ଯୁବକଙ୍କୁ ପିଟିଲେ ଅତିରିକ୍ତ ତହସିଲଦାର

ପ୍ରତିବାଦରେ ଆନନ୍ଦପୁର-ଭଦ୍ରକ ରାସ୍ତା ଅବରୋଧ

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହିର ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଆଜି ୫୦ରୁ ଊର୍ଦ୍ଧ୍ବ ଯୁବକ ହାଟଡିହିରେ ରାସ୍ତାରୋକ କରିବା ଯୋଗୁଁ ଆନନ୍ଦପୁର-ଭଦ୍ରକ ରାସ୍ତାରେ ତିନିଘଣ୍ଟା ଧରି ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।

ମାଡ଼ ଖାଇଥିବା ଯୁବକ ମନୋଜ ରଣାଙ୍କ ଅଭିଯୋଗ ଅନୁଯାୟୀ, ସେ କିଛି ସାଙ୍ଗଙ୍କ ସହ ଗତକାଲି ରାତିରେ ତହସିଲ ନିକଟସ୍ଥ ପୋଖରୀ କୂଳରେ ବସିଥିଲେ। ଦୁଇଟି ବାଲି ବୋଝେଇ ଗାଡ଼ିକୁ ତହସିଲ କର୍ତ୍ତୃପକ୍ଷ ଜବତ କରି କାର୍ଯ୍ୟାଳୟ ନିକଟସ୍ଥ ରାସ୍ତାରେ ରଖିଥିଲେ। ଏଠାରେ ଗାଡ଼ି ଗୁଡ଼ିକୁ କାହିଁକି ରଖାଯାଉଛି ବୋଲି ମନୋଜ ଓ ତାଙ୍କ ସାଙ୍ଗମାନେ ଅତିରିକ୍ତ ତହସିଲଦାରଙ୍କୁ ପଚାରିବା ସହ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତା ନଷ୍ଟ ହୋଇଯାଉଛି। ଆଉ ଦିନ କେଇଟା ପରେ ଏଠାରେ ରାବଣପୋଡ଼ି ହେବ ଆମେ ହଇରାଣ ହେବୁ ବୋଲି କହିଥିଲେ। ଏହାକୁ ନେଇ ଅତିରିକ୍ତ ତହସିଲଦାର ଶ୍ରୀ ଦାସଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ମନୋଜ ଏବଂ ତାଙ୍କ ସାଙ୍ଗମାନେ ଗାଡ଼ି ଗୁଡ଼ିକର ଫଟୋ ଉଠାଇବାରୁ ଅତିରିକ୍ତ ତହସିଲଦାର ଶ୍ରୀ ଦାସ ରାଗିଯାଇ ମନୋଜଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ଏହି ଖବର ପ୍ରଚାରିତ ହେବା ପରେ ପୂର୍ବାହ୍ନ ୧୦ଟା ବେଳେ ୫୦ରୁ ଊର୍ଦ୍ଧ୍ବ ଯୁବକ ଗେଟ୍‌ବଜାର ନିକଟରେ ରାସ୍ତାରେ ପଥର ରଖି ଅବରୋଧ କରିଥିଲେ। ଅତିରିକ୍ତ ତହସିଲଦାର ଘଟଣାସ୍ଥଳକୁ ଆସି କ୍ଷମା ମାଗିବା ପରେ ରାସ୍ତାରୋକ ହଟିବ ବୋଲି ଜିଦ୍‌ ଧରିଥିଲେ। ରାସ୍ତାରୋକ ଯୋଗୁଁ ଅନେକ ବସ୍‌, ଟ୍ରକ୍‌ ଏବଂ ଛୋଟଟୋଟ ଗାଡ଼ି ଗୁଡ଼ିକ ଅଟକି ରହିଥିଲେ। ଖବର ପାଇ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କ ସହିତ ଆଲୋଚନା କରିଥିଲେ। ଦିନ ଗୋଟାଏ ବେଳେ ସ୍ଥାନୀୟ ଅଞ୍ଚଳର କିଛି ଭଦ୍ରବ୍ୟକ୍ତିଙ୍କ ଉଦ୍ୟମକ୍ରମେ ଅତିରିକ୍ତ ତହସିଲଦାର ଶ୍ରୀ ଦାସ ନନ୍ଦିପଦା ଥାନାକୁ ଯାଇ ସମ୍ପୃକ୍ତ ଯୁବକଙ୍କ ସହିତ ଆଲୋଚନା କରି ବିବାଦର ସମାଧାନ କରିବା ପରେ ରାସ୍ତାରୋକ ହଟିଥିଲା। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ଶ୍ରୀ ଦାସଙ୍କୁ ପଚାରିବାରୁ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ।

ସମ୍ବନ୍ଧିତ ଖବର