ଜିଏସ୍‌ଟି ଅତିରିକ୍ତ କମିସନରଙ୍କ ୫କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ

ରାଜଧାନୀ ସମେତ ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର/ବ୍ୟାସନଗର/କଟକ : ଯାଜପୁର ଠାରୁ ଆରମ୍ଭ କରି କଟକ, ଭୁବନେଶ୍ବର ସବୁଠି ଜମି, ଘର। ବିଳାସମୟ ଜୀବନ ଯାପନ ପାଇଁ ତାରକାଙ୍କ ଭଳି ଆଲିସାନ ବଙ୍ଗଳା। ଅବସର ସମୟ ବିତାଇବା ପାଇଁ ରାଜଧାନୀରେ ଫାର୍ମହାଉସ। ଦାମୀ କାର ସାଙ୍ଗକୁ ପୁଳା ପୁଳା ସୁନାଗହଣା। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁବେର ସିଟି ଆଣ୍ତ ଜିଏସ୍‌ଟି କଟକ କର୍ପୋରେଟ-୧ର ଅତିରିକ୍ତ କମିସନର ପୀୟୂଷକାନ୍ତ ପାଣିଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଜଳକା ହୋଇଛି ଭିଜିଲାନ୍ସ। ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ବାସଭବନରେ ସମେତ ଭୁବନେଶ୍ବର, କଟକ ଆଦି ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା।

ସୂଚନା ମୁତାବକ, ଅତିରିକ୍ତ କମିସନର ଶ୍ରୀ ପାଣି ଲାଞ୍ଚ କାରବାର କରୁଥିବା ନେଇ ଭିଜିଲାନ୍ସରେ ବାରମ୍ବାର ଅଭିଯୋଗ ହୋଇଥିଲା। ଲାଞ୍ଚ ଟଙ୍କାରେ ସେ ନିଜେ ଓ ତାଙ୍କ ପରିବାର ନାମରେ ବିପୁଳ ସମ୍ପତ୍ତି କିଣିଥିବା ଭିଜିଲାନ୍ସ ହାତରେ ଖବର ଲାଗିଥିଲା। ଯୋଜନା ମୁତାବକ ଆଜି ଅଚାନକ ଭିଜିଲାନ୍ସର ୭ଟି ଟିମ୍‌ ଏକା ସମୟରେ ଶ୍ରୀ ପାଣିଙ୍କ ଯାଜପୁର ବ୍ୟାସନଗରସ୍ଥିତ ବାସଭବନ ସମେତ କଟକ, ଭୁବନେଶ୍ବର ଆଦି ୭ଟି ସ୍ଥାନରେ ଚଢ଼ଉ କରିଥିଲେ। ଭୁବନେଶ୍ୱର ପ୍ରମୁଖ ଅଞ୍ଚଳରେ ରହିଥିବା ୭ଟି ପ୍ଲଟ ଠାବ କରାଯାଇଛି। ଯାହାର ମୂଲ୍ୟ ପାଖାପଖି ୨କୋଟି ଟଙ୍କା ହେବ। ଭୁବନେଶ୍ବରର ଚକେଇସିଆଣି ଅଞ୍ଚଳରେ ଏକ ତିନି ମହଲା କୋଠା, ଅନ୍ଧାରୁଆରେ ଏକ ଫାର୍ମ ହାଉସ୍ ରହିଛି। ଯାହାର ମୂଲ୍ୟ ୨କୋଟିରୁ ଊର୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ବ୍ୟାସନଗର ସହରର ଚୋରଦା ଛକଠାରେ ୩ଟି ତିନି ମହଲା କୋଠା ଓ ଗୋଟିଏ ଏକ ମହଲା କୋଠା ମଧ୍ୟ ଠାବ କରାଯାଇଛି। ଏହି ସମ୍ପତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଧ୍ବ ହେବ। ଏହାଛଡ଼ା ୮୩୯ ଗ୍ରାମର ସୁନାଗହଣା, ସାଢ଼େ ୫୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଇନ୍‌ସୁରାନ୍ସ ଡିପୋଜିଟ୍ ସମେତ ୬ଟି ଦାମୀ କାର୍‌ ମିଳିଛି। କାରଗୁଡ଼ିକର ମୋଟ ଦାମ୍ ୬୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ଏହି ସମ୍ପତ୍ତି କେଉଁଠୁ ଆସିଲା? ଆହୁରି ଅଧିକ ଆୟବହିର୍ଭୂତ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ସନ୍ଦେହ କରିଛି। ତେଣୁ ଏନେଇ ଶ୍ରୀ ପାଣିଙ୍କୁ ଭିଜିଲାନ୍ସ ପକ୍ଷରୁ ପଚରାଉଚରା ଜାରି ରହିଛି। ତାଙ୍କର ଆହୁରି ଅଧିକ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ଖୋଳତାଡ଼ କରୁଛି। କେତେକ ବ୍ୟାଙ୍କ ଆକାଉଣ୍ଟକୁ ଠାବ କରି ଯାଞ୍ଚ କରାଯଉଛି। ଚଢ଼ଉରେ ୫ଜଣ ଡିଏସ୍‌ପି, ୧୧ଜଣ ଇନ୍‌ସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର