ଭୁବନେଶ୍ବର: ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। ସାରା ରାଜ୍ୟରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଏମ୍ସି କର୍ମଚାରୀ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଓଆର୍ଏସ୍ ଓ ଓଏଏସ୍ ଅଧିକାରୀ ସମୂହ ଛୁଟିରେ ଯାଉଥିବାରୁ ପ୍ରଶାସନିକସ୍ତରରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଖାରବେଳନଗର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଦୁଇ ଅଭିଯୁକ୍ତ ଝାରପଡ଼ା ଅଞ୍ଚଳର ସଞ୍ଜୀବ ମିଶ୍ର ଓ ଲକ୍ଷ୍ମୀସାଗର ଅଞ୍ଚଳର ସଚ୍ଚିକାନ୍ତ ସ୍ବାଇଁଙ୍କୁ ଗିରଫ କରିଛି। ଗତକାଲି ଗିରଫ ହୋଇଥିବା କର୍ପୋରେଟର ଅପରୂପ ନାରାୟଣ ରାଉତ (ଜୀବନ), ରଶ୍ମିରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କ ସମେତ ଆଜି ଗିରଫ ହୋଇଥିବା ଦୁଇ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ହେଲେ ଏବେ ବି ୫ରୁ ଅଧିକ ଫେରାର ଥିବା ପୁଲିସ କହିଛି।
ସ୍ବଚ୍ଛସାଥୀ ରେବତୀ ରାଉତଙ୍କୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା କଥା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ସ୍ବଚ୍ଛସାଥୀ ରେବତୀ ବିଜେପି ସଭାକୁ ଲୋକ ନେଇ ଯାଉଥିବାରୁ ୩୪ ନମ୍ବର ୱାର୍ଡର କର୍ପୋରେଟର ତାଙ୍କ ନାମରେ ଅଭିଯୋଗ କରିବା ଏବଂ ଏ ନେଇ ଅତିରିକ୍ତ କମିସନରଙ୍କ ହସ୍ତକ୍ଷେପ ଘଟଣା ମଧ୍ୟ ସାମନାକୁ ଆସିଛି। ବିଜେପି ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲି ଅତିରିକ୍ତ କମିସନରଙ୍କ ଉପରେ ଆରୋପ ଲଗାଇଛନ୍ତି। ଅତିରିକ୍ତ କମିସନର ସ୍ବଚ୍ଛସାଥୀ ଓ ତାଙ୍କୁ ଖରାପ ବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଛନ୍ତି। ସେହିପରି ବିଜେପିକୁ ଟାର୍ଗେଟ୍ କରି ବିରୋଧୀ ବର୍ଷିଛନ୍ତି। ବିଜେଡି, କଂଗ୍ରେସ, ଆପ୍ ପ୍ରମୁଖ ରାଜନୈତିକ ଦଳ ଘଟଣା ପଛର ମୁଖ୍ୟ ଷଡ଼୍ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ଆଉ ୨ ଗିରଫ, ୫ରୁ ଅଧିକ ଫେରାର
ବିଏମ୍ସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ସହରରେ ସଫେଇ ବନ୍ଦ କଲେ କର୍ମଚାରୀ
ବିଜେପିରୁ ନିଲମ୍ବିତ ହେଲେ ୫ ଅଭିଯୁକ୍ତ
ଅନ୍ୟପଟେ ଏହି ଘଟଣାକୁ ନେଇ ବିଏମ୍ସି ଅଧିକାରୀ/କର୍ମଚାରୀମାନେ ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ଭେଟି ଦାବିପତ୍ର ଦେବା ସହ କଳାବ୍ୟାଜ୍ ପିନ୍ଧି କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଫଳରେ ଆଜି ବିଏମ୍ସି କାର୍ଯ୍ୟାଳୟର ସମସ୍ତ କାମ ଠପ୍ ହୋଇଯାଇଛି। କେବଳ କାର୍ଯ୍ୟାଳୟ ଭିତରେ ନୁହେଁ, ବରଂ ବିଏମ୍ସିର ୱାର୍ଡମାନଙ୍କରେ ସଫେଇ କର୍ମଚାରୀ, ସ୍ବଚ୍ଛସାଥୀମାନେ ମଧ୍ୟ କାମ ବନ୍ଦ କରି ଦେଇଛନ୍ତି। ଫଳରେ ସହରର ଅଧିକାଂଶ ସ୍ଥାନରେ ଆଜି ଅଳିଆ ଉଠି ପାରିନାହିଁ। ଏ ଘଟଣାର ସମାଧାନ ନ ହେଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଗତକାଲି ବିଜେଡି କର୍ପୋରେଟର ଓ ନେତାମାନେ ଆନ୍ଦୋଳନ କରିଥିବା ବେଳେ ପୁଲିସ ସେମାନଙ୍କୁ ରାଜରାସ୍ତାରୁ ଉଠେଇ ନେଇଥିଲା। ହେଲେ ଆଜି ପୁଣି ବିଜେଡି କର୍ପାରେଟରମାନେ ବିଏମ୍ସି ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନରେ ବସିଥିଲେ। ତୁରନ୍ତ ମୁଖ୍ୟ ଅଭିଯୁକ୍ତ ଓ ଷଡ଼୍ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ତେବେ ମେୟର ସୁଲୋଚନା ଦାସ ଆସି ବୁଝାସୁଝା କରି ସେମାନଙ୍କୁ ଉଠାଇଥିଲେ।
ଅତିରିକ୍ତ କମିସନରଙ୍କ ଅଭିଯୋଗ ଅଧାରରେ ଖାରବେଳନଗର ଥାନା ପୁଲିସ କେସ୍ ନଂ-୨୮୦ରେ ବିଏନ୍ଏସ୍ ଦଫା ୩୩୩/୧୩୨/୧୨୧(୧)/୧୨୧(୨)/୧୦୯/୩୫୧(୨)/୬୨/୧୪୦(୨)/୩୦୪/୫୪/୬୧(୨)/୧୮୯(୨)/୧୯୦/୩(୫)ରେ ମାମଲା ରୁଜୁ କରିଛି। ଏହି ଘଟଣାରେ ରାଜ୍ୟ ବିଜେପି କଠୋର ଆଭିମୁଖ୍ୟ ନେଇଛି। ଗିରଫ ହୋଇଥିବା ୫ ଜଣଙ୍କୁ ଦଳର ସଭାପତି ମନମୋହନ ସାମଲ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି। ଏମାନେ ସମସ୍ତେ ବିଜେପିର ଭୁବନେଶ୍ବର ଜିଲ୍ଲା ଶାଖାର ସକ୍ରିୟ କର୍ମୀ ଥିଲେ। ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂହ ଏହି ଘଟଣାକୁ ଗତକାଲି ନିନ୍ଦା କରିଥିଲେ। ଦୋଷୀଙ୍କ ବିରୋଧରେ ଆଇନଗତ ଓ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପରାଜିତା ମତ ଦେଇଥିଲେ।
ନୂଆ ମୋଡ଼ ନେଲା
ଭୁବନେଶ୍ବର: ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣା ଆଜି ନୂଆ ମୋଡ଼ ନେଇଛି। ପ୍ରକୃତରେ କେଉଁ କାରଣ ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଲା ତାକୁ ନେଇ ଖୋଳତାଡ଼ ଚାଲିଛି। ଠିକ୍ ଏହି ସମୟରେ ବିଜେଡି ନେତା ସିଧାସଳଖ ଭୁବନେଶ୍ବର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ଆଣିଛନ୍ତି। ତାଙ୍କୁ ଗିରଫ କରିବାକୁ ବିଜେଡି ଦାବି କରୁଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ଜଗନ୍ନାଥ। ପ୍ରତିକ୍ରିୟା ରଖି ଘଟଣା ପଛର କଥା ସବୁ ଗଣମାଧ୍ୟମକୁ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା। ଏହାକୁ ମୁଁ ନିନ୍ଦା କରୁଛି। ଏହି ଘଟଣାରେ ଦଳୀୟ କର୍ମୀଙ୍କ ସଂପୃକ୍ତି ରହିଛି, ଏହା ସତ। ହେଲେ ଗୋଟିଏ ହାତରେ କେବେ ବି ତାଳି ବାଜେନି। ଜଣେ ସରକାରୀ ଅଧିକାରୀ ଭାବେ ସେ ମଧ୍ୟ ସାଧାରଣ ଲୋକଙ୍କୁ ଖରାପ ବ୍ୟବହାର କରିଛନ୍ତି। ଯାହାଫଳରେ ଏପରି ଘଟଣା ଘଟିଛି। ଦୁର୍ବ୍ୟବହାର ଘଟଣା ବେଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉ। ପ୍ରଥମେ ସରକାରୀ ଅଧିକାରୀଙ୍କ ଦୁର୍ବ୍ୟବହାରରେ ଉତ୍ତ୍ୟକ୍ତ ହୋଇ ଦଳର ପିଲା ତାଙ୍କୁ ଆକ୍ରମଣ କରିଥିଲେ। ସେତେବେଳେ ସମାନ ଜାଗାରେ ମେୟରଙ୍କ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ। ଏପରିକି ବିଏମ୍ସି ଅଫିସ୍ର ସୁରକ୍ଷାକର୍ମୀ ମଧ୍ୟ ଥିଲେ। ହେଲେ ସମସ୍ତେ ଭିଡିଓ ସୁଟିଂ କରୁଥିଲେ। ଏପରି କରିବା ପାଇଁ ମେୟରଙ୍କ ନିର୍ଦ୍ଦେଶ ଥିଲା। ତେବେ ସେହି ଭିଡିଓକୁ ହିଁ ମେୟର ଗଣମାଧ୍ୟମକୁ ପଠାଇଛନ୍ତି। ମେୟର ଚାହିଥିଲେ ଘଟଣା ଏତେ ବଢ଼ି ନଥାନ୍ତା। ହେଲେ ମେୟର ଏହାକୁ ଜାଣିଶୁଣି କରିଛନ୍ତି। ବିରୋଧୀଙ୍କୁ ଏକ ପ୍ରସଙ୍ଗ ମିଳିବା ପାଇଁ ଏପରି କରାଯାଇଛି। ଏଥିସହ ଶ୍ରୀ ପ୍ରଧାନ କହିଛନ୍ତି, ସ୍ବଚ୍ଛସାଥୀ ରେବତୀ ରାଉତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ମିସନ୍ ଶକ୍ତି ମହିଳାମାନଙ୍କୁ ନେଇ ଯାଇଥିବାରୁ ବିଜେଡି କର୍ପୋରେଟର ଓ ତାଙ୍କ ସ୍ବାମୀ ଧମକ ଦେଇଥିଲେ। ଅତିରିକ୍ତ କମିସନର ମିଛ ରିପୋର୍ଟ ଦେଇ ତାଙ୍କ ଚାକିରି ନେବାକୁ ଚେଷ୍ଟା କରୁଥିଲେ। ଏହି ପ୍ରସଙ୍ଗରେ ମୁଁ ଅଧିକାରୀଙ୍କୁ ସହ କଥା ହୋଇଥିଲି। କିନ୍ତୁ ସେ ମୋତେ ତୁମେ କିଏ ମୋତେ ପଚାରିବାକୁ କହିଲେ। ଖରାପ ବ୍ୟବହାର କଲେ। ଏହାକୁ ଶୁଣି ଆମ ଦଳର କର୍ମୀମାନେ ଅଧିକାରୀଙ୍କୁ ପଚାରିଥିଲେ। ଏହାପରେ ସେଠାରେ ଅଭାବନୀୟ ଘଟଣା ଘଟିଥିଲା।
ସେହିଭଳି ଆଜିର ଦିନରେ ସରକାରୀ ଅଧିକାରୀଙ୍କ ବିଜେଡି ପ୍ରୀତି ଛାଡ଼ିନି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଯେଉଁଠି ଜନପ୍ରତିନିଧିମାନଙ୍କୁ ସମ୍ମାନ ଦିଆଯାଉନାହିଁ, ସେଠି ସାଧାରଣ ନାଗରିକଙ୍କ ସ୍ଥିତି କ’ଣ ଥିବ ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଏହାକୁ ବରଦସ୍ତ କରିବେ ନାହିଁ। ଉଚିତ ସମ୍ମାନ ଦିଆନଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ସ୍ବଚ୍ଛସାଥୀ ରେବତୀ ରାଉତ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ୩୪ ନମ୍ୱର ୱାର୍ଡରେ ସ୍ୱଚ୍ଛସାଥୀ ଭାବେ ସଫେଇ ଦାୟିତ୍ୱରେ ୫ ବର୍ଷ ହେବ ଅଛି। ମିସନ୍ ଶକ୍ତିରେ କାମ କରୁଥିବାରୁ, ସରକାରୀ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ନେବା ଦାୟିତ୍ୱ ବହନ କରିଥାଏ। ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲୋକ ନେଇ ଯାଇଥିଲି। ଯେଉଁଥିପାଇଁ ସ୍ଥାନୀୟ କର୍ପୋରେଟର ଓ ତାଙ୍କ ସ୍ବାମୀ ମୋତେ ଧମକ ଦେଇଥିଲେ। ବିଜେପି କାର୍ଯ୍ୟକ୍ରମକୁ ଲୋକ ନେଲେ ଚାକିରି କରିପାରିବୁ ନାହିଁ ବୋଲି ଧମକ ଦେଇଥିଲେ। ଏମିତିକି କର୍ପୋରେସନ୍ ବୈଠକରେ ଅଭିଯୋଗ ଆଣିଥିଲେ। ଏହାପରେ ଅତିରିକ୍ତ କମିସନର ରତ୍ନାକର ସାହୁ କର୍ପୋରେଟରଙ୍କ ଉପସ୍ଥିତିରେ ତାଙ୍କ ଚାମ୍ବରକୁ ଡକାଇଥିଲେ। ସେଠାରେ ଅତିରିକ୍ତ କମିସନର ମୋତେ ଅଯଥା ଗାଳିଗୁଲଜ କରିବା ସହ ମୋ ନାମରେ କାମ ନ କରିବା, ଲାଞ୍ଚ ନେବା ଭଳି ମିଛ ଅଭିଯୋଗ ଆଣିଥିଲେ। ଚାକିରି ନେଇଯିବେ ବୋଲି ଖୋଲାଖୋଲି ଧମକ ଦେଇଥିଲେ। ଏଥିସହ କର୍ପୋରେଟର ମହିଳାଙ୍କ ସ୍ବାମୀ ସହ ସାଲିସ କରିବାକୁ କହିଥିଲେ। ମୁଁ ତାଙ୍କ କଥା ନ ମାନିବାରୁ ମୋ ନାଁରେ ମିଛ ଅଭିଯୋଗ ଆଣିଲେ। ମୋ ନାମରେ ମିଛ ରିପୋର୍ଟ ପ୍ରସ୍ତୁତ କରି କମିସନରଙ୍କୁ ଦେଲେ। ଏକଥା ମୁଁ ଜଗା ଭାଇଙ୍କୁ ଜଣାଇଥିଲି ଏବଂ ଅତିରିକ୍ତ କମିସନରଙ୍କ ଏଭଳି ବ୍ୟବହାର ବିରୋଧରେ ଗତକାଲି ପୂର୍ବାହ୍ନ ୧୦ଟାରେ ମୁଁ ଖାରବେଳନଗର ଥାନାରେ ଏତଲା ଦେଇଥିଲି ବୋଲି ସେ କହିଛନ୍ତି।
ଏ ନେଇ ଅତିରିକ୍ତ କମିସନର ଶ୍ରୀ ସାହୁ କହିଛନ୍ତି, ଗତକାଲି ଅଭିଯୋଗ ଶୁଣାଣି ବେଳେ ମୋତେ ପଚରାଗଲା, ଜଗା ଭାଇଙ୍କୁ କିଛି ଖରାପ ବ୍ୟବହାର କଲେ କି? ମୁଁ ମନା କରିଥିଲି। ତା’ପରେ ମୋତେ ପ୍ରାଣାନ୍ତକ ଆକ୍ରମଣ କରାଗଲା। ବହୁତ ଲୋକ ମିଛ କଥା କହି ଅଭିଯୋଗ ଆଣିବେ। ରେବତୀ ବେହେରାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଘଟଣାକୁ ଅଲଗା ରୂପ ଦେବା ପାଇଁ ମିଛ ଆରୋପ ଲଗାଯାଉଛି। ପୁଲିସ ତା’ ହିସାବରେ କାମ କରୁଛି। ମୋର ଆଇନ ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ମୋତେ ନ୍ୟାୟ ମିଳିବ।