ଭୁବନେଶ୍ବର/ରାଉରକେଲା : ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ପାଖରୁ ନଗଦ ୩ କୋଟିରୁ ଅଧିକ ଟଙ୍କା ଆସିଲା କେଉଁଠୁ? କେଉଁଠି ଏହି ଟଙ୍କାକୁ ପ୍ୟାକିଂ କରାଯାଇଥିଲା? କିଏ ଏହି ଟଙ୍କା ଦେଇଥିଲା? କୋଟି କୋଟି ଟଙ୍କାର ଉତ୍ସ କ’ଣ? ଆରମ୍ଭରୁ ସାବାସୀ ନେଇଥିବା ଭିଜିଲାନ୍ସ ଚଢ଼ଉର ୩୬ ଘଣ୍ଟା ପରେ ମଧ୍ୟ ୩ କୋଟି ଟଙ୍କାର ରହସ୍ୟ ଖୋଲି ପାରିଲାନି। ୩ କୋଟିରୁ ଅଧିକ ଟଙ୍କା ଜବତ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହା କେଉଁଠୁ ଆସିଲା, ସେ ନେଇ ସମସ୍ତେ ଅନ୍ଧାରରେ ରହିଛନ୍ତି।

Advertisment

ଇନୋଭାରେ ନବରଙ୍ଗପୁରରୁ ଭୁବନେଶ୍ବର ବୁହା ହୋଇଥିଲା ୬ ପେଟି ଟଙ୍କା
ପୁଳାପୁଳା ବେନାମୀ ସମ୍ପତ୍ତି, ୨ ଆକାଉଣ୍ଟଧାରୀଙ୍କୁ ଜେରା
ବଢ଼ିବ ଅଭିଯୁକ୍ତଙ୍କ ସଂଖ୍ୟା

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେତେକ ମାଫିଆଙ୍କଠାରୁ ଏହି ଟଙ୍କା ଆଦାୟ କରାଯାଇଛି। ଏହାକୁ ସରକାରୀ ବାସଭବନରେ ପ୍ୟାକିଂ କରାଯିବା ପରେ ୬ ପେଟି ଟଙ୍କା ପ୍ରଶାନ୍ତ ଚଢ଼ୁଥିବା ଇନୋଭା (ଓଡି୦୨-ସିଜି-୩୪୧୬) କାର୍‌ରେ ନବରଙ୍ଗପୁରରୁ ୫୫୦ କିଲୋମିଟର ରାସ୍ତା ଦେଇ ଭୁବନେଶ୍ବରକୁ ଅଣାଯାଇଥିଲା। ଗୋଟିଏ ପେଟି ସରକାରୀ ବାସଭବନରେ ରଖାଯାଇଥିଲା। ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଶାନ୍ତଙ୍କ କାନନବିହାରସ୍ଥିତ ଘରେ ଏହାକୁ ରଖା ଯାଇଥିଲା। ଏହି ଟଙ୍କାରେ ଆଉ କେତେକଙ୍କର ଭାଗ ଥିଲା ବୋଲି ଚର୍ଚ୍ଚା ହେଉଛି। ଦୁଇ ଦିନ ପୂର୍ବରୁ ପ୍ରଶାନ୍ତ ଏହି ଟଙ୍କା ଧରି ଭୁବନେଶ୍ବରରେ ପହଞ୍ଚିଥିଲେ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏ ସମ୍ପର୍କରେ ଭିଜିଲାନ୍ସକୁ ଖବର ଦେଇଥିଲେ। ପ୍ରଶାନ୍ତ ଏହାକୁ ଗାଏବ କରିବା ପୂର୍ବରୁ ଭିଜିଲାନ୍ସ ଚଢ଼ଉ ଆରମ୍ଭ କରିଥିଲା। ଖାଲି ସେତିକି ନୁହେଁ, ଆଉ କିଛି ନଗଦ ଟଙ୍କା ମଧ୍ୟ ପ୍ରଶାନ୍ତଙ୍କ ସହଯୋଗୀ କିମ୍ବା ଭାଗୀଦାରିଙ୍କ ପାଖରେ ଥିବା ସନ୍ଦେହ କରାଯାଉଛି। କାରଣ ପ୍ରଶାନ୍ତଙ୍କର ଅନେକ ବେନାମୀ ସମ୍ପତ୍ତି ରହିଥିବା ବେଳେ ଭିଜିଲାନ୍ସ ଏ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି। ପ୍ରଶାନ୍ତଙ୍କର ୫ କୋଟି ୨୧ଲକ୍ଷ ଟଙ୍କା ସମ୍ପତ୍ତି ଠାବ କରାଯାଇଥିବା ବେଳେ ଏହା ତାଙ୍କ ଆୟଠାରୁ ୫୦୬ ପ୍ରତିଶତ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ଆଜି ଅପରାହ୍‌ଣରେ ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜରେ ପରେ ଜେଲ୍ ପଠାଇ ଦିଆଯାଇଛି।

publive-image

ଅଧିକ ଖୋଳତାଡ଼ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ପ୍ରଶାନ୍ତଙ୍କର ଏବେ ସୁଦ୍ଧା ବ୍ୟାଙ୍କ ଜମା ୯୨ ଲକ୍ଷ ୩୪ ହଜାର ଟଙ୍କା ବୋଲି ଜଣାପଡ଼ିଛି। ଏଥିରେ ଦୁଇଟି ବେନାମୀ ଆକାଉଣ୍ଟ ଠାବ କରାଯାଇଛି। ଏହି ଆକାଉଣ୍ଟଧାରୀଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଡକାଯାଇ ଜେରା କରାଯାଇଛି। ସେମାନେ ହେଲେ, ସ୍କୁଲ ଗାଡ଼ି ଚଳାଉଥିବା ବୃନ୍ଦାବନ ସ୍ବାଇଁ ଓ ଅନ୍ୟ ଜଣେ ମହିଳା କେନ୍ଦ୍ରାପଡ଼ା ରାଜକନିକାର ନିବେଦିତା ଜେନା। ଦୁଇଜଣଙ୍କ ଆକାଉଣ୍ଟରେ ୩୮ ଲକ୍ଷ ୬୪ ହଜାର ଟଙ୍କା ଜମା କରାଯାଇଛି। ସେମାନେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ବୃନ୍ଦାବନ କହିଛନ୍ତି, ସେ ସ୍କୁଲ ଗାଡ଼ି ଚଳାନ୍ତି। ପୂର୍ବରୁ ପ୍ରଶାନ୍ତଙ୍କ ପିଲାଙ୍କୁ ପଟିଆର ଏକ ଇଂରାଜୀ ମାଧ୍ୟମ ସ୍କୁଲକୁ ନେବା ଆଣିବା କରୁଥିଲେ। ସେବେଠାରୁ ପ୍ରଶାନ୍ତଙ୍କ ସହ ଚିହ୍ନା ପରିଚିତ ରହିଛି। ଆଧାର କାର୍ଡ, ପାନ୍ କାର୍ଡ ନେବା ପରେ ଆକାଉଣ୍ଟ ଖୋଲିବା ପାଇଁ ଉଦ୍ଦିଷ୍ଟ ଫର୍ମରେ ଦସ୍ତଖତ କରାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା କହିଛନ୍ତି। ଡମଣାର ଇଣ୍ଡସଇଣ୍ଡ୍ ବ୍ୟାଙ୍କରେ ଆକାଉଣ୍ଟ ରହିଥିବା ଜଣାପଡ଼ିଛି। ସେଥିରେ ଲକ୍ଷାଧିକ ଟଙ୍କା ଜମା ରହିଥିବା ଓ କାରବାର ହେଉଥିବା ନେଇ ଏବେ ଭିଜିଲାନ୍ସଠାରୁ ଜାଣିବାକୁ ପାଇଲେ। ସେହିପରି ନିବେଦିତା କହିଛନ୍ତି, ପ୍ରଶାନ୍ତ କେନ୍ଦ୍ରାପଡ଼ାରେ ବିଡିଓ ଥିବା ସମୟରେ ସେ ରାସନ୍‌କାର୍ଡ ପାଇଁ ଆବେଦନ କରିଥିଲେ। ସେହି ସମୟରେ ପ୍ରଶାନ୍ତ ତାଙ୍କଠାରୁ ଆଧାର, ପାନ୍ କାର୍ଡ ନେବା ସହ କିଛି ଫର୍ମରେ ଦସ୍ତଖତ କରାଇ ନେଇଥିଲେ। ତାଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଥିବା ନେଇ ସେ ପରେ ଜାଣିବାକୁ ପାଇଥିଲେ। କିନ୍ତୁ ସେ କୌଣସି କାରବାର କରିନାହାନ୍ତି କିମ୍ବା କୌଣସି ସୂଚନା ମଧ୍ୟ ତାଙ୍କୁ ଆସେ ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

publive-image

ଅନ୍ୟପକ୍ଷରେ ପ୍ରଶାନ୍ତ ଚଢ଼ୁଥିବା ଇନୋଭା ହାଇକ୍ରସ୍ ଗାଡ଼ି ମାର୍ଚ୍ଚ ମାସରେ କିଣାଯାଇଛି। ଯାହାର ଦାମ୍ ପ୍ରାୟ ୩୦ ଲକ୍ଷ ଟଙ୍କା। ଏହି ଗାଡ଼ି ପ୍ରସନ୍ନ ରାଉତଙ୍କ ନାଁରେ ରହିଥିବା ଜଣାପଡ଼ିଛି। ସେ ତାଙ୍କର ଭାଇ ବୋଲି ଭିଜିଲାନ୍ସ ଅନୁମାନ କରୁଛି। ଭିଜିଲାନ୍ସ ଏବେ ସୁଦ୍ଧା ଠାବ କରିଥିବା ସମ୍ପତ୍ତିର ପରିମାଣ ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା। ଏହା ଭିତରେ ନଗଦ ୩ କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା, ୯୨ ଲକ୍ଷ ୩୪ ହଜାର ଟଙ୍କା ବ୍ୟାଙ୍କ ଜମା, ଦୁଇ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି, ୨୭ ଲକ୍ଷ ଟଙ୍କାର ଅଳଙ୍କାର, ଦୁଇ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ ହୋଇଥିବା ୮୭ ଲକ୍ଷ ଟଙ୍କା, କାନନ ବିହାରରେ ଏଚଆଇଜି ପ୍ଲଟ୍ ନଂ-୧୧୫ରେ ଥିବା ୧୯୪୨ ବର୍ଗଫୁଟ କୋଠାର ହିସାବ ରହିଛି। ୫ରୁ ୬ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ମିଳିଥିବା ବେଳେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ସୋମବାର କାର୍ଯ୍ୟାନୁଷ୍ଠାନ
ପ୍ରଶାନ୍ତ ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଆଜି ଚତୁର୍ଥ ଶନିବାର ପାଇଁ ସରକାରୀ ଛୁଟି ରହିଛି। ସେହିପରି ଆସନ୍ତାକାଲି ରବିବାର। ନଗଦ ୩ କୋଟି ଟଙ୍କା ବାହାରିବା ପରେ ପ୍ରଶାନ୍ତଙ୍କୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ବାବୁମାନେ କ୍ଷମତାରେ ରହି ବେଆଇନ ଭାବେ କୋଟି କୋଟି ଟଙ୍କା ଠୁଳ କରି ଚାଲିଛନ୍ତି। ସେହିପରି ପ୍ରଶାନ୍ତ ଜଣେ କରିତକର୍ମା ଅଫିସର ବୋଲି ସ୍ପଷ୍ଟ ହୋଇଯାଇଛି। କାରଣ ୨୦୧୮ରେ ସେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ବିଡିଓ ଥିବା ବେଳେ ଏକ ଉନ୍ନୟନ କାମ ବାବଦରେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିଲେ। ୧୪ ମାସ ନିଲମ୍ବିତ ମଧ୍ୟ ହୋଇଥିଲେ। କିନ୍ତୁ ପଦୋନ୍ନତି ପାଇ ୨୦୨୦ରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ। ସେହିପରି ତାଙ୍କର ପାଵାର କରିଡରରେ ଯଥେଷ୍ଟ ଦବଦବା ରହିଛି ବୋଲି କୁହାଯାଉଛି। ସରକାର ଅନେକ ବଦନାମ୍‌ ମୁଣ୍ଡାଇଥିବା ବେଳେ ସୋମବାର ପ୍ରଶାନ୍ତଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।