ବାହାର ରାଜ୍ୟରୁ ଓଡ଼ିଶା ଫେରିବା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ, ବିନା ମୋବାଇଲ ନମ୍ବର ଓ ଆଧାରରେ ପଞ୍ଜୀକୃତ ହୋଇପାରିବେ ନାହିଁ

ଭୁବନେଶ୍ୱର: ଓଡ଼ିଶା ଫେରିବାକୁ ଚାହୁଁଥିବା ବ୍ୟକ୍ତି ପାଇଁ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି । ଲକଡାଉନ୍ ଅବଧି ଶେଷ ହେବା ପରେ ସେମାନେ ଓଡ଼ିଶାକୁ ଆସିପାରିବେ । ସେଥି ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । କିନ୍ତୁ ସେମାନଙ୍କୁ ପ୍ରଥମେ ଏଥି ଲାଗି ଉଦ୍ଦିଷ୍ଟ ପୋର୍ଟାଲରେ ହେଉ ଅଥବା ପଞ୍ଚାୟତରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ରାଜ୍ୟ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ପୋର୍ଟାଲରେ ଆଧାର ନମ୍ବର ଓ ମୋବାଇଲ ନମ୍ବର ପଞ୍ଜୀକରଣ ବାଧ୍ୟତାମୂଳକ କରିଦିଆଯାଇଛି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଡି. କେ ସିଂହ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏପ୍ରିଲ ୨୪ରୁ ଏହି ପୋର୍ଟାଲ କାର୍ଯ୍ୟକ୍ଷମ ହୋଇସାରିଛି ।

ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଶ୍ରୀ ସିଂହ କହିଛନ୍ତି ଓଡ଼ିଶା ବାହାରେ ଯେଉଁ ଓଡ଼ିଆ ଭାଇ-ଭଉଣୀମାନେ ଅଛନ୍ତି ଓ ସେମାନେ କେମିତି  ଫେରିବେ ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା କରିଛନ୍ତି । ସରକାର ପ୍ରଥମେ ସେମାନଙ୍କ ସମସ୍ୟା ଉପରେ ଅବଗତ ହେବାକୁ ଚାହୁଁଛନ୍ତି । ବାହାର ରାଜ୍ୟରେ ଥିବା ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ପ୍ରଥ.ମେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ ।

କେମିତି କରିବେ ପଞ୍ଜୀକରଣ

-ଏହି ପଞ୍ଜୀକରଣ ପାଇଁ ଆଧାର ନମ୍ବର ଓ ମୋବାଇଲ ଫୋନ ନମ୍ବର ଦେବା ବାଧ୍ୟତାମୂଳକ ।
-ସେହିଭଳି ପଞ୍ଜୀକରଣ ପାଇଁ ଫର୍ମରେ ନିମ୍ନଲିଖିତ ସୂଚନା ପୂରଣ କରିବା ଆବଶ୍ୟକ
(୧) ବ୍ୟକ୍ତିଗତ ବିବରଣୀ: ଯଥା: ନାମ, ବୟସ, ଲିଙ୍ଗ, ମୋବାଇଲ ଓ ଆଧାର ନମ୍ବର
(୨) ଓଡ଼ିଶାରେ ନିଜ ଘରର ଠିକଣା: ଯଥା:- ଗାଁ ବା ସହର, ପ୍ଲଟ ନମ୍ବର/ଘର ନମ୍ବର, ପଞ୍ଚାୟତ, ପୋଷ୍ଟ ଅଫିସ, ବ୍ଲକ, ଜିଲ୍ଲା
(୩) ଯୋଗାଯୋଗ ନିମନ୍ତେ ନିଜ ସଂପର୍କୀୟଙ୍କ ନାମ: ଯଥା ସଂପୃକ୍ତ ବ୍ୟକ୍ତି ଓଡ଼ିଶାର ହୋଇଥବା ଦରକାର । ତାଙ୍କର ପରିଚୟ ଓ ମୋବାଇଲ ନମ୍ବର ।

-ପୋର୍ଟାଲକୁ ଯାଇ ଜଣେ ବ୍ୟକ୍ତି ନିଜେ ଏହି ଫର୍ମ ପୂରଣ କରିପାରିବେ ।
-ତାଙ୍କ ପାଇଁ ସଂପର୍କୀୟ ମଧ୍ୟ କରିପାରିବେ ।
-ପଂଚାୟତର କର୍ମଚାରୀମାନଙ୍କ ସହାୟତା ନେଇ ମଧ୍ୟ ଏହି ଫର୍ମ ପୂରଣ କରାଯାଇପାରିବ ।
-ଫର୍ମ ପୂରଣ ପରେ ସବ୍ ମିଟ ବଟନ୍ କ୍ଲିକ କରିବା ପରେ ଆପଣଙ୍କ ଦ୍ୱାରା ପଞ୍ଜୀକୃତ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ ।
-ଏହି ଓଟିପିକୁ ୱେବସାଇଟରେ ଡିସପ୍ଲେ ବକ୍ସରେ ପୂରଣ କରିବା ପରେ ଆପଣଙ୍କ ମୋବାଇଲକୁ ଏକ ସୁନିଶ୍ଚିତ ମେସେଜ ଆସିବ ।
-ଏହି ମେସେଜ ପାଇବା ମାତ୍ରେ ଆପଣ ଜାଣିପାରିବେ ଯେ, ଆପଣଙ୍କ ପଞ୍ଜୀକରଣ ସଂପୂର୍ଣ୍ଣ ହୋଇଯାଇଛି ।

ପଞ୍ଚାୟତରାଜ ସଚିବ ଶ୍ରୀ ସିଂହ କହିଛନ୍ତି, ଅନଲାଇନ ପୋର୍ଟାଲରେ ନାମ ପଞ୍ଜୀକରଣ କରିବା ସହଜ ପ୍ରକ୍ରିୟା । ଏହା ଅଳ୍ପ ସମୟ ମଧ୍ୟରେ ପଞ୍ଜୀକରଣ କରାଯାଇ ପାରିବ ।

ସମ୍ବନ୍ଧିତ ଖବର