ଅତିରିକ୍ତ ସ୍ପିଲୱେ ନିର୍ମାଣ ପ୍ରକଳ୍ପ: ଅବଧି ସରିଲା, ଜମି ଅଧିଗ୍ରହଣ ସରୁନି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ସରୁନି ଜମି ଅଧିଗ୍ରହଣ। ଅପରପକ୍ଷରେ ଜମି ଅଧିଗ୍ରହଣ ଓ ଥଇଥାନ ନିମନ୍ତେ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କ ପଦ ସହିତ ୨୮ କର୍ମଚାରୀଙ୍କ ୪ ବର୍ଷିଆ କାର୍ଯ୍ୟକାଳ ଇତିମଧ୍ୟରେ ଶେଷ ହୋଇଯାଇଛି। ଏବେ ପୁଣି ସେମାନଙ୍କ କାର୍ଯ୍ୟକାଳ ଆହୁରି ୪ ବର୍ଷ ବଢ଼ିବା ପାଇଁ ଯୋଜନା କରାଯାଉଛି। ଗତ ୧୯୯୭ କେନ୍ଦ୍ର ଜଳ ଆୟୋଗ ଓ ରାଜ୍ୟ ସରକାର ମିଳିତ ଭାବେ ମହାନଦୀ‌ରେ ସାମ୍ଭାବ୍ୟ ସର୍ବାଧିକ ବନ୍ୟା(ପିଏମ୍‌ଏଫ୍‌) ସଂପର୍କ‌‌ରେ ଆକଳନ କରିଥିଲେ। ହୀରାକୁଦ ଜଳଭଣ୍ଡାରକୁ ଏକସଙ୍ଗରେ ୨୪.୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ଆସିବା ଆଶଙ୍କା ଥିବା ଏହି ଆକଳନରୁ ଜଣାପଡ଼ିଥିଲା। ବର୍ତ୍ତମାନର ବ୍ୟବସ୍ଥାରେ ଏକସଙ୍ଗରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୧୫ ଲକ୍ଷ କ୍ୟୁସେକ ବନ୍ୟା ଜଳ ନିଷ୍କାସିତ ହୋଇପାରିବ। ଛତିଶଗଡ଼ ସରକାର ଉପର ମୁଣ୍ଡରେ ମହାନଦୀରେ ଅନେକ ବ୍ୟାରେଜ ନିର୍ମାଣ କରିବା ସହିତ ନିଜ ରାଜ୍ୟର ସୁରକ୍ଷା ପାଇଁ ମନଇଚ୍ଛା ବର୍ଷାଜଳ ନିଷ୍କାସନ କରୁଛନ୍ତି। ଏହାଦ୍ବାରା ହୀରାକୁଦ ଜଳଭଣ୍ଡାର ପାଇଁ ବିପଦ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଜଳ ଆୟୋଗ ଓ ବିଶ୍ବବ୍ୟାଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ଦ୍ବାରା ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାର ୨୦୧୮ ମସିହାରେ ଏଥିପାଇଁ ନୂଆ କରି ସ୍ପିଲ୍‌ୱେ ଡିଭିଜନ ଖୋଲିଥିଲେ। ସେହି ସମୟରେ ଜମି ଅଧିଗ୍ରହଣ ଏବଂ ବିସ୍ଥାପିତଙ୍କୁ ଥଇଥାନ ନିମନ୍ତେ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଏବଂ ଥଇଥାନ ଓ ପୁନର୍ବାସ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲାଯାଇଥିଲା। ଏହି କାର୍ଯ୍ୟାଳୟରେ ୨୮ ଜଣ କର୍ମଚାରୀ /ଅଧିକାରୀଙ୍କୁ ୪ ବର୍ଷ ନିମନ୍ତେ ନିଯୁକ୍ତି ଦିଆଯାଇଥିଲା। ଗତ ୧୮ ମେ ୨୦୨୨ରେ ସେହି କର୍ମଚାରୀ ଓ ଅଧିକାରୀଙ୍କ କାର୍ଯ୍ୟକାଳ ସରିଯାଇଛି। ଏବେ ନିର୍ଦ୍ଦେଶକ (ଥଇଥାନ ଓ ପୁନର୍ବାସ) ତଥା ଅତିରିକ୍ତ ସଚିବ ଆଲୋକ କୁମାର କର ମହାନଦୀ ବେସିନ୍‌, ହୀରାକୁଦର ମୁଖ୍ୟଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜରଙ୍କୁ ତୁରନ୍ତ ଏହି ୨୮ କର୍ମଚାରୀ/ଅଧିକାରୀଙ୍କ କାର୍ଯ୍ୟକାଳ ଆହୁରି ୪ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗରୁ ଅନୁମତି ଆଣିବା ପାଇଁ ପ୍ରସ୍ତାବ ପଠାଇବାକୁ ପତ୍ର ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୪ ବର୍ଷ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ କ୍ଷେତ୍ରରେ ବିଶେଷ ଅଗ୍ରଗତି ଘଟିନାହିଁ। ବିସ୍ଥାପନ ଓ ଥଇଥାନ ସମସ୍ୟା ବି ରହିଛି। ଏପଟେ ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ କାର୍ଯ୍ୟ ଆଗେଇ ପାରିନାହିଁ। ୨୦୧୮ ମସିହାରେ ୩୬୯.୫୩ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ଟାଟା ଇନ୍‌ଫ୍ରା ପ୍ରୋଜେକ୍ଟ ଲିମିଟେଡ୍‌ ସହିତ ଚୁକ୍ତି ହୋଇଥିଲା। ତେବେ, ଏହି ଠିକା ସଂସ୍ଥା ମାତ୍ର ୧୨ କୋଟି ଟଙ୍କାର କାମ କରିବା ପରେ ଜମି ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବ ହୋଇଥିବା ଆଳ ଦେଖାଇ ୨୦୨୦ ମସିହାରେ ଏହି ପ୍ରକଳ୍ପରୁ ଓହରିଯାଇଥିଲା। ଏହାପରେ ଜଳସମ୍ପଦ ବିଭାଗ ସିଧାସଳଖ ଟେଣ୍ଡର ନଡାକି ଗତ ନଭେମ୍ବର ୨୦୨୧ରେ ଓଡ଼ିଶା ନିର୍ମାଣ ନିଗମ(ଓସିସି)କୁ ଅତିରିକ୍ତ ସ୍ପିଲୱେ ନିର୍ମାଣ କାମ ନ୍ୟସ୍ତ କରିଥିଲା। ତେବେ, ବ୍ୟୟ ଅଟକଳ ୩୬୯.୫୩ କୋଟି ଟଙ୍କାରୁ ବଢ଼ି ୬୨୪.୩୮ କୋଟି ଟଙ୍କା କରାଯାଇଥିଲା। ଏବେ ପୁଣି ଏହି ବ୍ୟୟ ଅଟକଳ ୭୮୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର