ଶ୍ରୀଜିଉଙ୍କୁ ଲାଗିହେଲା ଅଧରପଣା

ପୂଜା ପୂର୍ବରୁ ଭାଙ୍ଗିଗଲା ବଳଭଦ୍ରଙ୍କ ଅଧରହାଣ୍ଡି, ଆଜି ନୀଳକନ୍ଦରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ମହାପ୍ରଭୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କ ଦର୍ଶନ ଓ ମୁକ୍ତି ପାଇଁ ଚଣ୍ଡୀଚାମୁଣ୍ଡା ଓ ଅଶରୀରୀମାନେ ଘୂରି ବୁଲୁଥାନ୍ତି। ଏହି ଚଣ୍ଡୀଚାମୁଣ୍ଡା ଓ ଅଶରୀରୀମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସଂପନ୍ନ ହୋଇଛି। ତେବେ, ନୀତି ସଂପନ୍ନ ହେଉଥିବାବେଳେ ରଥଉପରେ ଏକ ବଡ଼ ଅଘଟଣ ଘଟିଛି। ପୂଜା ପୂର୍ବରୁ ବଡ଼ଠାକୁରଙ୍କ ଅଧରହାଣ୍ଡି ଭାଙ୍ଗି ଯାଇଛି।

ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡୀଚାମୁଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ଆଜି ରାତି ପ୍ରାୟ ୯ଟାରେ ତିନି ଠାକୁରଙ୍କ ଠାରେ ୯ଟି ଅଧର ଉଚ୍ଚ ମାଟି ହାଣ୍ଡିରେ ଅଧରପଣା ଲାଗି ହେବା ପରେ ବିଳମ୍ୱିତ ରାତିରେ ଏହାକୁ ଉତ୍ସର୍ଗ କରାଯାଇଥିଲା। ଆସନ୍ତାକାଲି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳଦ୍ରି ବିଜେ। ନୀଳକନ୍ଦରକୁ ବିଜେ କରିବେ ମହାପ୍ରଭୁ। ଏହା ପୂର୍ବରୁ ଚଣ୍ଡୀଚାମୁଣ୍ଡାଙ୍କୁ ତୃପ୍ତି ଉଦ୍ଦେଶ୍ୟରେ ପରମ୍ପରା ଆଧାରରେ ଆଜି ସିଂହଦ୍ୱାର ଆଗରେ ରଥ ଉପରେ ଅଧରପଣା ନୀତି ସଂପନ୍ନ ହୋଇଥିଲା।

ନୀତି ନିର୍ଘଣ୍ଟ ମୁତାବକ ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ଶୈଳୀରେ ଠାକୁରମାନଙ୍କ ଅଧର ଉଚ୍ଚର ନିର୍ମିତ ୯ଟି ମାଟି ହାଣ୍ଡିରେ ଏହି ପଣା ତିନି ରଥ ଉପରେ ପୂଜା ହୋଇଥିଲା। ତିନି ଠାକୁରଙ୍କ ସମ୍ମୁଖରେ ତିନୋଟି ଅଧର ହାଣ୍ଡିରେ ପଣା ଲାଗି କରାଯାଇଥିଲା। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠର କୂଅରୁ ପାଣିଆ ଆପଟ ସେବକମାନେ ପାଣି ଆଣି ପିତଳ ହଣ୍ଡାରେ ରଖିବା ପରେ ଅଧର ହାଣ୍ଡି ଉପରେ ଜାଲି କପଡା ଦିଆଯାଇ ପାଣିକୁ ଛଣା ଯାଇଥିଲା। ପାଣି ଭର୍ତି ପରେ ସୁପକାର ସେବକମାନେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥିଲେ। ଜଳ ସମେତ ୯ଟି ସାମଗ୍ରୀ ତଥା ସର, କଦଳୀ, ଛେନା, କ୍ଷୀର, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଓ ଜଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥିଲା। ରାଘବ ଦାସ ମଠ, ବଡ଼ଓଡ଼ିଆ ମଠ ସହ ଶ୍ରୀମନ୍ଦିର ପ୍ରଶାସନ ପଣା ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲେ। ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ତିନି ରଥରେ ପୂଜାକାର୍ଯ୍ୟ ସଂପନ୍ନ କରିଥିଲେ। ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ଅଧରପଣାକୁ ପୂଜା କରିଥିଲେ।

ଅନ୍ୟପକ୍ଷରେ, ରଥ ଉପରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି। ଯାହା କେବେ ଘଟିନଥିଲା, ତାହା ଆଜି ଦେଖିବାକୁ ମିଳିଛି। ପୂଜା ପୂର୍ବରୁ ଆଜି ବଡ଼ଠାକୁର ବଳଭଦ୍ରଙ୍କ ଅଧରହାଣ୍ଡି ଭାଙ୍ଗିପଡ଼ିଛି। ପଣାଲାଗି ପୂର୍ବରୁ ପ୍ରଥମଥର ଏଭଳି ଅଘଟଣକୁ ନେଇ ଭକ୍ତମାନେ ଶଙ୍କାରେ ପଡ଼ିଛନ୍ତି। ପତିତପାବନ ବାନାରେ ନିଆଁ ଲାଗିବା, ପତିତପାବନ ବାନା ବାରମ୍ବାର ଚିରିଯିବା, ଉଡ଼ିଯିବା, ନୀଳଚକ୍ରରେ ଚିଲ ବସିବା ଭଳି ଅଘଟଣ ପରେ ଆଜି ଅଧରପଣା ନୀତି ବେଳେ ଅଧରହାଣ୍ଡି ଭାଙ୍ଗିଯିବାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଏହା ଏକ ବଡ଼ ଅଘଟଣର ପୂର୍ବ ସୂଚନା ବୋଲି ଭକ୍ତ ମହଲ ମତ ଦେଇଛନ୍ତି। ଏଥିପାଇଁ ନୀତି ବି ବିଳମ୍ବ ହୋଇଛି। ଶେଷରେ ଭଙ୍ଗା ଅଧରହାଣ୍ଡି ବଦଳରେ ନୂଆ କୁଡ଼ୁଆରେ ପୂଜାନୀତି ସଂପନ୍ନ ହୋଇଛି।

ତେବେ, ଏହି ବିଭ୍ରାଟକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେହିକେହି ଭିଡ଼ ଭିତରେ ଅନ୍ୟମନସ୍କରେ ସେବାୟତମାନେ ଅଧରହାଣ୍ଡି ଠେଲି ଦେଇଥିବା କହୁଥିବାବେଳେ କେହି କେହି ଅଧରହାଣ୍ଡିର ଦୁର୍ବଳତାକୁ ଦାୟୀ କରିଛନ୍ତି। ତଥାପି ସବୁକିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି ବୋଲି ଭକ୍ତ ମହଲ ମତ ଦେଇଛନ୍ତି। ନିଶ୍ଚିତ ପକ୍ଷେ କିଛି ବଡ଼ ଅଘଟଣର ଏହା ପୂର୍ବାଭାଷ ବୋଲି ଭ୍ରୂକୁଞ୍ଚନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର