ପୁରୀ : ଅଧରପଣା ଅବସରରେ ସୋମବାର ଦିନ ଅଘଟଣ ଦେଖିବାକୁ ମିଳିଛି। ପଣା ପ୍ରସ୍ତୁତି ପାଇଁ ଅଧର ହାଣ୍ଡିରେ ପାଣି ଭର୍ତ୍ତି ହେବା ପୂର୍ବରୁ ବଳଭଦ୍ରଙ୍କ ଅଧର ହାଣ୍ଡିରୁ ଚକି ଛାଡ଼ିଯାଇଥିଲା। ବଳଭଦ୍ରଙ୍କ ରଥରେ ୨ଟି ଅଧର ହାଣ୍ଡି ଓ ଜଗନ୍ନାଥଙ୍କ ରଥରେ ଗୋଟିଏ ଅଧର ହାଣ୍ଡି ଭାଙ୍ଗିଯାଇଥିଲା। ପୁଣି ତିନିଟି ନୂଆ ଅଧର ହାଣ୍ଡି ଆସିବା ପରେ ପଣା ପ୍ରସ୍ତୁତି କରାଯାଇଥିଲା। ସୂଚନାଯୋଗ୍ୟ ତିନି ରଥରେ ତିନି ଠାକୁରଙ୍କ ପାଇଁ ୯ଟି ଅଧର ହାଣ୍ଡି ପ୍ରସ୍ତୁତ କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧର ହାଣ୍ଡି ପାଇଁ କୁମ୍ଭାର ସେବକଙ୍କୁ ବଇନା ଦିଆଯାଇଥାଏ। ତେବେ ମାଟିରେ ପ୍ରସ୍ତୁତ ହେଉଥିବାରୁ ଭାଙ୍ଗିଯିବାର ସମ୍ଭାବନା ଥିବାରୁ ଏହାକୁ ଅଧିକ ପରିମାଣରେ ପ୍ରସ୍ତୁତ କରି ରଖାଯାଇଥାଏ।
ବୋହିନେଲେ ଅଧର ପଣା
ପୁରୀ : ରଥ ଉପରେ ପ୍ରସ୍ତୁତ ହେଉଥିବା ଅଧରପଣା ହାଣ୍ଡି ଭଙ୍ଗାଯିବା ପରେ ଏହାକୁ କୌଣସି ବ୍ୟକ୍ତି ସଂଗ୍ରହ କରିବେ ନାହିଁ ବୋଲି ବ୍ୟବସ୍ଥାବଳୀରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଯେପରି ପଣା କେହି ସଂଗ୍ରହ ନକରନ୍ତି ସେଥିପ୍ରତି ପୂଜାପଣ୍ଡା, ମହାସୁଆର ଓ ଦଇତାପତି ନିଯୋଗ ଯତ୍ନବାନ ରହିବାକୁ ନିର୍ଦ୍ଦେଶ ରହିଥିଲା। ମାତ୍ର ପଣା ନେବା ପାଇଁ ରଥ ତଳେ ଅନେକ ଜଗି ରହିଥିଲେ ମଧ୍ୟ ନା ନିଯୋଗ ଏଥିପ୍ରତି ଦୃଷ୍ଟି ଦେଲେ ନା ଉପସ୍ଥିତ ପୁଲିସ୍ମାନେ ପଣା ସଂଗ୍ରହ କରିବାକୁ ଚାତକ ଭଳି ଚାହିଁ ରହିଥିବା ବ୍ୟକ୍ତିବିଶେଷଙ୍କୁ ବାରଣ କଲେ। ଫଳରେ ଯିଏ ଯେଉଁ ପାତ୍ରରେ ପାରିଲେ ପଣା ବୋହିନେଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/adharpana-niti-ffff.jpg)