୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ କରାଯାଇଛି, ସୂଚନା ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ ୪୦,୭୧୧ କୋଭିଡ୍‌ ଟେଷ୍ଟ କରାଯାଇଛି। କ୍ରମାଗତ ଭାବେ ଗତ ୪ ଦିନ ହେଲା ଟେଷ୍ଟିଂ ସଂଖ୍ୟା ବଢ଼ିଚାଲିଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଅଗଷ୍ଟ ୨୦ ତାରିଖ ସୁଦ୍ଧା ୫୦ ହଜାରରୁ ଅଧିକ ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଏଥିମଧ୍ୟରେ ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନେଟ୍ କୋଭିଡ୍‌ ଟେଷ୍ଟ କରାଯାଇଛି। ଏସବୁ ପରୀକ୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଇଛି। ଯେତେ ଅଧିକ ଟେଷ୍ଟ କରାଯିବ, ସେତେ ଅଧିକସଂଖ୍ୟକ ପଜିଟିଭ୍ ମାମଲା ଆସିବାର ବି ଆଶଙ୍କା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ ଆରଟିପିସିଆର୍ ମେସିନ୍ ସ୍ଥାପନ କରିବା ସହିତ ରାଜ୍ୟରେ ଲାବ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ସବ୍-ଡିଭିଜନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରସ୍ତରରେ ଟେଷ୍ଟିଂ ସୁବିଧା ପ୍ରଦାନ କରାଯିବ। ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗଭର ହେବ ସେଥିପାଇଁ ପଞ୍ଚାୟତ ସ୍ତରରେ ସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି ଜଣାଯାଇଥିଲା।

ସମ୍ବନ୍ଧିତ ଖବର