ପଞ୍ଚାୟତିରାଜ ମନ୍ତ୍ରଣାଳୟ ଅତିରିକ୍ତ ଶାସନ ସଚିବଙ୍କ ବଲାଙ୍ଗୀର ଗସ୍ତ

ଜଳଶକ୍ତି ଅଭିଯାନ କାର୍ଯ୍ୟକାରିତା ନେଇ ସମୀକ୍ଷା କଲେ

ବଲାଙ୍ଗୀର/ଟିଟିଲାଗଡ଼/ସଇନ୍ତଳା/ମୁରିବାହାଲ: କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ତଥା ବଲାଙ୍ଗୀର ଜିଲ୍ଲା ଦାୟିତ୍ୱରେ ଥିବା ଜନଶକ୍ତି ଅଭିଯାନର କେନ୍ଦ୍ରୀୟ ନୋଡାଲ ଅଧିକାରୀ ଡ. ଚନ୍ଦ୍ରଶେଖର କୁମାର ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଥିଲେ। ପୂର୍ବାହ୍ନରେ ସ୍ଥାନୀୟ ଡିଆର୍‌ଡିଏ କାର୍ଯ୍ୟାଳୟସ୍ଥିତ ଜଳଶକ୍ତି କେନ୍ଦ୍ର ପରିଦର୍ଶନ କରି ଜିଲ୍ଲାରେ ଜଳଶକ୍ତି ଅଭିଯାନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ସେଠାରେ ସେ ଜଳଶକ୍ତି କେନ୍ଦ୍ର ଦ୍ଵାରା ପ୍ରକାଶିତ ଜଳ ସମାଚାର ପୁସ୍ତକକୁ ଉନ୍ମୋଚନ କରିଥିଲେ। ପରେ ସେ ସଇନ୍ତଳା ବ୍ଲକ୍ କୁରୁମକେଲ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନରେ ଯାଇ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ହିତାଧିକାରୀମାନଙ୍କୁ ଦିଆଯାଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ବ୍ୟବସ୍ଥାର ତଦାରଖ କରିଥିଲେ।

ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବରମାନଙ୍କ ସହ ଗ୍ରାମସଭା ବୈଠକ ଓ ଷ୍ଟାଣ୍ଡିଂ କମିଟି ବୈଠକ, ପଞ୍ଚାୟତ ଉନ୍ନୟନ ଖସଡ଼ା, ଇଣ୍ଟରନେଟର ଉପଲବ୍ଧତା ଇତ୍ୟାଦି ଉପରେ ଆଲୋଚନା କରିବା ସହ ହରିତ୍‌ଉର୍ଜା ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାନମାନଙ୍କରେ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ପରାମର୍ଶ ଦେଇଥିଲେ। ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସଇନ୍ତଳା ବ୍ଲକ୍‌ କରମତଲା ପଞ୍ଚାୟତ ଅନ୍ତର୍ଗତ ତୁଷ୍ଟାପାଲି ଗାଁକୁ ଯାଇ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ମନ୍‌ରେଗା ଜରିଆରେ ଚାଷୀମାନେ କରିଥିବା ଡ୍ରିପ ଜଳସେଚନ, ଟିସୁ କଲଚର କଦଳୀ ଚାଷ ଓ ଆମ୍ବ ବଗିଚା ପରିଦର୍ଶନ କରି ଚାଷୀମାନଙ୍କ ସହ ବଜାର ବ୍ୟବସ୍ଥା, ଆୟ ଏବଂ ଚାଷ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ଚାଷୀମାନେ ଜଳସେଚନର ସୁବିଧା ନିମନ୍ତେ କେନ୍ଦ୍ରୀୟ ନୋଡାଲ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରୁ ସେ ଟିଟିଲାଗଡ଼ ଯାଇ ସହରର ଏଲ୍‌ଆଇସି ଅଫିସ ନିକଟରେ ଥିବା ଚେକ୍‌ଡ୍ୟାମ୍‌ ପରିଦର୍ଶନ କରିଥିଲେ।

ଏହାର ନିର୍ମାଣ କାମ ସମ୍ପର୍କରେ ଅନୁଧ୍ୟାନ କରିବା ସହ ଚେକ୍‌ଡ୍ୟାମ୍‌ ପାଣି ଯେପରି ରହିପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ପରେ ସେ ସହରର ମହାରାଜା ସାଗର ପ୍ରକଳ୍ପ ପରିଦର୍ଶନ କରିବା ସହ ଏଯାଏ ଉନ୍ନତୀକରଣ ଏବଂ ସୋନ୍ଦର୍ଯ୍ୟୀକରଣ ନିମନ୍ତେ କରାଯାଉଥିବା କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଡ. କୁମାରଙ୍କ ଏହି ଗସ୍ତ ସମୟରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ବୈଜ୍ଞାନିକ ବିଭୂତିଭୂଷଣ ସାହୁ, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ, ଏପିଡି ଡିଆର୍‌ଡିଏ ଡ. ଗୁଣନିଧି ନାଏକ, ପିଡି ଡୁଡା ସୁଦର୍ଶନ ସାଏ ପ୍ରମୁଖ ଉପସ୍ଥିତ ଥିଲେ। ମହାରାଜା ସାଗର ପ୍ରକଳ୍ପ ସ୍ଥଳରେ ଟିଟିଲାଗଡ଼ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ, ବିଭିନ୍ନ ୱାର୍ଡର ୱାର୍ଡମେମ୍ବରମାନେ ଉପସ୍ଥିତ ରହି ଡ.କୁମାରଙ୍କ ସହ ଆଲୋଚନା କରିଥିଲେ। ପରେ ଡ. କୁମାର ୫-ଟି ଅଧୀନରେ ରୂପାନ୍ତରିତ ହୋଇଥିବା ଟିଟିଲାଗଡ଼ ସହରସ୍ଥିତ ସରକାରୀ ବାଳକ ହାଇସ୍କୁଲ ପରିଦର୍ଶନରେ ଯାଇ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରି, ବିଜ୍ଞାନାଗାର ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷାଦାନ ବ୍ୟବସ୍ଥା, ଭିତ୍ତିଭୂମି ଆଦି ସମ୍ପର୍କରେ ଆଲୋଚନା କରିଥିଲେ।

ସ୍ମାର୍ଟ୍ କ୍ଲାସରୁମରେ ନବମ ଶ୍ରେଣୀ ଗଣିତ ବିଷୟରେ ଶିକ୍ଷକ ପଢ଼ାଉଥିବା ସମୟରେ ପଢ଼ାଯାଉଥିବା ବିଷୟରେ ଛାତ୍ରମାନଙ୍କ ଜ୍ଞାନ ପରୀକ୍ଷା କରିଥିଲେ। ସେହିପରି ସ୍ମାର୍ଟ କ୍ଲାସରୁମରେ ଦଶମ ଶ୍ରେଣୀ ଭୂଗୋଳ ପଢ଼ାଉଥିବା ସମୟରେ ଛାତ୍ରମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଇ-ଲାଇବ୍ରେରିରେ ଯଥା ଶୀଘ୍ର କମ୍ପ୍ୟୁଟର ବ୍ୟବସ୍ଥା କରିବା ସହ ଇଣ୍ଟରନେଟ ସଂଯୋଗୀକରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେ ଟିଟିଲାଗଡ ବ୍ଲକ୍‌ ଅନ୍ତର୍ଗତ ଖୋଲାନ ଗାଁକୁ ଯାଇ ସେଠାରେ ନିର୍ମାଣ କରାଯାଉଥିବା ଅମୃତ ସରୋବରର ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଅନୁଧ୍ୟାନ କରି ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ।

ସେଠାରୁ ଟିଟଲାଗଡ଼ ବ୍ଲକ୍ ସିକିର ଗାଁକୁ ଯାଇ ସେଠାରେ ନିର୍ମାଣ କରାଯାଉଥିବା ଅମୃତ ସରୋବର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଅମୃତ ସରୋବର ଆଡ଼ିରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ। ଡ. କୁମାର ମୁରିବାହାଲ ବ୍ଲକ୍‌ ବାଙ୍କେଲ ଗ୍ରାମର ସୁନାବନ୍ଧ ଓ ହଳଦୀ ଗ୍ରାମର ଭୋଇବନ୍ଧରେ ଚାଲିଥିବା ଅମୃତ ସରୋବର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ପ୍ରୋଗ୍ରାମ ଅଫିସର କ୍ଷୀରୋଦ୍ର ମିଶ୍ର, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡିଓ ପ୍ରିୟରଞ୍ଜନ କୁମାର, ବାଙ୍କେଲ ସରପଞ୍ଚ ଲକ୍ଷ୍ମଣ ଦୋରା, ହଳଦୀ ସରପଞ୍ଚ ସୌମିନା ସେଠ, ସମିତି ସଭ୍ୟ ଟୁନାମଣି ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର