‘ଆଧାର’ ଛଡ଼େଇ ନେବ ଆହାର

ଭୁବନେଶ୍ୱର: କେନ୍ଦ୍ର ସରକାର ଆଧାର ଲିଙ୍କ୍‌ ବାଧ୍ୟତାମୂଳକ କରୁଛନ୍ତି। ହେଲେ ଏହି ଆଧାର ନମ୍ବର ପାଇବା ଏବେ ଲୋକଙ୍କ ପାଇଁ କାଠିକର ପାଠ ହୋଇଗଲାଣି। ଏପରିକି ଅନେକଙ୍କ ପାଖରେ ଆଧାର ନମ୍ବର ଥିବା ସତ୍ତ୍ୱେ ବି ଏହା କାମରେ ଲାଗୁନି। ୟୁଆଇଡିଏଆଇ ଆଧାର ପାଇଁ ପ୍ରସ୍ତୁତ କରିଥିବା ସଫ୍‌ଟେଓ୍ଵୟାର ଏବେ ବି ଅଧାପନ୍ତରିଆ ସ୍ଥିତିରେ ଥିବାରୁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହେଲାଣି ଯେ, ଆଧାର ଲୋକଙ୍କ ଆହାର ଛଡ଼ାଇ ନେବା ପରିସ୍ଥିତି ସୃଷ୍ଟି କଲାଣି।ଏବେ ମିଳୁଥିବା ସମସ୍ତ ସେବା ପାଇଁ ଆଧାର ଲିଙ୍କ୍‌ ଏକରକମ ବାଧ୍ୟତାମୂଳକ କରାଯାଉଥିବାବେଳେ ଆଧାର କାର୍ଡରେ ଯଦି ତଥ୍ୟ ଭୁଲ୍‌ ରହୁଛି ତେବେ ସେବା ଲୋକଙ୍କୁ ମିଳୁନି। କେଉଁଠି ବୃଦ୍ଧଙ୍କୁ ଭତ୍ତା ମିଳୁନି ତ କେଉଁଠି ପେନସନ୍‌ ବନ୍ଦ କରିଦିଆଯିବ ବୋଲି ଚେତାଇ ଦିଆଗଲାଣି। କିପରି ସମସ୍ତଙ୍କୁ ଆଧାର ନମ୍ବର ମିଳିବ ସେନେଇ ସରକାର କେବଳ ଆଧାର କ୍ୟାମ୍ପ ଖୋଲି ଦେଇଛନ୍ତି। କିନ୍ତୁ ଲୋକଙ୍କ ସମସ୍ୟା ସମାଧାନ ହେବା ବଦଳରେ ବଢ଼ି ଚାଲିଛି।

ଲୋକଙ୍କ ପାଖରେ ଆଧାର କାର୍ଡ ଅଛି କିନ୍ତୁ ବ୍ୟାଙ୍କ କି କୌଣସି ସରକାରୀ ସେବା ପାଇଁ ଆଧାର ଲିଙ୍କ୍‌ କଲା ବେଳକୁ ତାହା ମ୍ୟାଚ୍‌ ହେଉନି। କୁହାଯାଉଛି ତୁମ ଆଙ୍ଗୁଠି ଛାପ ମିଶୁନି। ପୁଣି ଆଧାର କେନ୍ଦ୍ରରେ ଆଙ୍ଗୁଠି ଛାପ ଦିଅ। ନୂଆ କାର୍ଡ କର। ନୂଆ କାର୍ଡ ମିଳୁମିଳୁ ତିନିରୁ ଚାରି ମାସ ଲାଗି ଯାଉଥିବାରୁ ଆଧାର ଏବେ ଲୋକଙ୍କ ନିଦ ହଜାଇ ଦେଲାଣି। କେବଳ ଏତିକିରେ ସମସ୍ୟା ସରିନି। ଯେଉଁ ଲୋକ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି, ବୃଦ୍ଧାବସ୍ଥା ଯୋଗୁଁ ଶେଯରୁ ଉଠି ପାରୁନାହାନ୍ତି କିମ୍ବା କୌଣସି ରୋଗ/ବ୍ୟାଧି ଯୋଗୁଁ ଘରୁ ବାହାରକୁ ଆସିପାରୁନାହାନ୍ତି ସେମାନଙ୍କର କିପରି ଆଧାର କାର୍ଡ ହେବ ସେନେଇ କିଛି ଯୋଜନା ହୋଇନି। ଯେଉଁଥିପାଇଁ ଉପରୋକ୍ତ ସମସ୍ୟାରେ ଥିବା ବ୍ୟକ୍ତି/ମହିଳାମାନେ ଏବେ ଭବିଷ୍ୟତରେ ପେନସନ୍‌/ଭତ୍ତା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇବେ କି ନାହିଁ ଚିନ୍ତାରେ ପଡ଼ିଗଲେଣି।କେବଳ ଏହି ବର୍ଗର ନୁହେଁ ୫ବର୍ଷରୁ କମ୍‌ ପିଲାଙ୍କର ଆଧାର କାର୍ଡ ତଥ୍ୟ ପୂରଣ ସମୟରେ ବହୁ ତ୍ରୁଟି ହୋଇଥିବାରୁ ଏବେ ଭୁଲ୍‌ ଆଧାର କାର୍ଡ ବାହାରିଛି। ଏନେଇ ଆଧାର କେନ୍ଦ୍ରରେ ଅଭିଯୋଗ କଲେ ଉତ୍ତର ମିଳୁଛି ଆଉ ସଂଶୋଧନ ହୋଇପାରିବନି। ୫ବର୍ଷ ପରେ ଯେତେବେଳେ ଅଙ୍ଗୁଳା ଛାପ ନିଆଯିବ ସେତେବେଳେ ସଂଶୋଧନ ହେବ। ୫ବର୍ଷରୁ କମ୍‌ ପିଲାଙ୍କର ଆଧାର କାର୍ଡରେ ଥିବା ଭୁଲ୍‌ ତଥ୍ୟ ସଂଶୋଧନ ପାଇଁ ଏବେ ସୁଦ୍ଧା ସଫ୍ଟେଓ୍ଵୟାର ପ୍ରସ୍ତୁତ ହୋଇନଥିବାରୁ ଏହା ସମ୍ଭବ ନୁହେଁ କହି ଅଭିଯୋଗକାରୀଙ୍କୁ ଫେରାଇ ଦିଆଯାଉଛି। ପିଲାକୁ ୫ବର୍ଷ ହେଲା ପରେ ସଂଶୋଧନ ହେବ ବୋଲି କୁହାଯାଉଥିବାବେଳେ ସରକାରଙ୍କ ବିଭିନ୍ନ ସେବାର ହିତାଧିକାରୀ ହେବାକୁ ହେଲେ କିନ୍ତୁ ପ୍ରଥମେ ଆଧାର କାର୍ଡ ମଗାଯାଉଛି। ଏପରିସ୍ଥଳେ ଭୁଲ୍‌ ଆଧାର କାର୍ଡ ଦେଖାଇବାକୁ ଅଭିଭାବକ ପସନ୍ଦ କରୁନାହାନ୍ତି। ଯାହାକୁ ନେଇ ଏବେ ସମସ୍ୟା ବଢ଼ିବାରେ ଲାଗିଛି।

Aadhaarcardinfo.com

ଏନେଇ ଓକାକ୍‌ରେ ଥିବା ଆଧାର କେନ୍ଦ୍ରରେ ଯୋଗାଯୋଗ କରିବାରୁ କର୍ତ୍ତୃପକ୍ଷ କହିଛନ୍ତି ଯେ, ଆଧାର କାର୍ଡ ତଥ୍ୟ ପଞ୍ଜୀକରଣ ସମୟରେ କିଛି ତ୍ରୁଟି ରହୁଛି। ଯାହା ପରବର୍ତ୍ତୀ ସମୟରେ ଆମେ ସଂଶୋଧନ କରୁଛୁ। କେତେକ ଅଭିଯୋଗକାରୀଙ୍କର ତଥ୍ୟ ଠିକ୍‌ ଭାବେ ପଞ୍ଜୀକରଣ କରାଯାଉଥିଲେ ହେଁ ସଫ୍‌ଟେଓ୍ଵୟାରରେ କିଛି ତ୍ରୁଟି ରହୁଥିବାରୁ ବେଙ୍ଗାଲୁର କାର୍ଯ୍ୟାଳୟରେ ତାହା ସ୍ୱତଃପ୍ରବୃତ୍ତ ଭାବେ ବଦଳି ଯାଉଛି। ଆମର କିଛି ଭୁଲ୍‌ ନାହିଁ। ଯେଉଁ ଲୋକଙ୍କର ଆଙ୍ଗୁଠି ଛାପ ମିଶୁନି ସେମାନଙ୍କୁ ପୁଣି ଥରେ ପଞ୍ଜୀକରଣ କରିବାକୁ କୁହାଯାଉଛି। ଏହି ସମସ୍ୟା ସାଧାରଣତଃ ୪୦ବର୍ଷରୁ ଉର୍ଦ୍ଧ୍ୱ ଲୋକ, ଶ୍ରମିକ ଶ୍ରେଣୀର ଲୋକ, ବାସନ ମାଜୁଥିବା ମହିଳା/ବ୍ୟକ୍ତିଙ୍କ ଠାରେ ଦେଖାଯାଉଛି। ଆଙ୍ଗୁଠିରେ ଥିବା ଗାର ଲିଭିଯାଉଥିବାରୁ ଆଧାର ଲିଙ୍କ୍‌ ସମୟରେ ଆଙ୍ଗୁଠି ଛାପ ମେଳ ଖାଉନି। ତେଣୁ ପୁଣି ଥରେ ଆଙ୍ଗୁଠି ଛାପ ଦେବାକୁ କହୁଛୁ। ସେହିପରି ଯେଉଁମାନେ କୌଣସି ରୋଗ ଓ ବୃଦ୍ଧାବସ୍ଥା ଯୋଗୁଁ ଶେଯରୁ ଉଠି ପାରୁନାହାନ୍ତି ସେମାନଙ୍କର ଆଧାର କାର୍ଡ କରିବା ପାଇଁ କିଛିି ନିୟମ ନାହିଁ। ତେଣୁ ଆମେ କିଛି କରିପାରିବୁନି।

ମିଳିଥିବା ତଥ୍ୟ ଅନୁଯାୟୀ, ଡିସେମ୍ବର ୧୪ତାରିଖ ସୁଦ୍ଧା ରାଜ୍ୟରେ ୪କୋଟି ୨୪ଲକ୍ଷ ୧୯ହଜାର ୨୦୩ଜଣ ଆଧାର ସଂଯୋଗ କରିଥିବାବେଳେ ଏଥିରୁ ଅନେକଙ୍କର ଆଧାର କାର୍ଡରେ ତଥ୍ୟ ଭୁଲ୍‌ ରହିଛି। କାହାର ନାମ ଭୁଲ୍‌ ରହିଛି ତ କାହାର ଠିକଣା। ମାଗଣାରେ ଆଧାର କାର୍ଡ ଦିଆଯାଉଥିଲେ ହେଁ ଭୁଲ୍‌ ସଂଶୋଧନ କରିବା ପାଇଁ ଜଣ ପିଛା ୨୦ରୁ ୨୫ଟଙ୍କା ଆଦାୟ କରାଯାଉଛି। ପ୍ରଥମେ ଭୁଲ୍‌ କାର୍ଡ ଦେଇ ଏହାକୁ ସଂଶୋଧନ କରିବା ପାଇଁ ଟଙ୍କା ନେବାକୁ ଏହା ଚାଲ୍‌ ବୋଲି ଅଭିଯୋଗ ହେଲାଣି। ଆଧାର କାର୍ଡ କରିବା ପାଇଁ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥିବା ଘରୋଇ ସଂସ୍ଥା କାର୍ଡ ପିଛା ଅର୍ଥ ପାଉଥିବାରୁ ଅଧିକ କାର୍ଡ ପଞ୍ଜୀକରଣ କରିବା ପାଇଁ ଜାଣିଶୁଣି ଏହିଭଳି ଭୁଲ୍‌ କାର୍ଡ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହେଲାଣି। ଆହୁରି ଚାଞ୍ଚଲ୍ୟକର ତଥ୍ୟ ମିଳିଛି ଯେ, ଆଧାର ପଞ୍ଜୀକରଣ ପାଇଁ ୟୁଆଇଡିଏଆଇ ଓଡ଼ିଶାର ଯେଉଁ ଜନସଂଖ୍ୟା ଆକଳନ କରିଥିଲା ତାହାର ୯୪.୩୯% ଲୋକ ବର୍ତ୍ତମାନ ସୁଦ୍ଧା ଆଧାର ପଞ୍ଜୀକରଣ କଲେଣି। ଆଶ୍ଚର୍ଯ୍ୟର ବିଷୟ ନୂଆପଡ଼ା ଜିଲ୍ଲାରେ ୧୦୪.୫୨% ଲୋକ ଆଧାର କାର୍ଡ ପାଇଗଲେଣି। କିନ୍ତୁ ୫ବର୍ଷରୁ କମ୍‌ ବୟସର ପିଲାଙ୍କ କ୍ଷେତ୍ରରେ ୬୭.୫୭% ପାଇଛନ୍ତି। ୫ରୁ ୧୮ବର୍ଷ ବୟସ ବର୍ଗରେ ୯୫.୯୫% ଜଣ କାର୍ଡ ପାଇଥିବାବେଳେ ୧୮ବର୍ଷରୁ ଅଧିକ ବର୍ଗରେ ୧୧୪.୨୬% ଲୋକ ଆଧାର କାର୍ଡ ପାଇଛନ୍ତି। ଏହି ଜିଲ୍ଲାରେ ଜନସଂଖ୍ୟା ଆକଳନ ଠାରୁ ସାଢ଼େ ଚାରି ପ୍ରତିଶତ ଅଧିକ ଲୋକ ଆଧାର ନମ୍ବର ପାଇସାରିଲେଣି। ସେହିପରି ସୁନ୍ଦରଗଡ଼ରେ ସବୁଠୁ କମ୍‌ ୯୦.୮୬% ଲୋକ ଆଧାର ନମ୍ବର ପାଇଛନ୍ତି। ଜନସଂଖ୍ୟା ଆକଳନ ଅନୁଯାୟୀ, ସାରା ରାଜ୍ୟରେ ଆଉ ୨୫ଲକ୍ଷ ଲୋକ ଆଧାର ପଞ୍ଜୀକରଣ କରିବାକୁ ଥିବାବେଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, କଟକକୁ ଛାଡ଼ିଦେଲେ ବାକି ୨୭ଟି ଯାକ ଜିଲ୍ଲାରେ ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଆଧାର ପଞ୍ଜୀକରଣ ହାର ୧୦୦% ଉପରେ। ସାରା ରାଜ୍ୟରେ ୧୮ବର୍ଷରୁ ଅଧିକ ବୟସ୍କଙ୍କ ଆଧାର ପଞ୍ଜୀକରଣ ହାର ୧୦୩.୫୬% ରହିଛି। ଏହି ବର୍ଗରେ ରାଜ୍ୟରେ ୨,୯୫,୦୯,୫୯୪ ଜଣ ଥିବା ଆକଳନ ହୋଇଥିବାବେଳେ ୩,୦୫,୫୯,୬୬୨ଜଣ କାର୍ଡ ପାଇସାରିଲେଣି। ସେହିପରି ୦ରୁ ୫ବର୍ଷ ବୟସ ମଧ୍ୟରେ ରାଜ୍ୟରେ ୩୯,୧୧,୨୮୬ଜଣ ଥିବାବେଳେ ୨୪,୪୬,୪୦୪ଜଣ ଆଧାର କାର୍ଡ ପାଇଛନ୍ତି। ଏହି ବର୍ଗରେ ୬୨.୫୫% ଲୋକ ଆଧାର ପାଇଥିବାବେଳେ ୩୭.୪୫% ପିଲା ଏବେବି ଆଧାର କାର୍ଡ କରିନାହାନ୍ତି।

ସମ୍ବନ୍ଧିତ ଖବର