ଏଡିଜିଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ସିସିଟିଭି ନଜରରେ ରହିବ ରଥଯାତ୍ରା

ଭଡ଼ାସୂତ୍ରରେ ଅଣାଯିବ ସିସି କ୍ୟାମେରା

ପୁରୀ : ଆଗାମୀ ରଥଯାତ୍ରାରେ ଯେପରି କୌଣସି ଅବ୍ୟବସ୍ଥା ନହୁଏ, ସେଥିପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତବର୍ଷ ରଥଯାତ୍ରାରେ ପୁରୀରେ ଅଧିକ ଭକ୍ତମାନଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ(ଆଇନ ଶୃଙ୍ଖଳା) ରାଧାକୃଷ୍ଣ ଶର୍ମା ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ରଥଯାତ୍ରା ସମୟରେ ସମଗ୍ର ସହର ବିଶେଷକରି ସମଗ୍ର ବଡ଼ଦାଣ୍ତରେ ସିସି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏହି ଅସ୍ଥାୟୀ ବ୍ୟବସ୍ଥା ପାଇଁ ଭଡ଼ାସୂତ୍ରାରେ କ୍ୟାମେରା ଆଣିବାକୁ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍‌କୁ ଦାୟିତ୍ବ ଦେବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି।

ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇଜି ଅମିତାଭ ଠାକୁର, ଡିଆଇଜି ନରସିଂହ ଭୋଳ, ସତ୍ୟବ୍ରତ ଭୋଇ, ଏ ଏସ୍. ଦେବଦତ୍ତ ସିଂହ, ଡିଆଇଜି ଅନିରୁଦ୍ଧ କୁମାର ସିଂହ, ଜେଏନ୍‌ ପଙ୍କଜ, ଭୁବନେଶ୍ବରର ଅତିରିକ୍ତ କମିସନର ଡ. ଉମାଶଙ୍କର ଦାଶ, ପୁରୀ ଏସ୍‌ପି ଡା. କେ ବିଶାଳ ସିଂହ, କମାଣ୍ଡାଣ୍ଟ ଏଲ୍‌ଆର୍‌ ମିଶ୍ର, କମାଣ୍ଡାଣ୍ଟ ଏକେ ପାଢ଼ୀ, କମାଣ୍ଡାଣ୍ଟ ଏକେ ଦୁବେ, ଭଦ୍ରକ କମାଣ୍ଡାଣ୍ଟ ନାରାୟଣ ଦୋରା ଓ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀରେ ଜନଗହଳି ନିୟନ୍ତ୍ରଣ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରୁଥାରୁଢ଼ ଶ୍ରୀଜିଉମାନଙ୍କ ନୀତିକାନ୍ତି ସରିବା ମାତ୍ରକେ ରଥଟଣା କାର୍ଯ୍ୟକୁ କିପରି ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ, ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏଥିସହିତ, ଭିଆଇପିମାନଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା।

ଏଡିଜି ଶ୍ରୀଶର୍ମା କହିଛନ୍ତି,‘ ରଥଯାତ୍ରା ସମୟରେ ପୁରୀର ସୁରକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଜଳପଥ, ଆକାଶପଥ ଓ ସ୍ଥଳପଥ ଉପରେ ନଜର ରଖିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ’

ସମ୍ବନ୍ଧିତ ଖବର