରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ୨୬ କୋଟି ଟଙ୍କା ଓ ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କା ଦିଆଯାଇଛି। ଶ୍ରଦ୍ଧାଳୁମାନଙ୍କୁ ସାଙ୍ଗରେ ନେଇ ରଥ ଚଢ଼ିବା କଟକଣା ପରିପ୍ରେକ୍ଷୀରେ ଦଇତାପତିମାନଙ୍କୁ କ୍ଷତିପୂରଣ ବାବଦରେ ୧୨ କୋଟି ଟଙ୍କା ଦେବାକୁ ବଜେଟ୍ରେ ବ୍ୟବସ୍ଥା କରାଯାଇଛି। କୋଠ ଭୋଗ ଦାନ ଯୋଜନା ପାଇଁ୧୫ କୋଟି ଟଙ୍କା, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ପାରିଶ୍ରମିକ ପାଇଁ ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନଦାଥ ମନ୍ଦିରକୁ ଅନୁଦାନ ବାବଦରେ ୩୧ କୋଟି ଟଙ୍କା ଦିଆଯାଇଛି।
ସୁଭଦ୍ରା ଯୋଜନାକୁ ୧୧୯୬ କୋଟି ଟଙ୍କା
ବନୀକରଣ, ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ବ
କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ ଲାଗି ୯୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ଗୋଦାମ ଭିତ୍ତିଭୂମି ପାଣ୍ଠି ବାବଦରେ ୧୦ କୋଟି ଟଙ୍କା ଦିଆଯାଇଛି। ଉଠାଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଓ ନବୀକରଣ ଲାଗି ୮୦ କୋଟି, ଭୂତଳ ଜଳର ସ୍ଥାୟୀ ଉପଯୋଗ ଲାଗି ୧୩୦ କୋଟି, ବନ୍ୟା ନିୟନ୍ତ୍ରଣ ଓ ଡ୍ରେଜେନ୍ ପାଇଁ ୬୬ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ସାମାଜିକ ନିରାପତ୍ତା କ୍ଷେତ୍ରରେ ମଧୁବାବୁ ପେନ୍ସନ୍ ଯୋଜନାକୁ ୩୩୮ କୋଟି ଟଙ୍କା, ଦିବ୍ୟାଙ୍ଗ କଲ୍ୟାଣ ପାଇଁ ୧୬ କୋଟି ଟଙ୍କା, ଭିନ୍ନକ୍ଷମ ଓ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ପ୍ରୋତ୍ସାହନ ପାଇଁ ୧୦ କୋଟି ଟଙ୍କା ଓ ବିଧବା ଭତ୍ତା ଲାଗି ୧୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ସରକାର ୬୪୪ କୋଟି ଟଙ୍କା ଦେଇଛନ୍ତି। ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପାଇଁ ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ଔଷଧୀୟ ଉଦ୍ଭିଦ ମିଶନ ପାଇଁ ୨୦ କୋଟି ଟଙ୍କା ଦିଆଯାଇଛି।
ବିଧାନସଭା କୋଠା ନିର୍ମାଣ ଲାଗି ୬ କୋଟି ଟଙ୍କା ଦିଆଯାଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟରେ ଅତିଥି ଅଧ୍ୟାପକଙ୍କ ଦରମା ପାଇଁ ୨୦ କୋଟି ଟଙ୍କା, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦକୁ ୧୩ କୋଟି ଟଙ୍କା, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଲାଗି ୫ କୋଟି ଟଙ୍କା, ଉତ୍କଳ ବିଶ୍ବବିଦ୍ୟାଳୟକୁ ୧୩ କୋଟି ଟଙ୍କା ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ଲାଗି ୯ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସରକାରୀ ସାଧାରଣ ମହାବିଦ୍ୟାଳୟ ଓ ସରକାରୀ ପ୍ରଶିକ୍ଷଣ ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ଯଥାକ୍ରମେ ୩୭ କୋଟି ଟଙ୍କା ଓ ୧୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଲାଗି ୪୮ କୋଟି ଟଙ୍କା, ସଂସ୍କୃତି ନିର୍ଦ୍ଦେଶାଳୟକୁ ୯୯ କୋଟି ଟଙ୍କା, କଳା ମଣ୍ଡଳ ପ୍ରତିଷ୍ଠା ପାଇଁ ୩୦ କୋଟି ଟଙ୍କା, ରାଜ୍ୟ ସଂଗ୍ରହାଳୟ ଓ ଗବେଷଣା ପାଇଁ ୧୨ କୋଟି ଟଙ୍କା, ହସ୍ତତନ୍ତ ଶିଳ୍ପର ପ୍ରୋତ୍ସାହନ ପାଇଁ ୧୧ କୋଟି ଟଙ୍କା ଏବଂ ପର୍ଯ୍ୟଟନର ପ୍ରସାରଲାଗି ୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଅତିରିକ୍ତ ବଜେଟ୍ରେ ବନୀକରଣ ପାଣ୍ଠି କ୍ଷତିପୂରଣ ଲାଗି ୧୨୦ କୋଟି ଟଙ୍କା, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ଜୈବ ବିବିଧତା ପରିଷଦ ପାଇଁ ୧୦ କୋଟି ଟଙ୍କା, ସବୁଜ ମହାନଦୀ ମିଶନ ପାଇଁ ୧୦ କୋଟି ଟଙ୍କା, ସବୁଜିମା ବୃଦ୍ଧି ଲାଗି ୪୦ କୋଟି ଟଙ୍କା, ଇକୋ-ଟୁରିଜିମ୍ ପାଇଁ ୨୦ କୋଟି ଟଙ୍କା, ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ ଲାଗି ୨୩ କୋଟି ଟଙ୍କା, ବ୍ୟାଘ୍ର ପ୍ରକଳ୍ପ ଲାଗି ୯ କୋଟି ଟଙ୍କା, ହାତୀ କରିଡର ପରିଚାଳନା ପାଇଁ ୫ କୋଟି ଟଙ୍କା ଏବଂ ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ପାଇଁ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
ଗ୍ରାମୀଣ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୨୭୦ କୋଟି ଟଙ୍କା ଦିଆଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନାକୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ସହରାଞ୍ଚଳ ନାଳବାହିତ ଆବର୍ଜନା ପରିଚାଳନା ଯୋଜନାକୁ ୧୪୮ କୋଟି ଟଙ୍କା, ଜଳ ଯୋଗାଣକୁ ୨୨୦ କୋଟି ଟଙ୍କା, ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳ ଯୋଗାଣ ପାଇଁ ୫୨ କୋଟି ଟଙ୍କା, ସହରାଞ୍ଚଳ ପରିବର୍ତ୍ତନ ପଦକ୍ଷେପକୁ ୩୫୦ କୋଟି ଟଙ୍କା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୧୫୦ କୋଟି ଟଙ୍କା ଓ ସ୍ବଚ୍ଛ ଭାରତ ଅଭିଯାନ ପାଇଁ ୫୯୨ କୋଟି ଟଙ୍କା ଦିଆଯାଇଛି। ସରକାର ସୂଚିତ କରିଛନ୍ତି ଯେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି)କୁ ଋଣ ପ୍ରତିଶତ ୧୦.୧୨ ପ୍ରତିଶତ ରହିଛି। ସୁଧ ଦେୟ ଓ ରାଜସ୍ବ ଅନୁପାତ ୧.୮୫ ପ୍ରତିଶତ ଓ ରାଜସ୍ବ ବଳକା ୩.୦୧ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/27/eMKyHQIXIuYayJZUYQBN.jpg)