ବାଲେଶ୍ୱର: କରୋନା କବଳରେ ବାଲେଶ୍ୱର ସହକାରୀ ବନ ସଂରକ୍ଷକ | ତାଙ୍କର ନମୁନା ପଜିଟିଭ ବୋଲି ଜଣାପଡିବା ପରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ବାଲେଶ୍ୱର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକଙ୍କ ନମୁନା କରୋନା ପଜିଟିଭ ବୋଲି ଜଣାପଡିଥିଲା |
ବାଲେଶ୍ୱର ଜିଲ୍ଲା ପ୍ରଶାସନ ଠାରୁ ଏବାବଦରେ ଜାଣିବା ପରେ ଅନ୍ୟ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସଂକ୍ରମଣ ହେବାରୁ ରକ୍ଷା କରିବା ପାଇଁ ୧୫.୭.୨୦୨୦ ଓ ୧୬.୦୭.୨୦୨୦ ଦୁଇ ଦିନ ପାଇଁ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି | ଏହି ଦୁଇ ଦିନ ପାଇଁ ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି |
ଅନ୍ୟପଟେ ବାଲେଶ୍ୱର ଜିଲ୍ଲାରେ ଆଜି ୬୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲାରେ ସମୁଦାୟ ୫୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୨୦ ଜଣ ସୁସ୍ଥ ହୋଇଛନ୍ତି ଓ ଏବେ ୧୩୨ଟି ସକ୍ରିୟ ମାମଲା ରହିଛି |