ଭୁବନେଶ୍ବର: ଏଣିକି ହସ୍ପିଟାଲ ଓ ସହରାଞ୍ଚଳରେ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲାଯିବ। ଶିଶୁ ଜନ୍ମ ଏବଂ ଜନ୍ମ ପ୍ରମାଣପତ୍ର ପ୍ରଦାନ ସମୟରେ ଆଧାର ପଞ୍ଜୀକରଣ କରାଯିବ। ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଧାର ବ୍ୟବସ୍ଥା କାର୍ଯ୍ୟାନ୍ବୟନ ନେଇ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ (ୟୁ.ଆଇ.ଡି.ଏ.ଆଇ)ର ଉପମହାନିର୍ଦ୍ଦେଶକ ଜି.ଭେନୁଗୋପାଳ ରେଡ୍ଡୀ ଯୋଗଦେଇ ଆଧାର ପଞ୍ଜୀକରଣରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଥିବା କହିଥିଲେ।

Advertisment

ବୈଠକରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ମନୋଜ ମିଶ୍ର ଆଧାର କାର୍ଯ୍ୟକ୍ରମ ସମ୍ପର୍କିତ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ପଞ୍ଜୀକରଣ କାର୍ଯ୍ୟ ତ୍ବାରାନ୍ବିତ କରିବା ସହ ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ଓଡ଼ିଶାକୁ ସ୍ଥାନିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଶୂନ୍‌ରୁ ପାଞ୍ଚବର୍ଷ ପିଲାମାନଙ୍କର ପଞ୍ଜୀକରଣ ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ଏଥିରେ ଅଙ୍ଗନବାଡ଼ି, ଡାକ୍ତରଖାନା ଏବଂ ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥାମାନେ ସକ୍ରିୟ ଭାବେ ସାମିଲ ହେବେ। ହସ୍ପିଟାଲ ଏବଂ ସହରାଞ୍ଚଳମାନଙ୍କରେ ଶିଶୁ ଜନ୍ମ ପରେ ଏବଂ ଜନ୍ମ ପ୍ରମାଣପତ୍ର ପ୍ରଦାନ ସମୟରେ ଆଧାର ପଞ୍ଜୀକରଣ କରାଇବା ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ହସ୍ପିଟାଲରେ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲିବା ପାଇଁ ବୈଠକରେ ସ୍ଥିର ହୋଇଛି। ଏଥିପାଇଁ ଆବଶ୍ୟକ ପଡ଼ୁଥିବା ନୂଆ କିଟ୍ ସଂଗ୍ରହ କରି ୨୦୨୦ ମସିହା ଜାନୁଆରି ସୁଦ୍ଧା କ୍ଷେତ୍ରସ୍ତରୀୟ କାମ ଆରମ୍ଭ କରାଯିବ ବୋଲି ପ୍ରଯୁକ୍ତି ବିଦ୍ୟା ସଚିବ ଶ୍ରୀ ମିଶ୍ର ଜଣାଇଥିଲେ। ଏହି ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।