ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ବୋରିଗାଁ ପଞ୍ଚାୟତର ମହୁଲପଲ୍ଲୀ ଗାଁର ଶ୍ମଶାନରୁ ଏକ କବର ପାର୍ଶ୍ବ ମାଟି ତଳୁ ପୁଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା। ପ୍ରଥମ‌େ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପ୍ରମାଣିତ ହୋଇଛି। ମୃତକ ଜଣକଙ୍କ ହେଉଛନ୍ତି ସାନଖେମୁଣ୍ଡି ଅଞ୍ଚଳର ବିବାହିତା ଓ ପରେ ଛାଡ଼ପତ୍ର ନେଇଥିବା ବର୍ଷାରାଣୀ ‌ପୁରୋହିତ। ତାଙ୍କର ପ୍ରେମିକ ପ୍ରଶାନ୍ତ ବେହେରା ହିଁ ତାଙ୍କ ହତ୍ୟାକାରୀ ଓ ହାତୁଡ଼ିରେ ମୁଣ୍ଡକୁ ପିଟି ସେ ବର୍ଷାଙ୍କୁ ହତ୍ୟା କରିଥିଲା ବୋଲି ପୁଲିସ କହିଛି।

Advertisment

ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତର ଦୁଇ ଭାଇଙ୍କୁ ଗିରଫ କରିଥିବା ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ହିଂଜିଳି ଥାନାରେ ଅୟୋଜିତ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି ଗ୍ରାମର କୁମ୍ଭାରସାହିର ଦୁଇଭାଇ ସନ୍ତୋଷ ବେହେରା ଏବଂ ସୁଶାନ୍ତ ବେହେରା। ଉଭ‌ୟଙ୍କୁ କେସ୍ ନମ୍ବର ୫୫୧/୨୩ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହତ୍ୟାକଣ୍ଡ ପରେ ମୃତଦେହକୁ କେମିତି ପୋତା ଯାଇଥିଲା, ତାହା ସିନ୍‌ ରିକ୍ରିଏସନ୍‌ ଜରିଆରେ ଅଭିଯୁକ୍ତମାନେ ଦେଖାଇଥିଲେ। ପୁଲିସ ଏମାନଙ୍କ ନିକଟରୁ ମୃତଦେହ ନେବାରେ ବ୍ୟବହୃତ ଅଟୋ, ବାଇକ୍‌, ହାତୁଡ଼ି ଓ ମୃତକଙ୍କ ଏକ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଫେରାର୍‌ ଥିବା ପ୍ରେମିକ ପ୍ରଶାନ୍ତ ‌ବେହେରା ହାତୁଡ଼ିରେ ବର୍ଷାଙ୍କ ମୁଣ୍ଡକୁ ଆଘାତ କରି ହତ୍ୟା କରିଥିଲା। ଗୁରୁଣ୍ଠିର ପ୍ରଶାନ୍ତ ହେଉଛି ଦୁଇ ଅଭିଯୁକ୍ତଙ୍କ ଅନ୍ୟତମ ଭାଇ। ଘଟଣାପରେ ୩ଭାଇ ମିଶି ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହ ପୋତି ଦେଇଥିଲେ ବୋଲି ପୁଲିସ କହିଛି।

ପାଟପୁର ଥାନା ଅନ୍ତର୍ଗତ ଜୟନଗର ଗ୍ରାମର ୨୫ ବର୍ଷୀୟ ବିବାହିତା ବର୍ଷାରାଣୀ ହତ୍ୟାକାଣ୍ଡର ଶିକାର ହୋଇଥିଲେ। ବର୍ଷା ପଳାସପୁର ଗ୍ରାମର ସନ୍ତୋଷ ତ୍ରିପାଠୀଙ୍କୁ ବିବାହ କରିଥିଲେ। କିନ୍ତୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ଯୋଗୁଁ କୋର୍ଟରେ ଛାଡ଼ପତ୍ର ଆବେଦନ କରାଯାଇଥିଲା। ଏହା ପରେ ବର୍ଷା ଶେରଗଡ଼ ଠାରେ ହୋଟେଲ ମ୍ୟାନେଜମେଣ୍ଟ୍‌ ସାରି ହାଇଦ୍ରାବାଦ ଯାଇ କାମ କରୁଥିଲେ। ସେଠାରେ ପ୍ରଶାନ୍ତ ନାମକ ଯୁବକ ସହିତ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟେ ଗୋଟିଏ ଘରେ ରହିଥିଲେ। ଏହି କଥା ବର୍ଷା ନିଜ ଭାଇ ପରିବାରବର୍ଗଙ୍କୁ ଜଣାଇଥିଲେ। କିଛିଦିନ ଏକାଠି ରହିବା ପରେ ବାହା ହେବା ପାଇଁ ବର୍ଷା କହିଥିଲେ। କିନ୍ତୁ ଏହି ବିବାହକୁ ଘର ଲୋକ ଗ୍ରହଣ କରିବେ ନାହିଁ ବୋଲି ପ୍ରଶାନ୍ତ କହିଥିଲେ। ବିବାହ ପାଇଁ ମନା କରିବାରୁ ବର୍ଷା ନିମଖଣ୍ଡି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଏଣୁ ପୁଲିସ ସେମାନଙ୍କୁ ଡାକି କାଉନ୍‌ସେଲିଂ କରିଥିଲା। ହଠାତ୍‌ ଗତ ୩୦ତାରିଖରେ ହିଂଜିଳିକାଟୁ ଥାନା ପୁଲିସ ମହୁଲପଲ୍ଲୀ ଗାଁ ଶ୍ମଶାନ ମାଟି ତଳୁ ବର୍ଷାଙ୍କ ମୃତଦେହ ଜବତ କରିଥିଲା।

ପ୍ରଥମେ ମୃତଦେହର ପରିଚୟ ଜଣାପଡ଼ି ନଥିଲା। କିନ୍ତୁ ଅଧିକ ତଦନ୍ତ ପରେ ତାହା ବର୍ଷାଙ୍କ ମୃତଦେହ ବୋଲି ଭାଇ ବିକାଶ ପୁରୋହିତ ଚିହ୍ନଟ କରିଥିଲେ। ଘଟଣା ଦିନ ପ୍ରଶାନ୍ତ ବର୍ଷାଙ୍କୁ ନେଇ ଗୋପାଳପୁର ବୁଲିବାକୁ ଯାଇଥିଲା। ସେଠାରୁ ଫେରିବା ପରେ ବଡ଼କୁଶସ୍ଥଳୀ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ବର୍ଷାଙ୍କ ମୁଣ୍ଡକୁ ହାତୁଡ଼ିରେ ଆଘାତ କରି ହତ୍ୟା କରିଥିଲା। ଏହାପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ପ୍ରଶାନ୍ତ ତା’ର ଦୁଇ ଭାଇଙ୍କ ସହାୟତାରେ ମୃତଦେହ ପୋତି ଦେଇଥିଲା। ଏହି ଘଟଣାରେ ଫେରାର୍‌ ଥିବା ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ପ୍ରଶାନ୍ତକୁ ପୁଲିସ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ବାହା ହେବା ପାଇଁ ଜିଦ୍‌ କରିବାରୁ ପ୍ରଶାନ୍ତ ବର୍ଷାଙ୍କୁ ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ସେ ଧରାପଡ଼ିବା ପରେ ପୂରା ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ସାମ୍ବାଦିକ ସମିଳନୀରେ ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଉପସ୍ଥିତ ଥିଲେ।