ଭୁବନେଶ୍ବର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସନ୍ରେ ଯିବା ପରେ ରାଜ୍ୟ ସରକାର ଶନିବାର ଦିନ ତିନି ବରିଷ୍ଠ ଆଇଏଏସ୍ଙ୍କୁ ବିଭିନ୍ନ ବିଭାଗର ଅତିରିକ୍ତ ଦାୟିତ୍ବ ଦେଇଛନ୍ତି।
ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହାସହ ଶ୍ରୀ ସିଂହ ଏବେ ଯେପରି ଓଏମ୍ସିର ଅଧ୍ୟକ୍ଷ, ଓଡ଼ିଶା ମିନେରାଲ ଏକ୍ସପ୍ଲୋେରସନ୍ କର୍ପୋରେସନ୍ ଲିମିଟେଡ୍ର ଅଧ୍ୟକ୍ଷ ଏବଂ ଇଡ୍କଲର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି ସେମିତି ଅତିରିକ୍ତ ଦାୟିତ୍ବରେ ରହିବେ।
ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂହ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ, ବିଡିଏର ଉପାଧ୍ୟକ୍ଷ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ଥିବାବେଳେ ଏବେ ତାଙ୍କୁ କମର୍ସିଆଲ ଟ୍ୟାକ୍ସେସ୍ ଏବଂ ଜିଏସ୍ଟି କମିସନର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଏଥିରେ ସୁଶୀଲ କୁମାର ଲୋହାନୀଙ୍କ ଠାରୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଅବକାରୀ ଓ କମର୍ସିଆଲ ଟ୍ୟାକ୍ସେସ୍ ଏବଂ ଜିଏସ୍ଟି କାଢ଼ି ଦିଆଯାଇଛି। ଏହାକୁ ଏକାଧିକ ବିଭାଗ ଦାୟିତ୍ବରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ଏବେବି ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଗୋଟିଏ ଲେଖାଏଁ ପଦବିରେ ଥିବାବେଳେ ବହୁ ବରିଷ୍ଠ ଆଇଏଏସ୍ ଗୁରୁତ୍ବହୀନ ପଦବିରେ ଅଛନ୍ତି। କିନ୍ତୁ କିଛି ନିର୍ଦ୍ଦିଷ୍ଟ ସଚିବଙ୍କୁ ପୁଣି ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇ ଭାରାକ୍ରାନ୍ତ କରାଯାଇଛି।