ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାର ପ୍ରତିବାଦରେ ଜିଲ୍ଲା ସ୍ତରରେ ଗତକାଲି ଠାରୁ ଓଏଏସ୍‌ ଅଧିକାରୀମାନେ ଛୁଟିରେ ଯାଇଥିବାରୁ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇପାରୁ ନାହିଁ। ସାରା ରାଜ୍ୟରେ ସରକାରୀ କାର୍ଯ୍ୟ ଭୀଷଣ ବାଧାପ୍ରାପ୍ତ ହୋଇଛି। ଦୁଇ ଦିନ ତଳେ ସମୂହ ଛୁଟି ନିଷ୍ପତ୍ତିକୁ ସାମୟିକ ସ୍ଥଗିତ ରଖିଥିବା ଓଏଏସ୍‌ ସଂଘର ରାଜ୍ୟ କମିଟି ଆଜିଠାରୁ ସମୂହ ଛୁଟି ଘୋଷଣା କରିଛି। ଫଳ‌ରେ ବ୍ଲକ୍‌ଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ଠପ୍ ହୋଇଯାଇଛି। ସାଧାରଣ ଲୋକ ନାହିଁ ନଥିବା ସମସ୍ୟା ଭୋଗିଛନ୍ତି। ଏହି ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନକଲା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଓଏଏସ୍‌ ସଂଘ ରୋକ୍‌ଠୋକ୍‌ ଜଣାଇ ଦେଇଛି। ସମାଧାନର ବାଟ ବାହାର କରିବାକୁ ଆଜି ଲୋକସେବା ଭବନରେ ଦିନତମାମ କସରତ ଚାଲିଥିଲେ ବି ତାହା ଫଳପ୍ରଦ ହୋଇ ନାହିଁ। 

Advertisment

ଜୁନ୍‌ ୩୦ ତାରିଖ ଘଟଣା ଘଟିବା ଦିନ ଓଏଏସ୍‌ ସଂଘ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲା। ତେବେ ରାତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା। ଏହାକୁ ନେଇ ସଂଘରେ ଫାଟ ଦେଖାଦେଇଥିଲା। ସଂଘର ଜିଲ୍ଲା ଶାଖାଗୁଡ଼ିକ ଏହାକୁ ମାନି ନଥିଲେ। ସେମାନେ ଗତକାଲି ବୈଠକ ଡାକି ଘଟଣାକୁ ନିନ୍ଦା କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବାକୁ ଘୋଷଣା କରିଥିଲେ। ଓଏଏସ୍‌ ଅଧିକାରୀମାନେ ଆଜି ମଧ୍ୟ ଛୁଟିରେ ରହିଥିଲେ। ଫଳରେ ଜିଲ୍ଲା, ବ୍ଲକ୍‌, ତହସିଲ୍‌ ଅଫିସରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସାଧାରଣ ଲୋକ ବିଭିନ୍ନ କାମରେ ଅଫିସକୁ ଆସି ହଇରାଣ ହୋଇଥିଲେ। ତେବେ ପୁରୀରେ ରଥଯାତ୍ରା ପାଇଁ ଓଏଏସ୍‌ ଅଧିକାରୀମାନେ ଛୁଟିରେ ଯାଇ ନଥିବା ଜଣାପଡ଼ିଛି।

ଜିଲ୍ଲା ସ୍ତରରେ ଓଏଏସ୍‌ ଅଧିକାରୀଙ୍କ ସମୂହ ଛୁଟି ଦ୍ବିତୀୟ ଦିନ‌ରେ
ଓଏଏସ୍‌ ସଂଘ ରାଜ୍ୟ ଶାଖାର ବି ସମୂହ ଛୁଟି ନିଷ୍ପତ୍ତି
ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ପାଇଁ ଅଡ଼ି ବସିଛି ସଂଘ
ମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ଆଜି ଓଏଏସ୍‌ ସଂଘର ରାଜ୍ୟ ଶାଖା ବି ଆନ୍ଦୋଳନକୁ ଓହ୍ଲାଇଥିଲା। ପୂର୍ବାହ୍ଣରେ ସଂଘର କୋର୍ କମିଟି ବୈଠକ ବସି ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରସ୍ତୁତ କରାଯାଇଥିଲା। ଏଥିରେ ସିଧାସଳଖ ଭାବେ ଘଟଣାର କିଙ୍ଗ୍‌ପିନ୍‌ ଭାବେ ଜଗନ୍ନାଥ ପ୍ରଧାନଙ୍କ ନାମ ଉଲ୍ଲେଖ କରାଯିବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଥିଲା। ଏହା ସହ କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ତହସିଲଦାର, ଉପଜିଲ୍ଲାପାଳ, ବିଡିଓ ଓ ନିର୍ବାହୀ ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଦାବି ହୋଇଥିଲା। ପରେ ସଂଘର କର୍ମକର୍ତ୍ତାମାନେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବି ସହ କୌଣସି ସାଲିସ କରାଯିବ ନାହିଁ ବୋଲି ସଂଘ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲା। ଆଜି ଭୁବନେଶ୍ବରରେ ଓଏଏସ୍ ଅଧିକାରୀମାନେ କାମ ନକରି ଛୁଟିରେ ରହିଥିଲେ। 

ଓଏଏସ୍ ସଂଘକୁ ଓଡ଼ିଶା ରାଜସ୍ବ ସେବା ସଂଘ(ଓଆର୍‌ଏସ୍) ସମର୍ଥନ କରି ଆସୁଛି। ଗତକାଲି ଠାରୁ ଓଆର୍‌ଏସ୍ ଅଧିକାରୀମାନେ ମଧ୍ୟ ସମୂହ ଛୁଟିରେ ଯାଇଛନ୍ତି। ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସଂଘର କର୍ମକର୍ତ୍ତାମାନଙ୍କୁ ଡାକି ଆଲୋଚନା କରିଥିଲେ। ସରକାର ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ପ୍ରତିଶ୍ରୁତି ଦେବା ସହ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଥିଲେ। ଏହାପରେ ଓଆର୍‌ଏସ୍ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ମଧ୍ୟ ଓଏଏସ୍ ସଂଘକୁ ନୈତିକ ସମର୍ଥନ ଦେବ ବୋଲି ସଂଘର ସଭାପତି କନିଷ୍କ ବୋଧିସତ୍ତ୍ବ ଗଣମାଧ୍ୟମକୁ କହିଥିଲେ। ପୂରା ରାଜ୍ୟରେ ପ୍ରଶାସନିକ କାର୍ଯ୍ୟ ଠପ୍ ହୋଇଯାଇଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟାହ୍ନରେ କିଛି ମନ୍ତ୍ରୀଙ୍କୁ ଡାକି ଏ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଓଏଏସ୍‌ ଅଧିକାରୀମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନ‌ା କରି ସମାଧାନର ବାଟ ବାହାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ତାହା ସଫଳ ହୋଇ ନଥିଲା। ତେଣୁ ଆସନ୍ତାକାଲି ମଧ୍ୟ ସରକାରୀ କାର୍ଯ୍ୟାଳୟରେ ଅଚଳାବସ୍ଥା ଜାରି ରହିବାର ଆଶଙ୍କା ଦେଖାଦେଇଛି।