ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଅତିରିକ୍ତ ହଜାରେ ଟଙ୍କା

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଯୋଜନାର ହିତା‌ଧିକାରୀଙ୍କୁ ମାସିକ ଭତ୍ତା ସହ ଚଳିତ ମାସରେ ଆଉ ଅତିରିକ୍ତ ଏକ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ରାଜ୍ୟର ପ୍ରାୟ ୪୮ ଲକ୍ଷ ହିତାଧିକାରୀ ଏହି ଅର୍ଥ ପାଇବେ। ସାମାଜିକ ଦୂରତା ନିୟମ ପାଳନ କରି ଭତ୍ତା ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ଗଣମାଧ୍ୟମକୁ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନାରେ ୪୮ ଲକ୍ଷ ହିତାଧିକାରୀ ଅଛନ୍ତି। ସେମାନଙ୍କୁ ଅଗଷ୍ଟ ମାସର ଭତ୍ତା ବଣ୍ଟନ ଆରମ୍ଭ ହୋଇଛି। ଏହା ସହ ଚଳିତ ମାସ ସେମାନଙ୍କୁ ଏକ ହଜାର ଟଙ୍କା ଅନୁକମ୍ପା ରା‌ଶି ବି ମିଳୁଛି। ୪୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨୦ ଲକ୍ଷ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅଛନ୍ତି। ଅବଶିଷ୍ଟ ହିତାଧିକାରୀ ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତ୍ତା ପାଉଛନ୍ତି। ଏ ଯାଏ ଶତ ପ୍ରତିଶତ ହିତାଧିକାରୀ ଆଧାର ଲିଙ୍କ୍ କରିନାହାନ୍ତି। ତେବେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପାଇବାରୁ ବଞ୍ଚିତ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ସେଥି ପାଇଁ ଆଧାର ଲିଙ୍କ୍ ନ ଥିଲେ ବି କେହି ଭତ୍ତା ପାଇବାରୁ ବଞ୍ଚିତ ହେବେ ନାହିଁ। କୋଭିଡ୍‌ ପାଇଁ ହିତାଧିକାରୀଙ୍କ ଘରେ କିମ୍ବା ଗ୍ରାମ ସ୍ତରରେ ଭତ୍ତା ବଣ୍ଟନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କହାଯାଇଛି। ବର୍ତ୍ତମାନ ସୁଦ୍ଧା ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ଆଧାର ଲିଙ୍କ କରିଛନ୍ତି। ରାଜ୍ୟ ଯୋଜନାର ହିତାଧିକାରୀଙ୍କ ମଧ୍ୟରୁ ୭୮ ପ୍ରତିଶତ ଆଧାର ଲିଙ୍କ୍ କରିଛନ୍ତି। ବଳକା ଥିବା ହିତାଧିକାରୀମାନେ ଆଧାର ଲିଙ୍କ୍ ତୁରନ୍ତ କରାଇବା ପାଇଁ ମନ୍ତ୍ରୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର