ଜଳବାୟୁ ପରିବର୍ତ୍ତନ ମୁକାବିଲାକୁ ପ୍ରାଥମିକତା ଦିଆଯିବ: ଆହୁଜା

ବିଭୂତି ପତି

୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଓଡ଼ିଶାରେ ଜଣେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ ସମବାୟ, ଖଣି ଓ ଇସ୍ପାତ, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ସଚିବଭାବେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି। ବାଣିଜ୍ୟ କର କମିସନର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ତାଙ୍କର ସ୍ୱଚ୍ଛତା ଓ ସାଧୁତା ପାଇଁ ସେ ବେଶ୍ ସୁପରିଚିତ। ୨୦୧୭ ମସିହାରେ ଡେପୁଟେସନରେ କେନ୍ଦ୍ରକୁ ଯାଇଥିବା ଓଡ଼ିଶା କ୍ୟାଡରର ଏହି ଅଧିକାରୀ ଭାରତୀୟ ପ୍ରଶାସନିକ ସେବାକୁ ଆସୁଥିବା ଶିକ୍ଷା ନବୀଶଙ୍କୁ ଜନ ପ୍ରଶାସନ ସହ କିପରି ଯୋଡ଼ି ହେବା ତାହାର ନେତୃତ୍ୱ ନେଇଥିଲେ। ଲାଲ୍ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ତାଙ୍କର କାର୍ଯ୍ୟକାଳ ଆଜି ବି ଅନେକଙ୍କ ମନରେ ସ୍ମରଣୀୟ ହୋଇ ରହିଛି। ସିବିଏସ୍ଇ ଅଧ୍ୟକ୍ଷ ଭାବେ ସେ ଶିକ୍ଷା କ୍ଷେତ୍ରରେ ସ୍ୱଳ୍ପ ସମୟରେ ଅନେକ ସଂସ୍କାର ଆଣିଥିଲେ। ହରିୟାଣାରେ ଜନ୍ମିତ ମନୋଜ ଆହୁଜା ଖୁବ୍ ଶୀଘ୍ର ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ୱ ନେବେ।

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଆମ ସମସ୍ତଙ୍କୁ ସତର୍କ ସୂଚନା ଦେଲାଣି। ଏବେଠ‌ାରୁ ସତର୍କ ନହେଲେ ଆଗକୁ ବଡ଼ ଧରଣର ବିପଦ ଆସିପାରେ। ବିଶେଷ କରି କୃଷିରେ ଏହି ବିପଦ ଆମପାଇଁ ସବୁଠାରୁ ବଡ ଆହ୍ବାନ ପାଲଟିଛି। ଆମର ଭିତ୍ତିଭୂମି ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କଲାଣି। ଏସବୁର ମୁକାବିଲା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କହିଛନ୍ତି ନବନିଯୁକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।
‘ସମ୍ବାଦ’କୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ ୧୯୯୦ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଶ୍ରୀ ଆହୁଜା ବଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହିତ ନୂଆ ଦାୟିତ୍ବ ନେବାପରେ ତାଙ୍କର ପ୍ରାଥମିକତା କ’ଣ ରହିବ ସେସଂପର୍କ‌ରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଜଳସେଚନ କାର୍ଯ୍ୟକ୍ରମକୁ ଅଧିକ ମାତ୍ରାରେ ଧ୍ୟାନ ଦିଆଯିବ। ଓଡ଼ିଶାରେ ମାଣ୍ଡିଆ ଭଳି ଖାଦ୍ୟଶସ୍ୟର ଚାଷର ପ୍ରଚୁର ସୁଯୋଗ ରହିଛି। ଓଡ଼ିଶା ଏଦିଗରେ ମଧ୍ୟ ଭଲ ପଦକ୍ଷେପ ନେଇ ଅଗ୍ରଗତି କରିଛି। ଏହାକୁ କିପରି ଅଧିକ ଫ୍ରଳପ୍ରଦ କରାଯିବ, ସେଥିପ୍ରତି ଧ୍ୟାନ ଦିଆଯିବ।

ସୂଚନାଯୋଗ୍ୟ ଯେ ଶ୍ରୀ ଆହୁଜା ଦୀର୍ଘ ସମୟ ଧରି କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟର ସଚିବ ଭାବେ ଚାଷୀ ଓ ଚାଷର ବିକାଶରେ ସଫଳ କାର୍ଯ୍ୟକ୍ରମ ରୂପାୟନ କରି ଚାରିଆଡ଼ୁ ପ୍ରଶଂସା ସାଉଣ୍ଟି ଥିଲେ। ମୋଦୀ ସରକାରଙ୍କ ‘ଶ୍ରୀ ଅନ୍ନ’ ଯୋଜନା, ମିଲେଟ୍ ମିସନ ଭଳି ବିକଳ୍ପ ଖାଦ୍ୟ ଅଭିଯାନ ଆରମ୍ଭ କରି ଭାରତକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ମନୋଜ ଆହୁଜା। ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଆହୁଜା କହିଛନ୍ତି ଯେ ବିଭିନ୍ନ ବିଶେଷଜ୍ଞ ପରାମର୍ଶରେ ପ୍ରଶାସନିକ ସ୍ତରରେ ଲୋକମାନଙ୍କର ଆର୍ଥିକ ପ୍ରଗତିକୁ ସୁରକ୍ଷିତ ରଖିବାକୁ ସମସ୍ତ ପଦକ୍ଷେପ ନିଆଯିବ। ଓଡ଼ିଶାରେ ଖଣି ଓ ଶିଳ୍ପ ବିଭାଗରେ ବିଗତ ଦିନରେ ସଚିବ ଭାବେ ନିଜର ଅଭିଜ୍ଞତା ଆଧାରରେ ରାଜ୍ୟରେ ଶିଳ୍ପର ବିକ‌ାଶ ପାଇଁ କାମ ସେ କରିବେ।

ଶ୍ରୀ ଆହୁଜା କହିଥିଲେ, ‘ଲୋକଙ୍କ ନିକଟରେ ସେବା ପହଞ୍ଚାଇବା ଓ ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଉପରେ ମୁଁ ବିଶ୍ୱାସ କରେ। ରାଜ୍ୟବାସୀଙ୍କ ନିକଟରେ ସ୍ୱଚ୍ଛତା ଓ ସାାଧୁତା ସହ ପ୍ରଶାସନିକ ସେବା ପହଞ୍ଚାଇବାକୁ ମୁଁ ଯଥାସମ୍ଭବ ଚେଷ୍ଟା କରିବି। କ୍ରୀଡ଼ା ଓ ଯୁବଶକ୍ତିର ବିକାଶ ଦିଗରେ ଓଡ଼ିଶା କିପରି ଆଗକୁ ବଢ଼ିପାରିବ ସେ ଦିଗରେ ଯତ୍ନବାନ ହେବି।’ ଓଡ଼ିଶା ସରକାର ତାଙ୍କୁ ଏତେବଡ଼ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ଦେଇ ତାଙ୍କ ଉପରେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି, ସେଥିରେ ସଫଳ ହେବେ ବୋଲି ତାଙ୍କର ଆଶା। ଜନସାଧାରଣଙ୍କୁ ବିକାଶ ତଥା ସୁଶାସନ ଯୋଗାଇବା ହେବ ତାଙ୍କର ପ୍ରଥମ କର୍ତ୍ତବ୍ୟ। ରାଜ୍ୟବାସୀ ତାଙ୍କ ପ୍ରତି ଯେଉଁ ବିଶ୍ୱାସ ପ୍ରକଟ କରିଛି, ସେଥିପାଇଁ ସେ କୃତଜ୍ଞ। ଏହି ଗୁରୁଦାୟିତ୍ୱର ସଫଳତା ପାଇଁ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କ ଅକୁଣ୍ଠ ସାହାଯ୍ୟ, ସହଯୋଗ ଓ ସମର୍ଥନ ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ ଶ୍ରୀ ଆହୁଜା।

ସମ୍ବନ୍ଧିତ ଖବର