ଶ୍ରୀଜିଉଙ୍କୁ ଲାଗିହେଲା ଅଧରପଣା, ଅଧରହାଣ୍ଡି ଭାଙ୍ଗି ଚଣ୍ଡିଚାମୁଣ୍ଡାଙ୍କୁ ହେଲା ଉତ୍ସର୍ଗ

ପୁରୀ : ରତ୍ନସିଂହାସନ ଛାଡ଼ି ନବଦିନାତ୍ମକ ଘୋଷଯାତ୍ରାରେ ଯାଇଥିବା ମହାପ୍ରଭୁଙ୍କ ଦର୍ଶନ ଓ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରୀରୀମାନେ ଘୂରି ବୁଲୁଥାନ୍ତି। ଏହି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୃପ୍ତ କରିବା ପାଇଁ ସୋମବାର ଦିନ ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥ ଉପରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ପୂଜା ନୀତି ସମ୍ପନ୍ନ ହୋଇଛି। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଅଧର ଉଚ୍ଚର ୯ଟି ହାଣ୍ଡିରେ ପଣା ଲାଗି ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ପଣା ଉତ୍ସର୍ଗ କରାଯାଇଛି। ଅନ୍ୟପଟେ ସୋମବାର ଦିନ ଘଣ୍ଟାଏ ବିଳମ୍ବରେ ସକାଳୁ ନୀତି ଆରମ୍ଭ ହୋଇଥିଲେ ବି ତିନି ରଥରେ ବେଶ ଶେଷ ପରେ ସମସ୍ତ ନୀତିକାନ୍ତି ସଅଳ ଶେଷ ହୋଇଛି। ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ଅଧରପଣା ନୀତି ଦର୍ଶନ କରିଛନ୍ତି। ଏଥିପାଇଁ ଆଜି ବି ସିଂହଦ୍ବାର, ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି।

ଆଜି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳଦ୍ରି ବିଜେ। ଏହା ପୂର୍ବରୁ ଚଣ୍ଡିଚାମୁଣ୍ଡାଙ୍କୁ ତୃପ୍ତି ଉଦ୍ଦେଶ୍ୟରେ ପରମ୍ପରା ଆଧାରରେ ସୋମବାର ଦିନ ସିଂହଦ୍ୱାର ଆଗରେ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା। ନୀତି ନିର୍ଘଣ୍ଟ ମୁତାବକ ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ଶୈଳୀରେ ଠାକୁରମାନଙ୍କ ଅଧର ଉଚ୍ଚର ନିର୍ମିତ ୯ଟି(ପ୍ରତି ରଥରେ ତିନୋଟି) ମାଟି ହାଣ୍ଡିରେ ଏହି ପଣା ତିନି ରଥ ଉପରେ ପୂଜା ହୋଇଥିଲା। ତିନି ଠାକୁରଙ୍କ ସମ୍ମୁଖରେ ତିନିଟି ଅଧର(ପାଦରୁ ଓଠ) ଉଚ୍ଚ ହାଣ୍ଡିରେ ପଣା ଲାଗି କରାଯାଇଥିଲା। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠର କୂଅରୁ ପାଣିଆ ଆପଟ ସେବକମାନେ ପିତଳ ଗରାରେ ପାଣି ଆଣି ରଥ ଉପରେ ଥିବା ପିତ୍ତଳ ହଣ୍ଡାରେ ରଖିବା ପରେ ମାଟି କୁଡ଼ୁଆରେ ଅଧର ହାଣ୍ଡି ଭରାଯାଇଥିଲା। ପାଣି ଭର୍ତି ପରେ ସୁପକାର ସେବକମାନେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥିଲେ। ଜଳ ସମେତ ୯ଟି ସାମଗ୍ରୀ ତଥା କ୍ଷୀର, ସର, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ ହୋଇଥିଲା। ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ଅଧରପଣାକୁ ପୂଜା କରିଥିଲେ।

ଶ୍ରୀମନ୍ଦିର ପରମ୍ପରା ଆଧାରରେ ପୂଜା ନୀତି ବଢ଼ିବା ପରେ ତିନି ରଥ ଉପରେ ପଣା ହାଣ୍ଡିକୁ ରଥର ପାର୍ଶ୍ୱ ଦେବଦେବୀ, ଚଣ୍ଡିଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଭଙ୍ଗା ଯାଇଥିଲା। ପ୍ରଥମେ ମା’ ସୁଭଦ୍ରାଙ୍କ ଅଧର ନୀତି ସମ୍ପନ୍ନ ହୋଇ ରାତି ୮ଟା ୪୪ରେ ହାଣ୍ଡି ଭଙ୍ଗା ଯାଇଥିଲା। ପରେ ରାତି ୮ଟା ୪୮ରେ ବଡ଼ବାଡ଼ରେ ଅଧରହାଣ୍ଡି ଭଙ୍ଗାଯାଇଥିଲା। ବଡ଼ଠାକୁର ବଳଭଦ୍ରଙ୍କ ସମ୍ମୁଖରେ ତାଳଧ୍ବଜ ରଥ ଉପରେ ଅଧର ହାଣ୍ଡିରେ ପଣା ଲାଗି ପରେ ଉପସ୍ଥିତ ସେବକମାନେ ତିନି ହାଣ୍ଡିକୁ ଠେଲି ଭାଙ୍ଗିଥିଲେ। ଶେଷରେ ରାତି ୯ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧରହାଣ୍ଡି ଭଙ୍ଗା ସହ ଅଧରପଣା ନୀତି ଶେଷ ହୋଇଥିଲା। ଆଜି ଭୋର ୪ଟା ୪୦ରେ ଗତକାଲିର ରାତ୍ର ପହୁଡ଼ ପରେ ସକାଳ ୭ଟା ୧୫ରେ ତିନି ରଥରେ ମଙ୍ଗଳ ଆଳତି ହୋଇଥିଲା। ପରେ ମଇଲମ, ତଡ଼ପଲାଗି ହୋଇ ସକାଳ ୮ଟା ୧୫ରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ମଧ୍ୟାହ୍ନ ଧୂପ ଶେଷ ପରେ ଅଧରପଣା ନୀତି ଆରମ୍ଭ ହୋଇଥିଲା। ରାତିରେ ଅଧରପଣା ନୀତି ଶେଷ ପରେ ମହାସ୍ନାନ, ମଇଲମ, ବେଶ, ବଡ଼ସିଂହାର ଭୋଗ ନୀତି ସମ୍ପନ୍ନ ହୋଇ ରାତ୍ର ପହୁଡ଼ ହୋଇଥିଲା।

ସମ୍ବନ୍ଧିତ ଖବର