ଅତିରିକ୍ତ ତହସିଲ୍‌ଦାରଙ୍କର ୨୧ ପ୍ଲଟ୍‌, ଚଢ଼ାଉ ପରେ ଭିଜିଲାନ୍ସର ଆଖି ଟେରା

ସୁନ୍ଦରଗଡ଼ : ୨୧ ମୂଲ୍ୟବାନ ପ୍ଲଟ୍‌, ୬ ବହୁ ମହଲା କୋଠା, ୩ ଚାରିଚକିଆ, ୩ ଦୁଇଚକିଆ ଯାନ, ୨ ଟ୍ରାକ୍ଟର, ୨ ଟ୍ରେଲର୍‌, ୧୫ ବ୍ୟାଙ୍କ୍‌ ଆକାଉଣ୍ଟ ଓ ବୀମାରେ ୩୮ ଲକ୍ଷ ପୁଣି ନଗଦ ଟଙ୍କା ଓ ଅଳଙ୍କାର… ଏ ହେଉଛି କିରାଣି ଭାବେ ଚାକିରି ଆରମ୍ଭକରି ପରେ ମାତ୍ର ୪ ବର୍ଷ ତଳେ ଅତିରିକ୍ତ ତହସିଲଦାର ହୋଇଥିବା ଜଣେ ସରକାରୀ ବାବୁଙ୍କର ସମ୍ପତ୍ତିର ତାଲିକା। ତା’ ପୁଣି ଗୋଟିଏଦିନରେ ଭିଜିଲାନ୍ସର ଖୋଳତାଡ଼ରୁ ଠାବ ହୋଇଥିବା ସଂପତ୍ତି, ଯାହାର ପରିମାଣ ଆହୁରି ବଢ଼ିବ ବୋଲି ସୂଚନା ରହିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲେ। ଚଢ଼ାଉ ଆରମ୍ଭରୁ ଏତେ ବିପୁଳ ସମ୍ପତ୍ତି ଠାବ ହେବାରେ ଲାଗିଛି ଯେ ​ଲୋକଙ୍କର ଆଖି ଟେରା ହୋଇଯାଇଛି। ବାବୁଙ୍କ ନାମରେ ସୁନ୍ଦରଗଡ଼ ସହର ସମେତ ପାଖରେ ଥିବା କୋଇଲା ଖଣି ଅଞ୍ଚଳ ଓ ପୈତୃକ ଗାଁରେ ଥିବା ୨୧ଟି ମୂଲ୍ୟବାନ ପ୍ଲଟ୍‌ର ଦସ୍ତାବିଜ ଭିଜିଲାନ୍ସ ହାତରେ ଲାଗିଛି। ଏହା ସହ ୬ଟି ବହୁ ମହଲା ବିଶିଷ୍ଟ କୋଠା ଠାବ ହୋଇଛି, ଯାହା ଭିତରୁ ଆଜି ଭିତରେ ଗୋଟିଏର ମୂଲ୍ୟ ୧ କୋଟି, ଅନ୍ୟ ଗୋଟିଏର ମୂଲ୍ୟ ୪୬ ଲକ୍ଷ ବୋଲି ଆକଳନ କରାଯାଇଛି। ସୁନ୍ଦରଗଡ଼ ପରି ପଛୁଆ ଅଞ୍ଚଳରେ ଥିବା ଜଣେ ଅତିରିକ୍ତ ତହସିଲଦାରଙ୍କ ଏତେ ସଂଖ୍ୟକ ପ୍ଲଟ୍‌ ଓ କୋଠାକୁ ଦେଖି ଭିଜିଲାନ୍ସ ଟିମ୍‌ ମଧ୍ୟ ଚମକି ପଡ଼ିଛନ୍ତି।

ଠାବ ହୋଇସାରିଲାଣି ୬ କୋଠା, ୧୦ ଗାଡ଼ି ଓ ବ୍ୟାଙ୍କ୍‌ରେ ୩୮ ଲକ୍ଷ
ସମୁଦାୟ ସମ୍ପତ୍ତି ପରିମାଣ ୫କୋଟିରେ ପହଞ୍ଚିଲାଣି, ଆହୁରି ବଢ଼ିବ

୪ ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ୪୫ ଜଣିଆ ଟିମ୍‌ ଟିମ୍ କୁଳମଣିଙ୍କ ପୈତୃକ ଗାଁ ଲେଫ୍ରିପଡ଼ା ବ୍ଲକ୍ ଡୁମାବାହାଲର ୪ଟି ସ୍ଥାନ ସମେତ ଲେଫ୍ରିପଡ଼ା ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଏକକାଳୀନ ଚଢଉ ଜାରି ରହିଛି। ଭିଜିଲାନ୍ସ ଟିମ୍‌ ଯେତିକି ଖୋଳତାଡ଼ କରୁଛି, ସମ୍ପତ୍ତିର ପରିମାଣ ‌ସେତିକି ବଢ଼ିବାରେ ଲାଗିଛି। ସକାଳୁ ସନ୍ଧ୍ୟା ଯାଏଁ ସମ୍ପତ୍ତିର ହିସାବ କରି କରି ଟିମ୍‌ ହାଲିଆ ହୋଇପଡ଼ିଲେଣି। କିନ୍ତୁ ପୂରା ସମ୍ପତ୍ତି ପରିମାଣର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ଏ ଖବର ଲେଖା ହେବାବେଳକୁ ୫ କୋଟିରୁ ଅଧିକ ସଂପତ୍ତିର ହିସାବ ସରିଲାଣି। ଆସନ୍ତାକାଲି ଚଢ଼ାଉ ଜାରି ରହିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି।

ଶ୍ରୀ ପଟେଲ ହେମଗିର ତହସିଲରେ ଅତିରିକ୍ତ ତହସିଲଦାର ଭାବେ ସେ ଯୋଗ ଦେବାପରେ କୋଇଲା ଖଣି ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ମଞ୍ଜୁର କରାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଥିଲା‌। ବାରମ୍ବାର ଅଭିଯୋଗ ହୋଇଥିଲେ ହେଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନଥିଲା। ଶେଷରେ, ଭିଜିଲାନ୍ସ ଚଢ଼ାଉ କରିବା ପରେ ଆୟ ବହିର୍ଭୂତ ସମ୍ପତ୍ତିର ଏକ ଲମ୍ବା ତାଲିକା ସାମ୍ନାକୁ ଆସିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର