ବିଧାନସଭା ଶୀତକାଳିନ ଅଧିବେଶନ: ଆସନ୍ତାକାଲି ଯାଏଁ ଗୃହ ମୁଲତବୀ, ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍‌ ଆଗତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳିନ ଅଧିବେଶନ ଗୁରୁବାର ଯାଏଁ ମୁଲତବୀ ରଖାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଜି ଗୃହର ଅଧିବେଶନର ପ୍ରଥମ ଦିନରେ ହୋହାଲ୍ଲା ଦେଖିବାକୁ ମିଳିଥିଲା। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବିରୋଧୀ ଦଳର ବିଧାୟକମାନେ ନାରାବାଜି କରିଥିଲେ। ଏଥି ସହ ସର୍ବଦଳୀୟ ବୈଠକ ନିଷ୍ପତ୍ତି ଜଣାଇବାକୁ ଦାବି କରି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକମାନେ ଧାରଣାରେ ବସିଥିଲେ।

ଗୃହରେ ହୋହାଲ୍ଲା ମଧ୍ୟରେ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍‌ ଆଗତ ହୋଇଥିଲା। ବିରୋଧୀମାନଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହା ଆଗତ ହୋଇଥିଲା। ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅତିରିକ୍ତ ବ୍ୟୟ ମଂଜୁରୀ ବିଲକୁ ଆଗତ କରିଥିଲେ। ଅତିରିକ୍ତ ବଜେଟରେ ୮୧୨୬.୩୨ କୋଟି ଟଙ୍କା ବ୍ୟୟ ମଂଜୁରୀ ବିଲ ଆଗତ ହୋଇଛି।

ବିଧାନସଭାର ଶୀତକାଳିନ ଅଧିବେଶନ ଆଜି ଆରମ୍ଭ ହେବା ପରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟସ୍ଥଳକୁ ଆସି ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ଅପରାହ୍‌ଣ ୩ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ। ଅଧିବେଶନ ଆରମ୍ଭରେ ପୂର୍ବତନ ବିଧାୟକଙ୍କ ବିୟୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପରେ ପରେ ବିଜେପି ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ମୁଲତବୀ ଉଠାଇଥିଲା। ବାଚସ୍ପତି ଏହାକୁ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର