ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ,ବିସ୍ଥାପିତଙ୍କ ଜମି ବିବାଦର ସମାଧାନ ନିର୍ଦ୍ଦେଶ

ରାଉରକେଲା: ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବୁଧବାର ରାଉରକେଲାରେ ପହଞ୍ଚିଥିଲେ। ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ। ରାଉରକେଲା ଇସ୍ପାତ କାରଖାନା ସମ୍ପର୍କିତ ଜମିଜମା ପ୍ରସଙ୍ଗ, ରେଜିଷ୍ଟ୍ରେସନ ଅଫିସର ଉନ୍ନତିକରଣ, ଜମି ଅଧିକାର ସଂକ୍ରାନ୍ତୀୟ ପ୍ରସଙ୍ଗ, ବିସ୍ଥାପନ କମିଟି ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମ୍ପର୍କିତ ଜମିଜମା ବିଷୟରେ ସେ ଅନୁଧ୍ୟାନ କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ରାଉରକେଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ପ୍ରଶାସନକୁ ହସ୍ତାନ୍ତର ହୋଇଥିବା ଜମି ସବୁ ବୁଲି ଦେଖିଥିଲେ। ବିଭିନ୍ନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକମାନଙ୍କର ଜମିଜମା ସଂକ୍ରାନ୍ତରେ ରହିଥିବା ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ କରିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେ ପ୍ରଥମେ କୋଏଲନଗରଠାରେ ଶିଳ୍ପ ବିସ୍ଥାପିତମାନଙ୍କୁ ଯେଉଁ ଜମି ପ୍ରଦାନ କରାଯିବ ତାହା ବୁଲି ଦେଖିଥିଲେ।  ବନ୍ଧମୁଣ୍ଡାର ବରକାନିଠାରେ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ସ୍ଥାନରେ କାରଖାନା ପକ୍ଷରୁ ବିସ୍ଥାପିତ ଲୋକମାନଙ୍କର ଥଇଥାନ ପାଇଁ ଥିବା ଜମି ବିଷୟରେ ମଧ୍ୟ ସେ ସମୀକ୍ଷା କରିଥିଲେ। ୨୦୨୩ରେ ଭୁବନେଶ୍ୱର ସହ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରାଯିବ। ଏଥିପାଇଁ ବିପିୟୁଟି କ୍ୟାମ୍ପସଠାରେ ନିର୍ମାଣ କରାଯାଉଥିବା ଦେଶର ସର୍ବବୃହତ୍ ହକି ଷ୍ଟାଡିୟମର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ଶ୍ରୀ ସାହୁ। ପାନପୋଷଠାରେ ଥିବା ସର୍କିଟ ହାଉସର ନବୀକରଣ କରାଯିବା ନେଇ ମଧ୍ୟ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ଜମିଜମା ସଂକ୍ରାନ୍ତୀୟ ତଥ୍ୟକୁ ଡିଜିଟାଲାଇଜ୍ କରିବା ପାଇଁ ହାଇଟେକ୍ ସର୍ଭେ କରାଯାଉଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବିଭିନ୍ନ ରାଜସ୍ୱ ଅଧିକାରୀଙ୍କ ସହିତ ଜିଲ୍ଲାର ରାଜସ୍ୱ ତଥା ଜମିଜମା ସଂକ୍ରାନ୍ତୀୟ ଆଲୋଚନା କରିଥିଲେ। ଏହାସହ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ନାମରେ ଜମିପଟ୍ଟା କରାଯିବା ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ଗସ୍ତ ବେଳେ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସର୍ଭେର ନିର୍ଦ୍ଦେଶକ ତୁଷାରକାନ୍ତ ମହାନ୍ତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ଅମୀୟ କୁମାର ସାହୁ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା

ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ପାନପୋଷ ଆରଆଇ ନିରଜ ଗୁପ୍ତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର